ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କୁ ‘ ଗଭର୍ଣ୍ଣର ଅଫ ଦି ଇୟର’ ଆୱାର୍ଡ

ନୂଆଦିଲ୍ଲୀ : ‘ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ’ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କୁ ‘ ଗଭର୍ଣ୍ଣର ଅଫ ଦି ଇୟର’ ଆୱାର୍ଡରେ ସମ୍ମାନିତ କରାଯାଇଛି। ଶ୍ରୀ ଦାଶ ରିଜର୍ଭ ବ୍ୟାଙ୍କର ମୁଖ୍ୟ ଭାବେ ଅବସ୍ଥାପିତ ହେବା ପର ଠାରୁ ବିଭିନ୍ନ ସମୟରେ ଅର୍ଥନୀତିକୁ ନେଇ ବହୁ ଆହ୍ବାନ ସୃଷ୍ଟି ହୋଇଥିଲା ବେଳେ ଏହାକୁ ମୁକାବିଲା କରିବା ଦିଗରେ ତାଙ୍କର ଭୂମିକା ଉଲ୍ଲେଖନୀୟ ରହିଛି ବୋଲି ଅର୍ଥନୀତିର ବିଭିନ୍ନ ଦିଗକୁ ନେଇ ‘ପବ୍ଲିକ ପଲିସି’ ପ୍ରକାଶନ କରୁଥିବା ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ କହିଛି। ବିଶେଷକରି ଦୁଇ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ ପ୍ରଭାବ ଏବଂ ପରବର୍ତ୍ତୀ ସମୟରେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଅର୍ଥନୀତି କ୍ଷେତ୍ରରେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜକୁ ମୁକାବିଲା କରିବା ଦିଗରେ ଶ୍ରୀ ଦାଶଙ୍କ ରଣନୀତି ସଫଳ ସାବ୍ୟସ୍ତ ହୋଇଥିବା କୁହାଯାଇଛି।
ଏହି ସମୟରେ ଅର୍ଥନୀତି ପରିଚାଳନା ଏବଂ ଅଭିବୃଦ୍ଧି ପାଇଁ ଅନେକ ଆହ୍ବାନ ଦେଖାଯାଇଥିଲା। ବିଶେଷକରି ପୁଞ୍ଜି ନିବେଶ, ବଜାର ସ୍ଥିତି, ପୁଞ୍ଜି ପ୍ରବାହ ଆଦିକୁ ନେଇ ନାନା ସମସ୍ୟା ଦେଖାଯାଇଥିଲା ବେଳେ ବର୍ଦ୍ଧିତ ମୁଦ୍ରାସ୍ଫୀତି ମଧ୍ୟ ଚିନ୍ତାଜନକ ଆଡକୁ ଗତି କରିଥିଲା। ତେବେ ଏହି ସମୟରେ ମୁଦ୍ରାନୀତିକୁ ଆଧାର କରି ଯେଉଁ ପଦକ୍ଷେପ ନିଆଯାଇଥିଲା ତାହା ଏହି ଆହ୍ବାନପୂର୍ଣ୍ଣ ତଥା କଠିନ ସମୟକୁ ମୁକାବିଲା କରିବା ଦିଗରେ ସଫଳ ହୋଇପାରିଥିଲା। ସେହିପରି ଦେଶର ଗଚ୍ଛିତ ମୁଦ୍ରା ଭଣ୍ଡାର ପରିଚାଳନା ଦିଗରେ ମଧ୍ୟ ରିଜର୍ଭ ବ୍ୟାଙ୍କ ଠିକଣା ସମୟରେ ଉଚିତ ପଦକ୍ଷେପ ନେଇଥିଲା। ଏହାବ୍ୟତୀତ ବିଗତ କିଛି ବର୍ଷ ମଧ୍ୟରେ ଦେଶର ସାମଗ୍ରୀକ ଅର୍ଥନୀତି ଏବଂ ବିକାଶ ଦିଗରେ ମଧ୍ୟ ଅନେକ ସଫଳତା ହାସଲ କରାଯାଇପାରିଛି ବୋଲି ଶ୍ରୀ ଦାଶଙ୍କୁ ସମ୍ମାନିତ କରାଯିବା ଅବସରରେ ସେଣ୍ଟ୍ରାଲ ବ୍ୟାଙ୍କ ପ୍ରକାଶନ ପକ୍ଷରୁ କୁହାଯାଇଛି। ବିଗତ ୧୦ ବର୍ଷ ମଧ୍ୟରେ ଭାରତର ଜିଡିପି ଅନ୍ୟୂନ ୯୦ ପ୍ରତିଶତ ବୃଦ୍ଧି ପାଇଛି।
ସେହିପରି ବ୍ୟକ୍ତି ପିଛା ଜିଡିପି ପୂର୍ବ ତୁଳନାରେ ୭୦ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ପ୍ରତ୍ୟେକ ଭାରତୀୟଙ୍କ ହାରାହାରି ଆୟ ପରିମାଣ ବାର୍ଷିକ ହାରରେ ୨୪୦୦ ଡଲାରରେ ପହଞ୍ଚିଛି। ଯାହାକି ୧୦ ବର୍ଷ ତଳେ ମାତ୍ର ୧୦୦୦ ଡଲାର ରହିଥିଲା ବୋଲି କୁହାଯାଇଛି। ଭାରତରେ ଦାରିଦ୍ର୍ୟ ଯଦିଓ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇ ନାହିଁ ତଥାପି ଜାତିସଂଘର ଆକଳନ ଅନୁସାରେ ବିଗତ ୧୫ ବର୍ଷ ମଧ୍ୟରେ ଏହି ହାର ୫୫ ପ୍ରତିଶତରୁ ୧୬ ପ୍ରତିଶତକୁ ହ୍ରାସ ପାଇଥିବା କୁହାଯାଇଛି। ସେହିପରି ଶ୍ରୀ ଦାଶଙ୍କ ନେତୃତ୍ବରେ ଭାରତରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ହାସଲ କରାଯାଇଛି। ୟୁପିଆଇ ମାଧ୍ୟମରେ ଭାରତ ସାରା ବିଶ୍ବରେ ସର୍ବବୃହତ ‘ ରିୟଲ ଟାଇମ ମାର୍କେଟ’ ଭାବେ ପ୍ରତିଷ୍ଠାଲାଭ କରିବା ସହିତ କେବଳ ୨୦୨୧ରେ ଏଠାରେ ୫୦ ବିଲିୟନ ରିଅଲ ଟାଇମ କାରବାର କରାଯାଇଛି। ୨୦୧୬ରେ ଭାରତରେ ଆରମ୍ଭ କରାଯାଇଥିବା ଡିଜିଟାଲ କାରବାର ବାର୍ଷିକ ହାରରେ ୧୬୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଦ୍ବାରା ସୂଚିତ କରାଯାଇଥିବା ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ କହିଛି।
ଅନ୍ୟପକ୍ଷରେ ଭାରତରେ କ୍ରିପ୍ଟୋ କରେନ୍ସି କାରବାରକୁ ପ୍ରୋତ୍ସାହିତ ନ କରି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ କରେନ୍ସିକୁ ଗୁରୁତ୍ବ ଦିଆଯିବା କ୍ଷେତ୍ରରେ ମଧ୍ୟ ଶ୍ରୀ ଦାଶଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି ବୋଲି ଏହି ପ୍ରକାଶନ ପକ୍ଷରୁ କୁହାଯାଇଛି। ସେହିପରି ବିମୁଦ୍ରାୟନ ଏବଂ ଜିଏସଟି ପ୍ରଚଳନ କ୍ଷେତ୍ରରେ ମଧ୍ୟ ତାଙ୍କର ଯଥେଷ୍ଟ ଭୂମିକା ରହିଥିଲା। ଉଲ୍ଲେଖଯୋଗ୍ୟ ଯେ, ୬୬ ବର୍ଷୀୟ ଶ୍ରୀ ଦାଶ ୨୦୧୮ରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଥÒଲେ। ଏହାପୂର୍ବରୁ ସେ ୨୦୧୪ରେ କେନ୍ଦ୍ର ରାଜସ୍ବ ସଚିବ ଭାବେ କାର୍ଯ୍ୟ କରିଥିଲେ।