ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁଭ୍ରାଂଶୁଙ୍କ ହାତ ଧରି ସାରା ଜୀବନ ଚାଲିବେ ଦେବସ୍ମିତା, ଯୁବପିଢିଙ୍କୁ ବୁଝାଇଲେ ପ୍ରେମର ପରିଭାଷା……

ଭୁବନେଶ୍ୱର : ପ୍ରେମ ସତ୍ୟ…ପ୍ରେମ ଶାଶ୍ୱତ….ପ୍ରେମ ଚିରନ୍ତନ। ଚଳଚ୍ଚିତ୍ର ଓ ନାଟକରେ ଏମିତି ଅନେକ ସଂଳାପ ରହିଛି। କିନ୍ତୁ ବାସ୍ତବ ଜୀବନରେ ଏମିତି ପ୍ରେମ ଖୁବ୍‌ ଦେଖିବାକୁ ମିଳୁଛି। ବର୍ତ୍ତମାନର ପ୍ରେମ କେବଳ ଟଙ୍କା,ଦେହର ସୁଖ ଆଗରେ ସୀମିତ ରହିଯାଇଛି। କେବଳ ସେତିକି ନୁହେଁ ପ୍ରେମରେ ପ୍ରତାରଣା ଏତେ ମାତ୍ରାରେ ବଢିଯାଇଛି ଯେ ପ୍ରେମ କରିବା ଆଗରୁ ଏବେ ବହୁବାର ଭାବିବାକୁ ପଡୁଛି। ମୁଁ ଯାହା କରୁଛି ଠିକ୍‌ କରୁଛି ତ? ମନ ଚାହୁଁଥିବା ମଣିଷ ମୋ ପାଇଁ ଠିକ୍‌ ହେବ ତ? ବର୍ତ୍ତମାନ ସମାଜରେ ଘଟୁଥିବା ଘଟଣା ମୋ ଜୀବନରେ ଘଟିବନି ତ? ଏମିତି କାହିଁ କେତେ କଣ ଭାବନା ମନକୁ ଆସିଯାଉଛି। ଆଉ ଏସବୁ ଆସିବା ବି ସ୍ବାଭାବିକ କାରଣ ଏବେ ପ୍ରତିଦିନ ଖବର କାଗଜ ଖେଳାନ୍ତୁ କି ଟିଭି ଖୋଲନ୍ତୁ ଦେଖିବେ ପ୍ରେମ ପ୍ରତାରଣ, ବିବାହ ବିଚ୍ଛେଦ ଓ ପ୍ରେମ ପାଇଁ ହତ୍ୟା ଭଳି ଘୃଣ୍ୟ ଘଟଣାମାନ। କିନ୍ତୁ ପ୍ରେମର ସଠିକ ଅର୍ଥ ଏବେ ଅର୍ଥହୀନ ହୋଇଯାଇଥିବା ବେଳେ ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ ବିଷୟରେ କହିବୁ ଯାହା ଶୁଣିବା ପରେ ଏବଂ ଫଟୋ ଦେଖିବା ପରେ ଆପଣ ବି କହିବେ ‘ଏହା ହିଁ ଅସଲ ପ୍ରେମ’

ଦୀର୍ଘ ୮ ବର୍ଷ ତଳର ଭଲ ପାଇବା। ୨୦୧୫ରେ ବାଲେଶ୍ବର ଖନ୍ତାପଡା ଅଞ୍ଚଳର ଶୁଭ୍ରାଂଶୁ ମହାପାତ୍ର ଓ ଦେବସ୍ମିତା ପଣ୍ଡା ଉଭୟ ଉଭୟଙ୍କୁ ଭଲ ପାଇବସିଥିଲେ। ପ୍ରଥମରୁ ଉଭୟଙ୍କ ମଧ୍ୟରେ ଭଲ ପାଇବାରେ ଭଲ ବୁଝାମଣା ରହିବା ସହ ଉଭୟ ସାତ ଜନ୍ମର ସାଥି ହୋଇ ରହିବେ ବୋଲି ଭାବି ନେଇଥିଲେ। କିନ୍ତୁ ସେତେବେଳେ ବୟସ ହୋଇନଥିବା କାରଣରୁ ଏବଂ ପାଠ ପଢାଚାଲିଥିବାରୁ ଅପେକ୍ଷା କରିରହିଲେ। ତା ପରେ ବି ସବୁ ଠିକ୍‌ଠାକ୍‌ ଚାଲିଥିଲା।

ହଠାତ୍‌ ୨୦୧୯ରେ ଏହି ପ୍ରେମୀଯୁଗଳଙ୍କ ପ୍ରେମରେ ଯେମିତି ଅମାବାସ୍ୟାର ଅନ୍ଧକାର ମାଡିଗଲା। ଯେଉଁ ଦେବସ୍ମିତାଙ୍କ ଦିନେ ପାଦରେ ପାଦ ଛନ୍ଦି ନିଜର ଓଡିଶୀ ନାଚରେ ଦର୍ଶକଙ୍କୁ ବିମୋହୀତ କରୁଥିଲେ। ସେହିପାଦ ହଠାତ ଅଟକି ଗଲା। ନିଜ କ୍ୟାରିୟର ସହ ପ୍ରେମର ଦୁନିଆରେ ନୂଆ ନୂଆ ଉଡିବା ସମୟରେ ପକ୍ଷାଘାତ(ପାରାଲେସିସ)ର ଶିକାର ହେଲେ ଦେବସ୍ମିତା। ଓଡ଼ିଶୀ ନାଚୁ ଥିବା ପାଦ ଅଟକିଗଲା। ଚନ୍ଦ୍ରରେ ଗ୍ରହଣ ଲାଗିବା ଭଳି ଦେବସ୍ମିତାଙ୍କ ଜୀବନରେ ବି ଗ୍ରହଣ ଲାଗିଗଲା । ହ୍ୱିଲ ଚେୟାର ପାଲଟିଗଲା ଦେବସ୍ମିତାଙ୍କ ଜୀବନର ସାଥୀ ।

  ‘ଯେଉଁଠି ଭଲ ପାଇବା ଥାଏ,ସେଠି କେବେ ସମୟ ଓ ପରିସ୍ଥିତି ପାଇଁ ସ୍ଥାନ ନଥାଏ’

 ‘ଯେଉଁଠି ପରିସ୍ଥିତି ଦେଖାଯାଏ,ସେଠି କେବେ ଭଲ ପାଇବା ହିଁ ନଥାଏ’

ବର୍ତ୍ତମାନ ଦୁନିଆରେ ଚାଲିଥିବା ଟଙ୍କା ଓ ଦେହର ସୁଖର ପ୍ରେମ ହୋଇଥିଲେ ପକ୍ଷାଘାତର ଶିକାର ଦେବସ୍ମିତା ହୁଏତ ଏକୁଟିଆ ହୋଇଯାଇଥାନ୍ତେ। ତାଙ୍କୁ ତାଙ୍କ ମନର ମଣିଷ ଶୁଭ୍ରାଂଶୁ ହୁଏତ କେବେ ଆପଣେଇ ନଥାନ୍ତେ। କିନ୍ତୁ ତାଙ୍କ ପ୍ରେମ ତ ସେମିତି ନଥିଲା। ତାଙ୍କ ‘ପ୍ରେମ ସତ୍ୟ…ପ୍ରେମ ଶାଶ୍ୱତ….ପ୍ରେମ ଚିରନ୍ତନ’ ଥିଲା। ସେଇଥି ପାଇଁ ତ ଦେବସ୍ମିତା ପକ୍ଷାଘାତର ଶିକାର ହେବା ଦିନଠୁ କେବେ କଥା ହେବା ବନ୍ଦ କରି ନଥିଲେ ଶୁଭ୍ରାଂଶୁ। ସର୍ବଦା ନିଜ ପ୍ରେମିକାଙ୍କୁ ଜୀବନରେ ଆଗକୁ ବଢିବାକୁ ପ୍ରେରଣା ଦେବା ସହ ନୂଆ ଜୀବନ ଆରମ୍ଭ କରିବାକୁ ସାହାସ ଦେଇଥିଲେ। ପ୍ରତିଟି ସମୟରେ ଶୁଭ୍ରାଂଶୁ ଦେବସ୍ମିତାଙ୍କୁ ପ୍ରେମର ପରିଭାଷା ବୁଝାଇଚାଲିଥିଲେ।

ଆଉ ଚଳିତ ମାସ ପ୍ରଥମ ସପ୍ତାହରେ ଏହି ପ୍ରେମୀ ଯୁଗଳଙ୍କ ୮ ବର୍ଷର ପ୍ରେମ ସାତ ଜନ୍ମର ବନ୍ଧନରେ ଆବଦ୍ଧ ହୋଇଛି। ବେଦ ମନ୍ତ୍ରର ଉଚ୍ଚାରଣରେ ଦେବସ୍ମିତାଙ୍କ ମଥାରେ ସିନ୍ଦୁର ଦେଇଛନ୍ତି ଶୁଭ୍ରାଂଶୁ। ବର କନ୍ୟା ଉଭୟ ବରଣମାଳାର ଅଦଳବଦଳ ବି କରିଛନ୍ତି। ଦୁଇଟି ମନର ମିଳନ ସହ ଦୁଇଟି ଆତ୍ମା ଏକାଠି ହୋଇଛି। ଆଉ ଶେଷରେ ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ଶୁଭ୍ରାଂଶୁ ସାତ ଫେରା ମଧ୍ୟ ନେଇଛନ୍ତି। ଶୁଭ୍ରାଂଶୁ ହ୍ୱିଲ ଚେୟାରରେ ବସିଥିବା ଦେବସ୍ମିତାଙ୍କୁ ଧରି ସାତ ଫେରା ନେବା ସହ କହିଛନ୍ତି ‘ମୋ ହାତ ଧରି ଚାଲୁଥା’। ଆଉ ସାତ ଜନ୍ମର ବନ୍ଧନରେ ବାନ୍ଦି ହେବାପରେ ଉଭୟ ବେଶ ଖୁସି ଅଛନ୍ତି। ଉଭୟ ସୋସିଆଲ ମିଡିଆରେ ନିଜର ବିବାହର ଫଟୋ ସେଆର କରିବା ସହ  ଭଲ ପାଇବା କଣ ତାହା ଆଜିର ଯୁବ ସମାଜକୁ ବୁଝାଇଦେଇଛନ୍ତି।

Leave A Reply

Your email address will not be published.