ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାମ୍ବାଦିକଙ୍କ ପୁଅର ମୃତଦେହ ଉଦ୍ଧାର ଘଟଣା, ୫ଜଣଙ୍କୁ ଉଠାଇ ନେଇ ପୁଲିସର ପଚରାଉଚରା

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗ ମୃତ୍ୟୁକୁ ନେଇ ଏବେବି ରହସ୍ୟ ଲାଗି ରହିଛି। ପୁଲିସର ତଦନ୍ତ ଯେତିକି ଆଗକୁ ବଢ଼ୁଛି ନୂଆନୂଆ କଥା ପଦାକୁ ଆସୁଛି। ପୁଲିସ ଏବେ ଜାଣିବାକୁ ପାଇଛି ମନୀଷର ମୃତ୍ୟୁ ରହସ୍ୟ ପାତ୍ରପଡ଼ାର ହୋଟେଲ ସାଉଥ୍‍ସିଟିରେ ଲୁଚି ରହିଛି। ଅଧିକ ତଦନ୍ତ ପାଇଁ ସୋମବାର ଇନ୍‍ଫୋସିଟି ଥାନା ପୁଲିସ ଉକ୍ତ ସାଉଥ୍‍ସିଟି୍‍ ହୋଟେଲକୁ ସିଲ୍‍ କରିଛି। କାରଣ ମନୀଷଙ୍କ ଶେଷ ଲୋକେସନ୍‍ ସାଉଥ୍‍ସିଟି ହୋଟେଲରେ ହିଁ ରହିଥିଲା। ବୈଷୟିକ ତଥ୍ୟ ପ୍ରମାଣ ଜାଣିବା ପାଇଁ ପୁଲିସ ଉକ୍ତ ହୋଟେଲରେ ଲାଗିଥିବା ସିସିଟିଭି ଯାଞ୍ଚ ପାଇଁ ଉକ୍ତ ହୋଟେଲରେ ଥିବା ହାର୍ଡଡିକ୍ସକୁ ଜବତ କରିଛି। ପୁଲିସ ଜାଣିବାକୁ ପାଇଛି ମନୀଷ ଯେଉଁ ସମୟରେ ଘରକୁ ଫୋନ୍‍ କରିଥିଲେ ସେହି ସମୟରେ ତାଙ୍କର ଲୋକେସନ୍‍ ଉକ୍ତ ହୋଟେଲ ଭିତରେ ହିଁ ରହିଥିଲା। ତେଣୁ ସନ୍ଦେହ କରାଯାଉଛି ଯେ, ଉକ୍ତ ହୋଟେଲରେ ମନୀଷଙ୍କ ଅପହରଣ କରାଯାଇ ରଖାଯାଇଥିଲା। ସେଠାରେ ହିଁ ଟଙ୍କା ପାଇଁ ତାଙ୍କୁ ମାର୍‍ଧର କରାଯାଇଛି। ମନୀଷଙ୍କ ମୃତଦେହ ମିଳିଥିବା ପୋଖରୀରୁ ସାଉଥ୍‍ସିଟି ହୋଟେଲ ଏକ କିଲୋମିଟର ଦୂର। ତେଣୁ ସେଠାକୁ କିଭଳି ଗଲେ ମନୀଷ। ତାହାକୁ ନେଇ ମଧ୍ୟ ପୁଲିସ ଯାଞ୍ଚ କରିଛି। ତାଙ୍କୁ କେହି ନିଶା ପିଆଇ ପୋଖରୀରେ ଠେଲି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ମନୀଷ ଥିଲେ ନିୟମିତ ଗ୍ରାହକ

ମନୀଷ ଥିଲେ ହୋଟେଲ ସାଉଥ୍‍ ସିଟିର ନିୟମିତ ଗ୍ରାହକ। ସେ ନିୟମିତ ଉକ୍ତ ହୋଟେଲକୁ ଆସନ୍ତି। ଅନେକ ସମୟରେ ସେ ସାଙ୍ଗମାନଙ୍କ ସହ ଆସିଥିବାରୁ ହୋଟେଲର କର୍ମଚାରୀ କହିଛନ୍ତି। ଶନିବାର ରାତିରେ ସେ ୩ଜଣ ସାଙ୍ଗମାନଙ୍କ ସହ ଆସିଥିଲେ। ସେ ବାର୍‍ରେ ସେ ମଦ ପିଇଥିଲେ। ହୋଟେଲ ବିଲ୍‍ ୧୬ ହଜାର ଟଙ୍କା ହୋଇଥିଲା। ତାହାକୁ ଦେବା ପରେ ରାତି ୪ଟା ସମୟରେ ସେ ନିଶାଗ୍ରସ୍ତ ଅବସ୍ଥାରେ ହୋଟେଲ ବାହାରକୁ ଯାଇଥିଲେ ବୋଲି ଉକ୍ତ ହୋଟେଲର କର୍ମଚାରୀ କହିଛନ୍ତି। ବାରରୁ ବାହାରିବା ସମୟରେ ସେ ଏକା ରହିଥିଲେ ବୋଲି ଜଣାପଡ଼ିଛି।

କିଏ ସେଇ ମହାନ୍ତି ବାବୁ

ପାତ୍ରପଡ଼ାର ସାଉଥ୍‍ସିଟି ରେସ୍ତୋରାଁ ଆଣ୍ଡ୍‍ ବାରରେ ହୋଇଥିଲା ମନୀଷ ହତ୍ୟାର ଷଡ଼ଯନ୍ତ୍ର। ମନୀଷ ଇନ୍‍ଫୋସିଟି ଗ୍ୟାଲାକ୍ସି ନିକଟରେ ନିଜର କାର୍‍ ରଖି ଦୁଇ ସାଙ୍ଗଙ୍କ ସହ ଅନ୍ୟ ଏକ କାରରେ ବସି ଉକ୍ତ ବାରକୁ ଆସିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୀଷ ଉକ୍ତ ବାରରେ ରହିଥିଲେ। ହେଲେ ସେ ଏକୁଟିଆ ଭୋର ୪ ପରେ ବାରରୁ ବାହାରି ଯାଇଥିଲେ। କିନ୍ତୁ ପରେ ମହାନ୍ତି ବୋଲି ଜଣେ ବ୍ୟକ୍ତି ତାଙ୍କ ସାଥୀରେ ନେଇଥିଲେ। ତେଣୁ କିଏ ସେହି ମହାନ୍ତି ବାବୁ ସେନେଇ ପୁଲିସ ଛାନ୍‍ଭିନ୍‍ କରୁଛି। ତେଣୁ ଯଦି ମନୀଷ ମହାନ୍ତି ବାବୁଙ୍କ ସହ ବାରରୁ ଗଲେ। ତେବେ ସେ କ’ଣ ଏହି ହତ୍ୟାର ଜଣେ ଅଭିଯୁକ୍ତ। ତେଣୁ ସବୁ ଦିଗକୁ ନେଇ ପୁଲିସ ଛାନ୍‍ଭିନ୍‍ କରୁଛି।

ଭିଡିଓ ଜରିଆରେ ହତ୍ୟା ଅଭିଯୋଗ

‘ମୋ ପୁଅକୁ ହତ୍ୟା କରାଯାଇଛି। ଭୋଜି କରିବାକୁ ଡାକି ସାଙ୍ଗମାନେ ତାଙ୍କୁ ମାରି ଦେଇଛନ୍ତି। ଭଗବାନ ଏଭଳି ସନ୍ତାନ ବିୟୋଗ ଦୁଃଖ ଆଉ କାହାକୁ ନଦିଅନ୍ତୁ’। ଗତକାଲି ପୁଅର ମୃତଦେହ ଉଦ୍ଧାର ପରେ ସୋମବାର ଭିଡ଼ିଓ ବାର୍ତ୍ତା କରି ଏଭଳି ଅଭିଯୋଗ ଆଣିଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାସ। ସେ କହିଛନ୍ତି ଯେ, ଭୋର ୪.୧୧ରେ ତା’ର ଶେଷ ଫୋନ୍‍ କଲ୍‍ ପାଇଥିଲି। ତାକୁ କିଏ ମାର୍‍ଧର କରିଥିବା କହୁଥିଲା। ଏହି କଥା ଶେଷ ପର୍ଯ୍ୟନ୍ତ ମୋ କାନରେ ଗୁଞ୍ଜରିତ ହେବ। ଏହା ପରେ ପୁଅ ମୃତ୍ୟୁ ଖବର ପାଇଲି। ହେଲେ ନିୟତିର କିଛି ଅଲଗା ଲେଖାଥିଲା ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ତେଣୁ ଆଇନ୍‍ ବ୍ୟବସ୍ଥା ଉପରେ ଭରସା ରହିଛି। ପୁଲିସ ହତ୍ୟାକାରୀଙ୍କୁ ଗିରଫ କରିବ ବୋଲି ନବୀନଙ୍କ ଆଶା ରହିଥିବା ସେ କହିଛନ୍ତି।

ଡିଏନ୍‍ ରେଗାଲିଆ ନିକଟରେ ହୋଇଥିଲା ଝଗଡ଼ା

ହୋଟେଲରୁ ବାହାରି ଆସିବା ପରେ ମନୀଷ ସାଙ୍ଗମାନଙ୍କ ସହ ଡିଏନ୍‍ ରେଗାଲିଆ ନିକଟକୁ ଆସିଥିଲେ। ସେଠାରେ କୌଣସି କାରଣ ନେଇ ସାଙ୍ଗମାନଙ୍କ ସହ ଝଗଡ଼଼ା ହୋଇଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ସେଠାରେ ମନୀଷଙ୍କୁ ହତ୍ୟା କରି ଉକ୍ତ ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେଣୁ କେଉଁ କାରଣ ପାଇଁ ଝଗଡ଼଼ା ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ। ମନୀଷଙ୍କ ସାଙ୍ଗଙ୍କୁ ପଚରାଉଚରା କଲେ ତାହା ସ୍ପଷ୍ଟ ହେବ।

ହୋଟେଲ କର୍ମଚାରୀ ସମେତ ୫ଅଟକ

ହୋଟେଲ ସାଉଥ୍‍ସିଟିରେ ମନୀଷ ହତ୍ୟାକାଣ୍ଡର ରହସ୍ୟ ଲୁଚି ରହିଛି। ତେଣୁ ପୁଲିସ ଏହାର ରହସ୍ୟ ଖୋଲିବା ପାଇଁ ଉକ୍ତ ହୋଟେଲର ଜଣେ କର୍ମଚାରୀ ଏବଂ ମନୀଷଙ୍କ ସାଙ୍ଗମାନଙ୍କୁ ଅଟକ ରଖିଛି। ହେଲେ ମନୀଷ ଇନ୍‍ଫୋସିଟି ଛକରୁ ଯେଉଁ ୨ଜଣ ସାଙ୍ଗ ସହ କାରରେ ଆସିଥିଲେ ସେମାନେ ଏପର୍ଯ୍ୟନ୍ତ ଧରାପଡ଼ି ନାହାନ୍ତି। ସେମାନଙ୍କୁ ଧରିବାକୁ ପୁଲିସ ଏବେବି ଚଢ଼ଉ ଜାରି ରଖିଛି। ଉକ୍ତ ଦୁଇ ଜଣ ଧରାପଡ଼ିଲେ ଏହି ହତ୍ୟାର କାରଣ ସ୍ପଷ୍ଟ ହେବ।

ନବୀନ ଦାସଙ୍କ ସହ କଥାହେଲେ ସିପି

ବରିଷ୍ଠ ସାମ୍ବାଦିକ ନବୀନ ଦାସ ପୁଅ ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଛନ୍ତି। ତେଣୁ କିଏ ତାଙ୍କୁ ହତ୍ୟା କଲା ନା ଅନ୍ୟ କାରଣ ପାଇଁ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଫୋନ୍‍ କରି ନବୀନ ଦାସଙ୍କ ସହ କଥା ହୋଇଛନ୍ତି। ଏହି ମାମଲାକୁ ସେ ଗୁରତର ସହ ନେଇଛନ୍ତି। ଏହି ହତ୍ୟା ପଛରେ ଯେଉଁମାନେ ଦୋଷୀ ସେମାନଙ୍କୁ ଖୁବ୍‍ଶୀଘ୍ର ଗିରଫ କରାଯିବ ବୋଲି ସିପି ପ୍ରତିଶ୍ରୁତି ଦେଇଥିବା ନବୀନ ଦାସ କହିଛନ୍ତି।

Leave A Reply

Your email address will not be published.