ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରକାରୀ ଅଧିକାରୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମରଦପଣିଆ, ନାଲି ଆଖି ସହ ଦେଲେ ମାଡ଼ ଧମକ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଦେଶର ପ୍ରଥମ ସେବକ ବୋଲି କହୁଛନ୍ତି। ନିଜକୁ ଜନତାଙ୍କ ଚୌକିଦାର ଭାବରେ ପରିଚିତ କରାଉଛନ୍ତି। ରାଜ୍ୟର ଜଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ବିଭିନ୍ନ ସମୟରେ ନିଜକୁ ରାଜ୍ୟବାସୀଙ୍କ ହଳିଆ ବୋଲି କହୁଛନ୍ତି। ମାତ୍ର ଏକଦା ସରକାରୀ କର୍ମଚାରୀ ଥିବା ତାଙ୍କରି ଦଳର ଜଣେ କନିଷ୍ଠ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନିଜକୁ ଜମିଦାର ମନେକରି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ହଳିଆ-ମୂଲିଆ ପରି ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଯୋଡ଼ାରେ ଅନୁଷ୍ଠିତ ସମୀକ୍ଷା ବୈଠକ କାଳରେ ମନ୍ତ୍ରୀ ଜଣେ ସରକାରୀ କର୍ମଚାରୀଙ୍କୁ ‘ମାଡ଼’ ମାରିବାକୁ ଧମକ ଦେବା ଏବଂ ‘କୁକୁର’ ସମ୍ବୋଧନ କରିବା ପରେ ବାରିପଦାରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଅଶାଳୀନ ଭାଷାରେ ଗାଳି କରିବା ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସରକାରୀ ଅଧିକାରୀଙ୍କ ପ୍ରତି ମନ୍ତ୍ରୀଙ୍କ ଏପରି ସୌଜନ୍ୟରହିତ ଆଚରଣକୁ ଓଡ଼ିଶା ପ୍ରଶାସନିକ ସେବା ସଂଘର ମୟୂରଭଞ୍ଜ ଶାଖା ନିନ୍ଦା କରିଛି। ମନ୍ତ୍ରୀଙ୍କ ମନ୍ତବ୍ୟରେ ଆହତ କର୍ମଚାରୀମାନେ କଳା ବ୍ୟାଜ୍‍ ପିନ୍ଧି ପ୍ରତିବାଦ ଜଣାଇଛନ୍ତି। ସୂଚନା ଅନୁସାରେ ଗତ ୯ ତାରିଖ ଶନିବାର ଦିନ ଶ୍ରୀ ଟୁଡ଼ୁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିଲେ। ତାଙ୍କ ଗସ୍ତ ନିମନ୍ତେ ବାରିପଦା ସର୍କିଟ ହାଉସର ୩ଟି କୋଠରି ସଂରକ୍ଷିତ ରଖାଯାଇଥିଲା। ମାତ୍ର ମନ୍ତ୍ରୀ ପହଞ୍ଚିବା ପରେ ଆହୁରି ୨ଟି କୋଠରୀ ନିମନ୍ତେ ମନ୍ତ୍ରୀ ଦାବି କରିଥିଲେ। ମାତ୍ର ସର୍କିଟ ହାଉସ କୋଠରୀ ମରାମତି ଚାଲିଥିବାରୁ ଆଉ ଦୁଇଟି କୋଠରୀ ଦିଆଯିବା ସମ୍ଭବ ହୋଇ ନ ଥିଲା। ଏହି ପ୍ରସଙ୍ଗକୁ ନେଇ ଶ୍ରୀ ଟୁଡ଼ୁ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତିଙ୍କୁ ଅତ୍ୟନ୍ତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

ମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କ ଏପରି ଆଚରଣ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କୁ ଆଘାତ ଦେଇଛି। ଏହାର ପ୍ରତିବାଦରେ ଜିଲାର ପ୍ରଶାସନିକ ଅଧିକାରୀମାନେ କଳାବ୍ୟାଜ୍‍ ପିନ୍ଧିବା ସହ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ସମବେତ ହୋଇ କେନ୍ଦ୍ରମନ୍ତ୍ରୀଙ୍କ ଆଚରଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ସମୟରେ ମନ୍ତ୍ରୀ ଉତ୍‍କ୍ଷିପ୍ତ ହୋଇ ନିଜ ପଦ ମର୍ଯ୍ୟାଦା ଭୂଲି ଅଧିକାରୀମାନଙ୍କ ପ୍ରତି ଅସାମ୍ବିଧାନିକ ଓ ଅଶାଳୀନ ଶବ୍ଦ ପ୍ରୟୋଗ କରିବାକୁ ନେଇ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ ନିଜ ଆଚରଣ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି। ପ୍ରତିବାଦ ସଭାରେ ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ବେହେରା, ଉଦଳା ଉପଜିଲ୍ଲାପାଳ ଭଗବାନ ବେହେରା, ଅତରିକ୍ତ ପ୍ରକଳ୍ପ ନିର୍ଦେଶକ ପ୍ରିୟବ୍ରତ ପାଢ଼ୀ, ଡ଼େପୁଟି କଲେକ୍ଟର ସୁଶ୍ରିତା ଟୁଡ଼ୁ, ସଂଗ୍ରାମ କୁମାର ଭୋଳ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଜୋନ୍‍ ଅଧିକାରୀଙ୍କ ସହ ୨୬ ବ୍ଲକର ବିଡ଼ିଓ ଓ ତହସିଲଦାରମାନେ ଯୋଗ ଦେଇଛନ୍ତି।

ଅନ୍ୟପକ୍ଷରେ ମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଞ୍ଚଳ ଗସ୍ତ ସମୟରେ ମଧ୍ୟ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଅତି କୁତ୍ସିତ ଭାଷାରେ ଗାଳି କରିଥିବା ଓ ତାଙ୍କ ଅନୁଗତମାନେ ସେଥିରେ ସ୍ୱର ମିଳାଇଥିବା ଅଭିଯୋଗ ହୋଇଥିଲା। ଏପରିକି ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ନେଇ ମଧ୍ୟ ସେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଏତାଦୃଶ ଆଚରଣକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ଯେଉଁ ଦଳର ଶୀର୍ଷ ନେତୃତ୍ୱ ନିଜକୁ ସେବକ ଭାବରେ ପରିଚୟ ଦେଉଛନ୍ତି, ସେହି ଦଳର କନିଷ୍ଠ ମନ୍ତ୍ରୀ ସରକାରୀ କର୍ମଚାରୀଙ୍କୁ ଅତି ଇତର ବ୍ୟବହାର କରିବାକୁ କିପରି ସାହସ କରୁଛନ୍ତି ବୋଲି ସାଧାରଣ ଜନତା ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି।

Leave A Reply

Your email address will not be published.