ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକୃତି ପ୍ରେମରେ ପଡ଼ି ପ୍ରାକୃତିକ ପରିବେଶକୁ ସୁରକ୍ଷା ଦେଉଛନ୍ତି ନିସ୍ୱାର୍ଥପର ସବୁଜ ଯୋଦ୍ଧା ସମାରୁ ମେଶ୍ୱା

ବଲାଙ୍ଗିର(ଅଭିଳାଷ ହୋତା): ଆମେ ଯେତେବେଳେ ଅଜାଣତରେ ପ୍ରକୃତିକୁ ନଷ୍ଟକରି ଚାଲିଛେ, ସେତେବେଳେ ଦୁନିଆରେ ଅନେକ ଅଛନ୍ତି ଯେଉଁମାନେ ପ୍ରକୃତି ପ୍ରେମରେ ପଡ଼ି ଗଛଲତା, ପାହାଡ଼ ଆଦି ପ୍ରାକୃତିକ ପରିବେଶକୁ ସୁରକ୍ଷା ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସେହିପରି ଜଣେ ନିସ୍ୱାର୍ଥପର ସବୁଜ ଯୋଦ୍ଧା ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଦାନିପାଲି ଗାଁର ଜଙ୍ଗଲ ମଣିଷ ସମାରୁ ମେଶ୍ୱା । ସମାରୁ ରାତିରେ ପରିବାର ସହ ସମୟ କାଟୁଥିବା ବେଳେ ସକାଳୁ ଜଙ୍ଗଲ ସହିତ ଜୀବନ କାଟିଥାନ୍ତି ।

ଗୋଟିଏ ହାତରେ କୁରାଢ଼ି ଆଉ ଏକ ହାତରେ ଏକ ଛୋଟ ବ୍ୟାଗ । ପାଟିରେ ହାତ ତିଆରି ବିଡ଼ି । କଳା ମୁହଁ ସାଙ୍ଗକୁ ଧଳା ପଡ଼ିଯାଇଥିବା ଚୁଟି । ଏ ଚେହେରା ବଲାଙ୍ଗିର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳ ବା ବଣଭୋଜୀ ସ୍ଥଳ ଗାଈଖାଇକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏକ ଚିହ୍ନା ମୁହଁ । ସେ ହେଉଛନ୍ତି ଆଗଲପୁର ବ୍ଲକ ଦାନିପାଲି ଗାଁର ସମାରୁ ମେଶ୍ୱା (୮୦) । ଭୋଜି କରିବାକୁ ଆସୁଥିବା ସମସ୍ତଙ୍କୁ ଭେଟି ଜଙ୍ଗଲ ସୁରକ୍ଷା କମିଟି ପାଇଁ ସହାୟତା ରାଶି ସଂଗ୍ରହ କରିଥାନ୍ତି । ସମାରୁ ଗତ ଦୁଇ ଦଶନ୍ଧି ହେଲା ଗାଈଖାଇ ଜଙ୍ଗଲ ସୁରକ୍ଷା କରିଆସୁଛନ୍ତି । ସକାଳ ହେଲେ ନିଜ ବ୍ୟାଗ ଓ କୁରାଢ଼ୀ ଧରି ଜଙ୍ଗଲ ଭିତରକୁ ପ୍ରବେଶ କରିଥାନ୍ତି । ଯିଏ ଦେଖିଲେ ସିଏ ଭାବିବ ଯେ ସମାରୁ ଗଛ କାଟିବାକୁ ଜଙ୍ଗଲକୁ ଯାଉଛନ୍ତି । କିନ୍ତୁ ସମାରୁଙ୍କୁ ଯିଏ ଚିହ୍ନିଛି ସେ ହିଁ ଜାଣିଛି ବୃଦ୍ଧ ଜଣକ ଗଛକୁ କେତେ ଭଲ ପାଆନ୍ତି । ସକାଳୁ ବାହାରିଲେ ସନ୍ଧ୍ୟା ପର୍ଯ୍ୟନ୍ତ ଜଙ୍ଗଲ ଭିତରେ ବୁଲି ପୁଣି ଘରକୁ ଫେରନ୍ତି । ତାଙ୍କର ଏଭଳି କାର୍ଯ୍ୟ ଦେଖି ବନ ବିଭାଗ ତରଫରୁ ହେଉଥିବା ବନୀକରଣ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା । ତାହା ବନ୍ଦ ହୋଇଯିବା ପରେ ଗାଈଖାଇ ଜଙ୍ଗଲ ସୁରକ୍ଷା କମିଟି ସାଲେଭଟା ପକ୍ଷରୁ ତାଙ୍କୁ ଜଙ୍ଗଲରେ ବୁଲିବା ଓ ଜଗିବା କାମରେ ନିୟୋଜିତ କରାଯାଇଛି । ମାସିକ ସାଢେ ତିନିହଜାର ଟଙ୍କାର ସ୍ୱଳ୍ପ ପାରିଶ୍ରମିକ ପାଉଥିବା ବେଳେ ତାହା ପରିବାରକୁ ଦେଇଥାନ୍ତି । ପୁଅ ଝିଅ ଉଭୟ ବାହା ହୋଇସାରିଥିବା ବେଳେ ଜଙ୍ଗଲ ହିଁ ତାଙ୍କ ଜୀବନ ବୋଲି ସେ କୁହନ୍ତି । ତେବେ ତାଙ୍କୁ ବନ ବିଭାଗରୁ କୌଣସି ସହାୟତା ପ୍ରଦାନ ସହ କିଛି ପାରିଶ୍ରମିକ ପ୍ରଦାନ କଲେ ବୟସର ଅପରାହ୍ଣରେ ତାଙ୍କ ପାଇଁ ଏକ ବଡ ପୁରସ୍କାର ହେବ ବୋଲି ସମାରୁ କହିଛନ୍ତି ।

Leave A Reply

Your email address will not be published.