ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆପଣ କେଉଁ ଦଳର…

ରୁହନ୍ତୁ…ରୁହନ୍ତୁ.. ମୁଁ ଜାଣେ, ଆପଣ ଭାବି ସାରିଲେଣି ଯେ, ନିଶ୍ଚିତ ଭାବେ ଏହା ଏକରାଜନୈତିକ ପ୍ରଶ୍ନ। ହଁ, ଏବେ ଏବେ ନିର୍ବାଚନର ପରିବେଶ ଯେପରି, ଆପଣ ଏପରି ଭାବିବାଟା ଅତ୍ୟନ୍ତ ସ୍ୱାଭାବିକ କଥା। ହେଲେ ଆଜ୍ଞା, ମୁଁ କିଏ ଆଉ ରାଜନୀତି କିଏ…! ଚଷା କି ଜାଣେ ପଶାର କଥା! ରାଜନୀତି ପରି ଗହନ ପାଠରେ ମୁଣ୍ଡ ପୂରେଇବାକୁ, ଆମପରି ମଳିମୁଣ୍ଡିଆଙ୍କ ମୁଣ୍ଡରେ ମସଲା କାଇଁ? ହଉ, ଏଥର ଆସୁଚି ସିଧା ସିଧା ବିଷୟ ଉପରକୁ।

ଏକଦା ଅରଣ୍ୟରେ ଲାଗିଗଲା ନିଅାଁ। ଶୁଖିଲା ପତ୍ରଗୁଡ଼ିକ ହୂତହୂତ ହୋଇ ଜଳି ଉଠିଲେ। ନିଅାଁର ଭାଇ ପବନ କହିଲା, ରହ ଭାଇ ତୁ ଏକା ପାରିବୁ ନାହିଁ। ଯୋଡ଼ାକୁ ଘୋଡ଼ା ସରି ନୁହେଁ। ଦୁହେଁ ମିଶିଲେ ଏ ଅରଣ୍ୟକୁ ମୁହୂର୍ତ୍ତରେ ଦେବା ପାଉଁଶ କରି। ବାସ୍‌‌ ସମଗ୍ର ଅରଣ୍ୟରେ ନିଅାଁ ବ୍ୟାପିଗଲା। କେତେକ ଜୀବଜନ୍ତୁ ଜୋର୍‌‌ରେ ଦୌଡ଼ି ନିଅାଁଠାରୁ ଯଥେଷ୍ଟ ଦୂରକୁ ଚାଲିଗଲେ। ଯେଉଁମାନେ ପଳାୟନ କରିବାକୁ ଅକ୍ଷମ ଥିଲେ ସେମାନେ ବିଚରା ଜୀବନ ହାରିଲେ। କିନ୍ତୁ ହାତ ମୁଠା ଏଡ଼ିକିକୁନି ଚଢ଼େଇଟିଏ ଡେଣା ମେଲି ଉଡ଼ି ଯାଉଥିଲା ଓ ନିକଟରେ ଥିବା ନଦୀରେ ବୁଡ଼ ମାରି ନିଜ ଡେଣାରେ ପାଣି ଆଣି ଝାଡ଼ି ଦେଉଥିଲା ନିଆଁ ଲାଗିଥିବା ସ୍ଥାନରେ। ଜଙ୍ଗଲ ଛାଡ଼ି ନିଜ ଦଳ ସହିତ ପଳାଉ ଥିବା ହାତୀ ଦଳର ଦଳପତି, ବଡ଼ ଦନ୍ତା ହାତୀଟି ସେଇ ଚଢ଼େଇକୁ ବାରମ୍ୱାର ଏପରି କରୁଥିବାର ଦେଖି ପଚାରିଲା, ଟିକି ଚଢ଼େଇ, ତୁ କ’ଣ ଭାବୁଚୁ ତୋର ଏଇ ଟିକି ଡେଣାରେ ଆଣିଥିବା ପାଣିରେ ଏ ବିରାଟ ଅରଣ୍ୟର ନିଆଁ ଲିଭି ଯାଇପାରିବ? ଟିକି ଚଢ଼େଇ ନିଜ ଟିକି ମୁଣ୍ଡଟିକୁ ବୁଲେଇ ଚାହିଁ କହିଲା, ନା ମହାରାଜ ମୋ ଟିକି ଡେଣାରେ ଏତେ ଶକ୍ତି କାହିଁ ଯେ ଏଇ ଅରଣ୍ୟର ନିଆଁ ଲିଭାଇ ପାରିବ, କିନ୍ତୁ ମତେ ଯେତେବେଳେ ଅରଣ୍ୟ ଦେବତା ପଚାରିବେ ଅରଣ୍ୟରେ ନିଅାଁ ଲାଗି ଥିଲା ବେଳେ ତୁ କେଉଁ ଦଳରେ ଥିଲୁ? ଅରଣ୍ୟର ନିଅାଁରେ ନିଜକୁ ଝାସ ଦେଇଥିବା ଦଳରେ ନା ଅରଣ୍ୟ ଛାଡ଼ି ପଳାୟନ କରିବା ଦଳରେ ନା ନିଅାଁ ଲିଭାଇବାରେ ସାହାଯ୍ୟ କରିବା ଦଳରେ? ମୁଁ ତାଙ୍କୁ ଖୁସିରେ କହି ପାରିବି ଯେ ପ୍ରଭୁ ମୁଁ ନିଅାଁ ଲିଭାଇବା ଦଳରେ ଥିଲି। ଏହା ଶୁଣି ହାତୀଙ୍କ ଦଳପତି କ୍ଷଣେ ରହିଗଲା। ମନେ ମନେ ବିଚାର କଲା ଟିକି ଚଢ଼େଇଟିର ଏପରି ମହତ୍‌‌ ଭାବନା! ବାସ୍‌‌ ଦଳପତିଙ୍କ ନିର୍ଦ୍ଦେଶରେ ପ୍ରାୟ ପଚାଶ ସରିକି ହାତୀ ନିଜ ଶୁଣ୍ଢରେ ନଦୀରୁ ପାଣି ନେଇ ଅରଣ୍ୟର ନିଆଁ ଲିଭାଇବା ପାଇଁ ଉଦ୍ୟମ କଲେ।

ଏହା ତ ଥିଲା କାହାଣୀ ଟିଏ। ଆସନ୍ତୁ କହିବି ସତ କଥାଟିଏ। ନିକଟରେ ବାଣୀବିହାର ରାସ୍ତା ଦେଇ ଗଲା ବେଳେ କିଛି ସମୟ ପାଇଁ ଗୋଟିଏ ଔଷଧ ଦୋକାନରେ ଅଟକି ଥିଲି। ଷଣ୍ଢଟିଏ ଛୋଟେଇ ଛୋଟେଇ ପଛ ଗୋଡ଼ ଘୋଷାରି ଘୋଷାରି ଚାଲି ଥାଏ। ତାକୁ ଦେଖି ଦୁଃଖ ତ ଲାଗିଲା, କିନ୍ତୁ କରେ କ’ଣ! ବୁଲା ଷଣ୍ଢକୁ ଭୟ କାହାର ନାହିଁ ଯେ! ଯେଡ଼େ ଯେଡ଼େ ଶିଙ୍ଗ ହୋଇଛି ଉଠେଇ କଚାଡ଼ି ଦେଲେ କାମ ସରିଲା। ଅଗତ୍ୟା କେବଳ ଦୁଃଖ କରିବା ଛଡ଼ା ଆଉ ଅନ୍ୟ ଉପାୟ ନଥିଲା। ଏଇ ସମୟରେ ଦେଖିଲି ଦରଦୀ ପିଲାଟିଏକୁ। ସ୍କୁଟିରେ ବସି ଆଗକୁ ଚାଲି ଯାଉ ଯାଉ ହଠାତ୍‌‌ ସେ ଫେରି ଆସିଲା। ଷଣ୍ଢର ପିଠିକୁ ଧୀରେ ଧୀରେ ଆଉଁସି ଦେଲା। ଷଣ୍ଢ ବି ରହିଯାଇ ତାକୁ ସତେଯେମିତି ବିକଳ ହୋଇ ଚାହିଁ କିଛି କହିବାକୁ ଚାହୁଁଥିଲା। ପିଲାଟି ଟିକେ ନଇଁ ଯାଇ ଷଣ୍ଢର ପଛ ଗୋଡ଼ରେ ଜୋର୍‌‌ରେ ଗଣ୍ଠି ପଡ଼ି ଯାଇଥିବା ପଲିଥିନ୍‌‌ଟିକୁ ଛିଣ୍ଡାଇ ଦେଇ ନିଜ ପାଣି ବୋତଲରୁ ପାଣି ଢାଳି ଖଣ୍ଡିଆଟିକୁ ଧୋଇ ଦେଲା। ଆଉ ଦୋକାନରୁ ମଲମ ଟିକେ ନେଇ ସେଇ ଖଣ୍ଡିଆ ଦେହରେ ଲଗାଇ ଚାଲି ଗଲା ବେଳକୁ ମୁଁ ପଚାରିଲି, ତୁମକୁ ଡର ଲାଗିଲା ନାହିଁ। ସେ ହସି ଦେଇ କହିଲା, ଡର ଲାଗିଲା ଯେ, କିନ୍ତୁ ତା’କୁ ଭାରି କଷ୍ଟ ହେଉଥିଲା, ସେ ଚାଲି ପାରୁ ନଥିଲା ତ…। ମୁଁ ତା’କୁ ଆଉ କିଛି ପଚାରି ଥା’ନ୍ତି, କିନ୍ତୁ ସେ ‘ମୋର ପରୀକ୍ଷା ଅଛି ଡେରି ହେଇଗଲାଣି, ମୁଁ ଆସୁଚି’ କହି ଚାଲିଗଲା। ମୁଁ ଚାହିଁ ରହିଥିଲି ତା’ର ବାଟକୁ। ଆଉ ହୃଦୟ ମୋର ଆନନ୍ଦରେ ପୁଲକିତ ହୋଇ ଉଠୁଥିଲା ଯେ ଆଜି ବି ଈଶ୍ୱରଙ୍କ ଦୟାରୁ ମଣିଷପଣିଆ ଟିକିଏ ସ୍ୱଳ୍ପ ହେଲେ ବି କେତେକଙ୍କ ହୃଦୟରେ ଅଛି ବୋଲି।

ଆମେ ସାଧାରଣ ମଣିଷମାନେ ନିଜ ନିତିଦିନିଆ କାମ ସହିତ ନିଜ ଜୀବନ ପାଇଁ, ନିଜ ଜୀବିକା ପାଇଁ, ନିଜ ସଉକ ପାଇଁ କିଛି ନା କିଛି କାମ କରୁଥାଏ। ମାତ୍ର କାମ କରିବା ପଛରେ ଥିବା ଆମ ଭାବନାଟି ଆମ ଚରିତ୍ରର ପରିଚୟ ପ୍ରଦାନ କରେ। କିଛିଲୋକ ଜୀବନକୁ ବୋଝଟିଏ ପରି ବୋହି ଚାଲିଥା’ନ୍ତି। କିଛିଲୋକ ଜୀବନ ଜିଇଁବାର କଥା ବୋଲି ଜିଇଁଥା’ନ୍ତି। ଆଉ କିଛିଲୋକ ଜୀବନକୁ ଉତ୍ସବଟିଏ ପରି ପାଳନ କରିଥା’ନ୍ତି। ଏପରି ଲୋକମାନେ ସମାଜ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ରୂପେ ହୋଇଥା’ନ୍ତି ଉଭା। ନିଜେ ନିଜ ଜୀବନ ଜିଇଁବା ସହିତ ଅନ୍ୟକୁ ଜୀବନ ଜିଇଁବାର କଳା ଶିଖେଇ ଦେଇଥା’ନ୍ତି। ସେଇ ସମାନ୍‌‌ କଥାକୁ ସେମାନେ ଦେଖନ୍ତି ଭିନ୍ନ ଦୃଷ୍ଟିଭଙ୍ଗୀ ନେଇ। ଉପରୋକ୍ତ କାହାଣୀଟି ହେଉ ବା ହେଉ ଆଖି ଦେଖା ସତ କଥାଟି, ଅନେକ୍‌‌ଗୁଡ଼ିଏ ଜୀବଜନ୍ତୁଙ୍କ ଭିଡ଼ରେ ଟିକି ଚଢ଼େଇଟି ଓ ଅସଂଖ୍ୟ ଲୋକଙ୍କ ଭିଡ଼ ଭିତରେ ସେଇ ଯୁବକଟି ଓ ସେମାନଙ୍କ ମହତ୍‌‌ ବିଚାର ଧାରା ହିଁ ସେମାନଙ୍କୁ ଭିଡ଼ରୁ ଅଲଗା କରିଦିଏ। ଆଜି ଯେତେବେଳେ ମୁଁ ଆଉ ମୋରର ବନ୍ଧନୀ ଭିତରେ ମଣିଷ ନିଜକୁ ସୁରକ୍ଷିତ ରଖି ଚରମ ସ୍ୱାର୍ଥପର ପାଲଟି ଯାଇଚି, ସେତେବେଳେ ନିସ୍ୱାର୍ଥପରତାର ଦଳରେ ଏହିପରି କେତେକ ହାତଗଣତିଙ୍କୁ ଛାଡ଼ି ଦେଲେ ଆଉ କେହି ନାହାନ୍ତି। ଯେତେବେଳେ ଗୀତା ଉପରେ ହାତ ଥୋଇ ମିଛ କହିଲେ ପଇସା ମିଳେ, ସେତେବେଳେ ସତ୍ୟର ଦଳରେ ରହିବାକୁ ଚାହିଁବ କିଏ କାହିଁକି! ପୁଣି ସତ୍ୟର ପଥ ଯେ କଣ୍ଟକିତ, ପ୍ରତି ପଦକ୍ଷେପରେ ବିପଦ ବରଣ କରିବାର ଆଶଙ୍କା। ଆଉ ରହିଲା ବିଶ୍ୱାସର କଥା। ଆଜି ଯେତେବେଳେ ଛୁଆଟି ମା’ ପେଟରେ ଥାଇ ଚିନ୍ତା କରୁଛି ଯେ, ମୁଁ ଜନ୍ମ ହେଲେ ମା’ ମତେ ଆଦରରେ କୋଳେଇ ନେବ ନା ବଣ ବୁଦା କଡ଼ରେ ଫୋପାଡ଼ି ଦେବ, ସେତେବେଳେ ‘ବିଶ୍ୱାସ’ ପରି ଶବ୍ଦଟି ଉପରେ ବିଶ୍ୱାସ ରହୁ ନାହିଁ। ଆଜି ପାଣିରେ ବିଷ, ପବନରେ ବିଷ, ଖାଦ୍ୟରେ ବିଷ, ବିଶ୍ୱାସରେ ବି ବିଷ। ସ୍ୱାମୀ ସ୍ତ୍ରୀକୁ, ସ୍ତ୍ରୀ ସ୍ୱାମୀକୁ, ଭାଇ ଭଉଣୀକୁ, ବାପା ପୁଅକୁ ଅବିଶ୍ୱାସ କରିବାକୁ ସତେ ଯେପରି ବାଧ୍ୟ ହୋଇଯାଇଚି। ସତେଯେପରି ‘ବିଶ୍ୱାସ’ ନାମକ ଚିଜଟି ଉପରେ କୁକୁର ନାମକ ପ୍ରାଣୀଟି ଏକଚାଟିଆ ଅଧିକାର କରିବାକୁ ବସିଛି।

ଅବଶ୍ୟ ଦାମିକା ଲୁଗାପଟା ପିନ୍ଧି, ଦାମିକା ଅତର ଢାଳି ଦାମିକା ଗାଡ଼ିରେ ବୁଲୁଥିବା ଲୋକେ ଦାମିକା ମନଟିଏ ଯେ ରଖିଥିବେ ଏପରି ଭାବିବା ମୂର୍ଖାମୀ କେବଳ। ଏବେ ଆମ ପୃଥିବୀରେ ଏପରି ଗରିବ ଲୋକଙ୍କ ସଂଖ୍ୟା ବଢ଼଼ି ଚାଲିଛି, ଯେଉଁମାନଙ୍କ ନିକଟରେ ଧନ ଛଡ଼ା ଆଉ କିଛି ନାହିଁ। କିନ୍ତୁ ବାପ ଧନ ଯେଉଁ ମାଲିକଙ୍କ ନିର୍ଦ୍ଦେଶରେ ତୁମେ ଏଠାକୁ ଆସିଛ ସଞ୍ଜ ନଇଁଲେ ଯାଇ ସେଇ ମାଲିକଙ୍କୁ ଉତ୍ତର ଦେବାକୁ ହେବ। ସତ୍ୟର ସାକ୍ଷୀ ହେଲୁ ନା ସତ୍ୟ ଜାଣିଥିବା ସତ୍ତ୍ବେ ଅସତ୍ୟର? ସାହାଯ୍ୟ କରିବାର ଶକ୍ତି ଥିବା ବେଳେ ମୁହଁ ମୋଡ଼ି ଚାଲି ଆସିଲୁ ନା ଅନ୍ୟକୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ନିଜ ଦେହରେ ଥିବା ଚିରା ଜାମାଟି ଖୋଲି ପିନ୍ଧାଇ ଦେଲୁ? କେହି ତୋ ଉପରେ ରଖିଥିବା ବିଶ୍ୱାସକୁ ସମ୍ମାନ ଦେଲୁ ନା ବିଶ୍ୱାସରେ ମିଶାଇଲୁ ବିଷ? କହ ତୁ କେଉଁ ଦଳରେ ଥିଲୁ? ସତ୍ୟ ନା ଅସତ୍ୟର? ବିଶ୍ୱାସ ନା ଅବିଶ୍ୱାସର? ସ୍ୱାର୍ଥ ନା ନିଃସ୍ୱାର୍ଥର? ଉତ୍ତର ତ ଦେବାକୁ ହେବ। ଆଉ ନଦେଇ ପାରିବେ ଯଦି ପରିଣାମ ଆପଣଙ୍କୁ ଭଲ ଭାବେ ଜଣା। କେବଳ ଗୋଟିଏ କଥା ମନେ ରଖିବାକୁ ହେବ ଯେ ମତେ ସେହି ପରମଶକ୍ତି ପଠାଇଛନ୍ତି ନିଶ୍ଚିତ ଭାବେ କୌଣସି ମହତ୍‌‌ ଉଦ୍ଦେଶ୍ୟ ନେଇ। ମୋ ଦ୍ୱାରା ଯେପରି କୌଣସି ମନ୍ଦ କର୍ମ ନ ହୋଇ ଯାଏ, ସେତକ କରୁଣା କରନ୍ତୁ ସେହି କରୁଣାକର।

ଛନ୍ଦା ମିଶ୍ର
ଭୁବନେଶ୍ୱର, ମୋ:୯୪୩୭୪୫୩୬୧୦

Leave A Reply

Your email address will not be published.