ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନରେ ‘ନୋଟା’ର ଗୁରୁତ୍ବ

ଗଣତନ୍ତ୍ରରେ ସାଧାରଣ ନିର୍ବାଚନ ପ୍ରକ୍ରିୟାର ବିଶେଷତ୍ୱ ହେଉଛି ଦେଶର ପ୍ରତ୍ୟେକ ନାଗରିକ ତଥା ଭୋଟ ଜରିଆରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବାର ଅଧିକାର। ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଧିକାର, ଯାହା ପ୍ରତ୍ୟେକ ନାଗରିକଙ୍କୁ ସମ୍ୱିଧାନ ଦ୍ୱାରା ଦିଆଯାଇଛି। ଉକ୍ତ ଅଧିକାର ଏକ ସକାରାତ୍ମକ ଭାବନାରୁ ଜନ୍ମ ହୋଇଛି ଯେ ସାଧାରଣ ନାଗରିକମାନେ ମଧ୍ୟ ଦେଶର ନେତୃତ୍ୱ ସମାନ ଭାବରେ ନିର୍ଣ୍ଣୟ କରିବା ଉଚିତ୍‌‌। ଏହାର ଅର୍ଥ ହେଉଛି ପ୍ରାର୍ଥୀ ଚୟନ କରିବା, ପ୍ରତ୍ୟାଖ୍ୟାନ ନୁହେଁ। ଏହା ସତ୍ତ୍ବେ ଯଦି ଜଣେ ଭୋଟର ନିର୍ବାଚନ କ୍ଷେତ୍ରର ସମସ୍ତ ପ୍ରତିଯୋଗୀ ତଥା ପ୍ରାର୍ଥୀଙ୍କୁ ଅଯୋଗ୍ୟ ବୋଲି ବିବେଚନା କରିବାକୁ ଚାହାନ୍ତି, ତେବେ ତାଙ୍କ ନିକଟରେ କେବଳ ଦୁଇଟି ବିକଳ୍ପ ବାକି ରହିଥାଏ। ପ୍ରଥମତଃ, ସେ ଭୋଟ୍‌‌ ଦେବାକୁ ଯିବେ ନାହିଁ କିମ୍ୱା ଇଭିଏମ୍‌‌ରେ ନାପସନ୍ଦ ସାବ୍ୟସ୍ତ କରିବାର ବ୍ୟବସ୍ଥାକୁ ଉପଯୋଗ କରିବେ। ଏହି ପରିପ୍ରେକ୍ଷୀରେ ‘ନୋଟା’ (ନନ୍‌‌ ଅଫ୍‌‌ ଦି ଏବୋଭ) ବିଷୟରେ ଆଲୋଚନା ପ୍ରାସଙ୍ଗିକ ଅଟେ। ଏହା ‘ପ୍ରତ୍ୟାଖ୍ୟାନର ଅଧିକାର’ (ରାଇଟ୍‌‌ ଟୁ ରିଜେକ୍ଟ) ଅଧୀନରେ ଭୋଟରମାନଙ୍କ ନିମନ୍ତେ ଏକ ବିକଳ୍ପ ବ୍ୟବସ୍ଥା ଅଟେ। ନିର୍ବାଚନ ପ୍ରକ୍ରିୟାରେ ଯଦି ଜଣେ ଭୋଟର କୌଣସି ପ୍ରାର୍ଥୀ ତାଙ୍କର ପସନ୍ଦ ନୁହନ୍ତି କିମ୍ୱା କାହାକୁ ମଧ୍ୟ ଭୋଟ୍‌‌ ଦେବାକୁ ଚାହୁଁନାହାନ୍ତି, ତେବେ ସେ ‘ନୋଟା’ ଲେଖାଥିବା ବଟନ୍‌‌ ଟିପି ନିଜର ମତାଧିକାର ସାବ୍ୟସ୍ତ କରିପାରିବେ।

ଓଡ଼ିଆରେ ‘ନୋଟା’ର ଅର୍ଥ ହେଉଛି ‘ଉପରୋକ୍ତ ମଧ୍ୟରୁ କେହି ନୁହେଁ’। ଅର୍ଥାତ୍‌‌ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କୌଣସି ଜଣେ ମଧ୍ୟ ଯୋଗ୍ୟ ନୁହନ୍ତି। କିନ୍ତୁ ନିର୍ବାଚନ ପ୍ରକ୍ରିୟାରେ ‘ନୋଟା’ ଏକ ଭୌତିକ ପ୍ରାର୍ଥୀ ନୁହେଁ। ନିର୍ବାଚନ ପ୍ରାର୍ଥୀ ଯେକୌଣସି ହାଡ଼, ମାଂସ ଏବଂ ରକ୍ତଧାରୀ ବ୍ୟକ୍ତି ହୋଇଥା’ନ୍ତି। ଏପରି ପରିସ୍ଥିତିରେ କାହାକୁ ଭୋଟ୍‌‌ ନ ଦେବା ଅଧିକାର ଅଧୀନରେ ‘ନୋଟା’ର ଅସ୍ତିତ୍ୱ ଏକ ଅପାର୍ଥିବ ତଥା କଳ୍ପିତ ବିକଳ୍ପ ଅଟେ। ଯାହା ମାଧ୍ୟମରେ ପ୍ରତ୍ୟାଖ୍ୟାନର ଯଥାର୍ଥତା ନିର୍ଣ୍ଣୟ ହୋଇପାରିବ ନାହିଁ। ଅଧିକନ୍ତୁ, ଏହା ବ୍ୟକ୍ତିଗତ ଚୟନର ଧାରଣା ବଜାୟ ରଖିବା ସହିତ ଏକ ଚୟନକର୍ତ୍ତାଙ୍କ ପରିଚୟକୁ ସୁରକ୍ଷା ଦେଇଥାଏ।

ସର୍ବପ୍ରଥମେ ୧୯୭୬ ମସିହାରେ ଆମେରିକାରେ କାଲିଫର୍ଣ୍ଣଆ ରାଜ୍ୟର ସାଣ୍ଟାବାର୍ବାରା ଜିଲ୍ଲାର ମ୍ୟୁନିସିପାଲିଟି ସୂଚନା ପରିଷଦରେ ‘ନୋଟା’ କାର୍ଯ୍ୟକାରୀ କରାଯାଇଥିଲା। ଭାରତରେ ପିୟୁସିଏଲ ମଧ୍ୟ ‘ନୋଟା’ ଲାଗୁ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲା। ମାନ୍ୟବର ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିଥିଲେ ଏବଂ ତାଙ୍କର ନିର୍ଦ୍ଦେଶକ୍ରମେ ପ୍ରାଥମିକ ପର୍ଯ୍ୟାୟରେ ୨୦୧୩ ମସିହାରେ ଛତିଶଗଡ଼, ମିଜୋରାମ, ରାଜସ୍ଥାନ ଓ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ ନିର୍ବାଚନ ଆୟୋଗ ‘ନୋଟା’ କାର୍ଯ୍ୟକାରୀ କରିଥିଲେ। ଏହି ପରିପ୍ରେକ୍ଷୀରେ, ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ‘ନୋଟା’କୁ ମଧ୍ୟ ଏକ ପ୍ରାର୍ଥୀ ଭାବରେ ବିବେଚନା କରାଯିବା ଉଚିତ କି’ ନୁହେଁ? ଆଜି ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ‘ନୋଟା’କୁ ଏକ କାଳ୍ପନିକ ପ୍ରାର୍ଥୀ ଭାବରେ ବିବେଚନା କରିଛନ୍ତି, ତେଣୁ ଏହାର କେବଳ ସାଙ୍କେତିକ ଗୁରୁତ୍ୱ ରହିଛି। ସେଥିରେ ଦିଆଯାଇଥିବା ଭୋଟ୍‌‌ ନିର୍ବାଚନ ଫଳାଫଳକୁ ସିଧାସଳଖ ପ୍ରଭାବିତ କରେ ନାହିଁ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ‘ନୋଟା’ର ଧାରଣା ମୂଳତଃ ଏକ ନକାରାତ୍ମକ କିମ୍ୱା ବିରକ୍ତିକର ଚିନ୍ତାଧାରାରୁ ଜନ୍ମ ହୋଇଥିଲା। କିନ୍ତୁ ଆଉ କେତେକ ମହଲ ‘ନୋଟା’କୁ ‘ପ୍ରତ୍ୟାଖ୍ୟାନ କରିବାର ଅଧିକାର’ ଅଧୀନରେ ପୂର୍ଣ୍ଣ ପ୍ରାର୍ଥୀର ମାନ୍ୟତା ଦେବାକୁ ଦାବି କରୁଥିବା ଦେଖାଯାଉଛି। ଜଣେ ସୁପରିଚିତ ପ୍ରେରଣାଦାୟକ ବକ୍ତା ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି ଯେ ‘ନୋଟା’କୁ ମଧ୍ୟ ପ୍ରକୃତ ପ୍ରାର୍ଥୀ ଭାବରେ ବିବେଚନା କରାଯିବା ଉଚିତ। ଯଦି ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରନ୍ତି, ତେବେ ଆଗକୁ ଅନେକ ସ୍ଥାନରେ ପ୍ରାର୍ଥୀ ଏବଂ ‘ନୋଟା’ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ମଧ୍ୟ ରହିଛି।

୨୦୨୧ ମସିହାରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ପଚାରିଥିଲେ ଯେ ଏକ ନିର୍ବାଚନରେ ଯଦି ‘ନୋଟା’ରେ ସର୍ବାଧିକ ସଂଖ୍ୟକ ଭୋଟ୍‌‌ ପଡ଼ିଥାଏ ତେବେ ସେ କ୍ଷେତ୍ରରେ ନିର୍ବାଚନରେ ଭାଗ ନେଇଥିବା ସମସ୍ତ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ ବା ପରାଜିତ ଘୋଷଣା କରାଯାଇପାରିବ କି? ୨୦୨୨ ମସିହାରେ ଦିଲ୍ଲୀ ରାଜ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ଯେ ଯଦି ‘ନୋଟା’ ସର୍ବାଧିକ ଭୋଟ୍‌‌ ହାସଲ କରେ ତେବେ ଫଳାଫଳ ତୁରନ୍ତ ଘୋଷିତ ହେବ ନାହିଁ। ଉକ୍ତ ରିପୋର୍ଟକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବ। ତା’ପରେ ରାଜ୍ୟ ନିର୍ବାଚନ ଆୟୋଗ ଆସନ ସମ୍ୱନ୍ଧୀୟ ନୂତନ ନିର୍ବାଚନ ଘୋଷଣା କରିବେ। ଏହି ପରିପ୍ରେକ୍ଷୀରେ, ଏକ ପ୍ରସ୍ତାବ ହିସାବରେ ଏହା କୁହାଯାଇପାରେ ଯେ ଯଦି ନୋଟା ସର୍ବାଧିକ ସଂଖ୍ୟକ ଭୋଟ୍‌‌ ଗ୍ରହଣ କରେ ତେବେ ସେହି ନିର୍ବାଚନମଣ୍ଡଳୀରେ ନୂତନ ଏବଂ ନୂତନ ପ୍ରାର୍ଥୀଙ୍କ ସହିତ ପୁନଃ ନିର୍ବାଚନ ଅନୁଷ୍ଠିତ ହେବା କଥା କିମ୍ୱା ସେହି ନିର୍ବାଚନମଣ୍ଡଳୀ ରାଜ୍ୟପାଳଙ୍କ ଦ୍ୱାରା ଶାସିତ ହେବା ଉଚିତ୍‌‌। ନୈତିକତା ଓ ରାଜନୈତିକ ସ୍ୱଚ୍ଛତା ଦୃଷ୍ଟିକୋଣରୁ ପୁନଃ ନିର୍ବାଚନ କରିବା ବେଳେ ‘ନୋଟା’ ଯୋଗୁଁ ହାରିଥିବା ରାଜନୈତିକ ଦଳଗୁଡ଼ିକର ପ୍ରାର୍ଥୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ (ଉଦାହରଣ ସ୍ୱରୂପ, ୫ ବର୍ଷ) ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆ ନ ଯିବା ଉଚିତ।

ଭୋଟରଙ୍କ ମଧ୍ୟରେ ‘ନୋଟା’ ବିଷୟରେ ଏକ ସାମାନ୍ୟ ଧାରଣା ଥିଲା। କିନ୍ତୁ ମଧ୍ୟପ୍ରଦେଶରେ ୨୦୧୮ ମସିହାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଭୋଟର ପାର୍ଥକ୍ୟ ଏକ ପ୍ରତିଶତରୁ କମ୍‌‌ ଥିଲା। ଏହା ଅପେକ୍ଷା ‘ନୋଟା’ ଅଧୀନରେ ଅଧିକ ଭୋଟ୍‌‌ ପଡ଼ିଥିଲା। ଯଦି ଉକ୍ତ ଭୋଟ୍‌‌ କୌଣସି ଗୋଟିଏ ଦଳର ସପକ୍ଷରେ ଯାଇଥା’ନ୍ତା, ତେବେ ସେହିଦଳ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥା’ନ୍ତା। ୨୦୧୪ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ‘ନୋଟା’ର ବ୍ୟବସ୍ଥା କରାଯାଇଥିଲା। ମୋଟ ଭୋଟର ୧.୦୮ ପ୍ରତିଶତ ‘ନୋଟା’ ଅଧୀନରେ ପଡ଼ିଥିଲା। କିନ୍ତୁ ୨୦୧୯ ରେ ପୂର୍ବ ଅପେକ୍ଷା ନୋଟାର ଅଂଶ ୧.୦୬ ପ୍ରତିଶତକୁ ଖସି ଆସିଥିଲା। ଏହା ଦେଖିବାକୁ ବାକି ରହିଲା ଯେ ଚଳିତ ବର୍ଷ ସାଧାରଣ ନିର୍ବାଚନରେ କେତେ ଲୋକ ନୋଟା ପସନ୍ଦ କରୁଛନ୍ତି। ଯଦି ଏହି ଅଂଶ ସମୟକ୍ରମେ, ଅଧିକରୁ ଅଧିକ ବଢ଼଼ିବାରେ ଲାଗେ ତେବେ ରାଜନୈତିକ ଦଳଗୁଡ଼ିକ ପାଇଁ ଏହା ଏକ ବଡ଼ ବିପଦ ତଥା ନକାରାତ୍ମକ ସଙ୍କେତର ଘଣ୍ଟି ସାଜିପାରେ।

‘ନୋଟା’କୁ ଭାରତୀୟ ଗଣତନ୍ତ୍ରର ପରିପକ୍ୱତା ବୋଲି ବର୍ଣ୍ଣନା କରାଯାଇପାରେ। ଆଜି ଦେଶର ପ୍ରତ୍ୟେକ ନାଗରିକ ନିଜର ଅସନ୍ତୋଷ ବ୍ୟକ୍ତ କରିବାକୁ ‘ନୋଟା’ ବ୍ୟବସ୍ଥାକୁ ଏକ ବିକଳ୍ପ ଭାବେ ଗ୍ରହଣ କରୁଛନ୍ତି। ନାଗରିକମାନେ ଗଣତାନ୍ତ୍ରିକ ଭାବରେ ବିରୋଧ କରିବାକୁ ନିଷ୍ପତ୍ତି ନେବାରେ ‘ନୋଟା’ ଏକ ଅସ୍ତ୍ର ସାଜିଛି। ଉଦାହରଣ ସ୍ୱରୂପ ବାସଗୃହ, ସଡ଼କ, ବିଦ୍ୟୁତ୍‌‌, ସ୍ୱାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ଆଦି ଭଳି ମୌଳିକ ଆବଶ୍ୟକତା ପୂରଣ କରିବାରେ ସରକାରଙ୍କ କ୍ରମାଗତ ବିଫଳତା ବିରୋଧରେ ‘ନୋଟା’ ଏକ ଶକ୍ତିଶାଳୀ ଅସ୍ତ୍ର।

‘ନୋଟା’ର ସକାରାତ୍ମକ ବିନ୍ଦୁ ହେଉଛି, ଆଗାମୀ ସମୟରେ ରାଜନୈତିକ ଦଳଗୁଡ଼ିକ ସ୍ୱଚ୍ଛ ପୃଷ୍ଠଭୂମିକୁ ଆଧାର କରି ପ୍ରାର୍ଥୀମାନଙ୍କୁ ନିର୍ବାଚନ ଲଢ଼ିବା ନିମନ୍ତେ ନିର୍ଣ୍ଣୟ କରାଯିବା ଦିଗରେ ବେଶ୍‌‌ ସତର୍କତା ଅବଲମ୍ୱନ କରିବେ। ନିର୍ବାଚନରେ ବିଜୟ ଲାଭ କରୁଥିବା ପ୍ରାର୍ଥୀମାନେ ଦେଶର ସାଧାରଣ ସଭାର ଅଂଶ ହୁଅନ୍ତି। ତେଣୁ ଆପରାଧିକ କିମ୍ୱା ଅନୈତିକ ତଥା ବିବାଦୀୟ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ’କରିବା ଆବଶ୍ୟକ ବୋଲି ରାଜନୈତିକ ଦଳଗୁଡ଼ିକ ଚିନ୍ତା କରିବେ। ଜଣେ ନାଗରିକ ସ୍ୱାଧୀନ ପ୍ରାର୍ଥୀ ହେବା ନିମନ୍ତେ ମଧ୍ୟ ଚାରିତ୍ରିକ ଆତ୍ମବିଶ୍ଳେଷଣ ଓ ଯୋଗ୍ୟତା ଭିତ୍ତିକ ଆତ୍ମସମୀକ୍ଷା ନିଶ୍ଚେ କରିବେ। ଏହାଫଳରେ ଦେଶର ସମଗ୍ର ରାଜନୈତିକ ପରିସ୍ଥିତିରେ ଏକ ନାଟକୀୟ ପରିବର୍ତ୍ତନ ସମ୍ଭବ ହୋଇପାରିବ ଏବଂ ଦେଶରେ ଏକ ସ୍ୱଚ୍ଛ ରାଜନୈତିକ ତଥା ଗଣତାନ୍ତ୍ରିକ ପରିବେଶ ସୃଷ୍ଟି କରିବାରେ ‘ନୋଟା’ ବଡ଼ ଭୂମିକା ଗ୍ରହଣ କରିପାରିବ।

ରାକେଶ ପଣ୍ଡା
ଟାଙ୍ଗୀ(କଟକ), ମୋ: ୯୩୩୭୮୯୭୬୫୦

Leave A Reply

Your email address will not be published.