ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୈଶବର କଞ୍ଚାମାଟି ଓ ଦେଶର ଭବିଷ୍ୟତ

ଏଇ ନିକଟରେ ବସ୍‌‌ରେ ଆସୁଥିଲା ବେଳେ ଗୋଟିଏ ସମୟରେ, ଗୋଟିଏ ପରିବେଶରେ, ସମାନ୍‌‌ ପରିସ୍ଥିତିରେ ଦୁଇଟି ଭିନ୍ନ ଦୃଶ୍ୟ ଅନ୍ତରକୁ କଲା ଆନ୍ଦୋଳିତ। ମୋ ଆଗ ସିଟ୍‌‌ରେ ନିଜ ବର୍ଷେ ଦେଢ଼ ବର୍ଷର ଶିଶୁ ପୁତ୍ର ସହିତ ମହିଳା ଜଣେ ବସିଥିଲେ ଓ ପଛ ସିଟରେ ବସିଥିଲେ ଗୋଟିଏ ଦମ୍ପତି, ନିଜ ଦୁଇ ବର୍ଷର ଶିଶୁ କନ୍ୟାଟି ସହିତ। ଉଭୟ ଶିଶୁ ଥିଲେ ଚଳଚଞ୍ଚଳ ସାଧାରଣ ଶିଶୁମାନଙ୍କ ପରି। କିନ୍ତୁ ଆଗରେ ବସିଥିବା ମାଆଟି, ଛୁଆକୁ ହେଇ ବାଇ ଚଢ଼େଇ…, କାଉ… ଆରେ ଜହ୍ନ ମାମୁଁ… ଆଦି କହି ଅତ୍ୟନ୍ତ ଧୈର୍ଯ୍ୟର ସହ ସମ୍ଭାଳି ଥିଲା ବେଳେ ପଛରେ ବସିଥିବା ଦମ୍ପତି ଥିଲେ ଖୁବ୍‌‌ ଅଧୈର୍ଯ୍ୟ। କଥା କଥାକେ ଶିଶୁ କନ୍ୟାଟି ଉପରେ ବସୁଥିଲା ବିଧା। ଛୁଆଟି ଚିର୍‌‌ ଚିରେଇ କରି ରଡ଼ି ଛାଡ଼ୁଥିଲା। ଇଚ୍ଛା ହେଉଥିଲା ସେମାନଙ୍କ କୋଳରୁ ପିଲାଟିକୁ ଛଡ଼େଇ ଆଣନ୍ତି! କିନ୍ତୁ ତା’ ତ ସମ୍ଭବ ନୁହେଁ…। ଲାଗୁଥିଲା, ପିଲା ବାପା ମାଆଙ୍କଠାରୁ ଯଦି ଧୈର୍ଯ୍ୟ ଓ ସହନଶୀଳତା ନ ଶିଖିଲେ ତେବେ ଶିଖିବେ କାହାଠୁ!

କୁମ୍ଭାର ଚକ ଘୁରୁଛି। ମାଟି ମେଞ୍ଚାଏ କେମିତି ସୁନ୍ଦର ମାଠିଆରେ ପରିଣତ ହେଉଛି ଦେଖି କୁମ୍ଭାରର କୁନି ପୁଅଟି ଭାବୁଛି, ‘ମାଠିଆ ତିଆରି କରିବା ଏଡ଼େ ସହଜ! ପାଣି ହାତ କରି ମାଟିରେ ମାରିଲେ ହେଲା।’ ବାପା କୌଣସି କାମରେ ଟିକେ ଉଠି ଆସିଲା ଯେମିତି, ବାପା ସ୍ଥାନରେ ପୁଅ ବସି ପଡ଼ି ପାଣି ମାରି ମାଠିଆ ତିଆରି କରିବାକୁ ଚେଷ୍ଟା କରି ବଙ୍କା ତେଢ଼ା କରି ଯାହା ତିଆରି କଲା, ତାହା କୌଣସି କାମରେ ଲାଗିବ ନାହିଁ। ବାପା ଫେରି ଆସି ପୁଅ ତିଆରି ଥିବା କଞ୍ଚା ମାଠିଆକୁ ପୁଣି ମାଟିରେ ମିଶାଇ ଆଉ ଥରେ ଗଢ଼ିଲେ। ଏହା ମାଟି ଥିଲା ବୋଲି ସିନା ଚଳିଗଲା। କିନ୍ତୁ ତାହା ଯେତେବେଳେ ଜୀବନ ସହିତ ଘଟେ…!

ଅଧିକ ପଢନ୍ତୁ

ଆଜି ଖବରକାଗଜ ଖୋଲି ଦେଲା ମାତ୍ରେ, କଅଁଳ କଢ଼ିଗୁଡ଼ିଏ ଅକାଳରେ ଝଡ଼ି ଯିବାର ଦେଖି ମନ ହୋଇ ଉଠେ ବିଚଳିତ। କେହି ପ୍ରେମ ପାଇଁ, କେହି ପାଠ ପାଇଁ, କେହି ପିତା ମାତା ବା ଶିକ୍ଷକଙ୍କ ଗାଳି ଶୁଣି, କେହି ବା ସାଙ୍ଗ ସାଥିଙ୍କ ଟାହିଟାପରା ସହି ନ ପାରି ଆତ୍ମହତ୍ୟା ପରି ଅବାଟଟିଏ ବାଛି ନେବାକୁ ଉଚିତ୍‌‌ ମଣୁଛନ୍ତି। ଏଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଅଭିଭାବକମାନେ। କୁହାଯାଏ, ଆତ୍ମହତ୍ୟା ହେଉଛି ମହାପାପ। ଯିଏ ଏପରି ପନ୍ଥା ଅବଲମ୍ୱନ କରେ, ସେ କାଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅତୃପ୍ତ ହୋଇ ଘୂରି ବୁଲୁ ଥାଏ। ତାହା ତ ଗୋଟିଏ ଭିନ୍ନ ପ୍ରସଙ୍ଗ। ସେ ବିଷୟରେ ଆତ୍ମା ଓ ପରମାତ୍ମା ଉପରେ ଜ୍ଞାନ ଥିବା ଲୋକେ ହିଁ କହିପାରିବେ। ତେବେ ଯିଏ ଚାଲିଗଲା ସେ ତ ଚାଲିଗଲା। କିନ୍ତୁୁ ଯେଉଁ ବାପାମା’ଙ୍କୁ ଛାଡ଼ିଗଲା, ସେମାନେ ବଞ୍ଚି ଥାଉ ଥାଉ ପାଲଟିଗଲେ ଜୀଅନ୍ତା ଶବ। ନା କହି ପାରନ୍ତି ନା ସହି ପାରନ୍ତି। ପୁଣି ଯେଉଁ ପରି ବିକଳ ପରିସ୍ଥିତି ଉପୁଜିଲାଣି, ଏହି ସମସ୍ୟାଟି ଆଗକୁ ଆହୁରି ଗୁରୁତର ହେବାକୁ ଯାଉଛି।

ଜୀବନ ଯେତେବେଳେ ଜୀବନ ଉପରୁ ଆଶା ଛାଡ଼ି ଦିଏ, ସେତେବେଳେ ହିଁ ମରଣକୁ ଆଲିଙ୍ଗନ କରିବାକୁ ସହଜ ମଣେ। ମାତ୍ର ଯିଏ ଜୀବନ ଦେଇଚି, କେବଳ ତା’ର ହିଁ ଜୀବନ ନେବାର ଅଧିକାର ରହିଛି। ଆହୁରି ଯେଉଁମାନଙ୍କ ମାଧ୍ୟମରେ ଜୀବନଟି ଭୂମ୍ରି ହୋଇଛି, ସେମାନଙ୍କର କ’ଣ ଜୀବନଟି ଉପରେ କୌଣସି ଅଧିକାର ନାହିଁ! ସେମାନଙ୍କ ଆଖିରେ ଲୁହ ଦେଇ, ଅନ୍ତରରେ କୋହ ଦେଇ ହୃଦୟକୁ ରକ୍ତାକ୍ତ କରିବାର କ୍ଷମତା ପିଲାଙ୍କର ଥାଏ କି?

ଏଥିସହିତ ପଢ଼ନ୍ତୁ

ତେବେ ଆମେ ସମସ୍ତେ ଭଲ ଭାବେ ଜାଣେ ଯେ ମନ ଭିତରେ ଆଶାଟିଏ ରହିବା ଯେତିକି ଜରୁରୀ, ଆଶାଟିଏ ନିରାଶାରୁ ହତାଶାରେ ପରିଣତ ହେବା ପୂର୍ବରୁ ନିଜକୁ ସମ୍ଭାଳି ନେବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ଅଧିକ ସତର୍କ ହେବାକୁ ପଡ଼ିବ ଅଭିଭାବକଙ୍କୁ।
ଆମେ ନିଜର ସାମାନ୍ୟ ସ୍ୱାର୍ଥ ପାଇଁ ନିଜ ଯୌଥ ପରିବାରଗୁଡ଼ିକୁ ଭାଙ୍ଗି ପକାଇଲେ, ଯାହା ସବୁଠାରୁ ବେଶି କ୍ଷତି କଲା ଶିଶୁର ଶୈଶବ, ଯୁବାଙ୍କ ଯୌବନ ଓ ବୃଦ୍ଧଙ୍କ ବାର୍ଦ୍ଧକ୍ୟକୁ। ଯେଉଁ ବାର୍ଦ୍ଧକ୍ୟ ନାତିନାତୁଣୀଙ୍କ କଳରବ ଓ ଥଟ୍ଟା ମଜାରେ ଅବସର ସମୟର ଆନନ୍ଦ ଲୁଟିବା କଥା, ସେ ଆଜି ନିଃସଙ୍ଗ, ସ୍ମୃତିଭ୍ରମ ପରି ରୋଗରେ ହନ୍ତସନ୍ତ। ତାଙ୍କଠାରୁ ଅଧିକ କ୍ଷତି ସହୁଛି ଶୈଶବ ଓ ଯୌବନ। ବାର୍ଦ୍ଧକ୍ୟର ଅମୂଲ୍ୟ ଅଭିଜ୍ଞତା ଯେଉଁ ଶିଶୁ ଓ ଯୁବାଙ୍କୁ ଜୀବନ ଜିଇଁବାର ପ୍ରେରଣା ଯୋଗାଇ ଦିଅନ୍ତା, ତାହାକୁ ଆମେ ହେୟଜ୍ଞାନ କରି ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛୁ। ଯେଉଁ ବୟସରେ ପିଲାଏ, ଜେଜେଙ୍କ ହାତର ବଙ୍କୁଲୀ ବାଡ଼ି ସାଜିବା କଥା, ଜେଜେମା’ର ପାନ ଡାଲା ଓ ଗପ ଗୀତ ମଧ୍ୟରେ ଜୀବନ ଜିଇଁବାର କଳା ହାସଲ କରିବା କଥା, ସେ ସମୟରେ ମୋବାଇଲଟି ତାଙ୍କ ହାତରେ ଅନଲାଇନ ପାଠ ସହିତ ଅନେକ୍‌‌ଗୁଡ଼ିଏ ନ ଶିଖିବା ଶାଠକୁ ଶିଖେଇ ଦେଉଛି। ଅଭିଭାବକମାନେ ନିଜ ତଥାକଥିତ ସ୍ୱାଧୀନତା ଆଳରେ ପିଲାଙ୍କୁ ଏହି ମହାର୍ଘ ଅନୁଭବରୁ କରୁଛନ୍ତି ବଞ୍ଚିତ।

ଆଜି ପ୍ରାୟ ଘରେ ଗୋଟିଏ ବା ଅତି ବେଶୀରେ ଦୁଇଟି ପିଲା। ସେମାନେ ଲୋଡ଼ିବା ଆଗରୁ ତାଙ୍କ ନିକଟରେ ସବୁ ଚିଜ ପହଁଚି ଯାଉଚି। ପିତାମାତାଙ୍କର ସନ୍ତାନ ପାଇଁ ସମୟ ନାହିଁ। ହଁ ସମୟ ବଦଳରେ ଆଉ ସବୁ ଚିଜ ସେମାନେ ଖଞ୍ଜି ଦେଇଛନ୍ତି ପିଲା ପାଇଁ। ସେମାନେ ଖାଦ୍ୟ ନିକଟକୁ ନୁହେଁ, ବରଂ ଖାଦ୍ୟ ତାଙ୍କ ନିକଟକୁ ଯାଉଚି। ଭୋକ ନଥିଲା ବେଳେ ଖାଦ୍ୟ ଖାଇଲେ ତାହା ବଦହଜମୀ କଲା ପରି ଆବଶ୍ୟକତା ପୂର୍ବରୁ ପିଲା ସବୁକିଛି ପାଇ ଯାଉଥିବାରୁ ତାହା ତାକୁ ମନ ମୋଟିଆ କରି ଦେଉଛି। ପିଲା ହେଉଛି ଅହଙ୍କାରୀ। ତା’ ହିସାବରେ ସବୁକିଛି ହେବ ବୋଲି ତା’ ମନରେ ଧାରଣା ବସା ବାନ୍ଧୁଛି। ସେ କାହା ସହିତ କୌଣସି ଚିଜ ବାଣ୍ଟିବା ଶିଖୁ ନାହିଁ। ଅନ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରଖିବାରେ ହେଉଛି ଅସଫଳ। କିନ୍ତୁ ପୂର୍ବରୁ ଯୌଥ ପରିବାର ଆମକୁ ଘର ଭିତରୁ ହିଁ ସମସ୍ତଙ୍କ ସହିତ କିପରି ତାଳମେଳ ରଖିହେବ ତାହା ଶିକ୍ଷା ଦେଉଥିଲା। କେବଳ ଜିନିଷ ବାଣ୍ଟିବା ନୁହେଁ, ଅନୁଭବ ଓ ଅନୁଭୂତି ବାଣ୍ଟିବା ପାଇଁ ସେଠି ମିଲୁଥିଲା ପ୍ରେରଣା। ସାଧାରଣତଃ ପିଲା ହେଉଛି ଅନୁକରଣ ପ୍ରିୟ। କହି କରି, ପିଟି କରି ଆପଣ ଯାହା ଶିଖେଇ ନ ପାରିବେ, ସେ ଦେଖି କରି ଶିଖିବ ତା’ଠାରୁ ଅଧିକ। ତେଣୁ ଜେଜେଙ୍କର ପେପର ପଢ଼଼ା, ଜେଜେମା’ର ଠାକୁର ପୂଜା ଓ କାହାଣୀ ପେଡ଼ି, ବଡ଼ବାପାଙ୍କ ବଗିଚା କାମ, ବଡ଼ ମା’ଙ୍କ ଫୁଲ ଗୁନ୍ଥା… ଏମିତି ଛୋଟ ଛୋଟ କଥାଗୁଡ଼ିକ ତା’ ଜୀବନକୁ ବେଶ୍‌‌ ଅନୁଭୂତି ପ୍ରଦାନ କରେ। ଆଉ ଆପଣଙ୍କ ପୋଥି ବାଇଗଣଠାରୁ ସେମାନଙ୍କ ବାଡ଼ି ବାଇଗଣର ଅଭିଜ୍ଞତା ତା’ ଉପରେ ସକାରାତ୍ମକ ପ୍ରଭାବ ବିସ୍ତାର କରେ।

ଗଛଟିଏ ଉପରକୁ ଯେତେ ଯେତେ ଅଧିକ ବଢ଼େ ସେତେ ସେତେ ମାଟିକୁ ନିଜ ଚେର ଦ୍ୱାରା ଜାବୁଡ଼ି ଧରେ। ଯେତେ ଅଧିକ ଜାବୁଡ଼ି ଧରେ, ବାଆ ବତାସ ପାଇଁ ତା’ର ନଥାଏ ଡର। ଫୁଲଫଳରେ ସେ ଲଦି ହୋଇ ପଡ଼େ ସେତିକିବେଳେ, ଯେତେବେଳେ ତା’ର ଚେର ଥାଏ ସୁସ୍ଥ, ସବଳ ଓ ମାଟି ସହିତ ସୁସମ୍ପର୍କରେ। ଅନ୍ୟଥା ରୋଗୀଣା ଚେର ଗଛ ପାଇଁ ସାଜେ ପ୍ରାଣଘାତୀ। ଠିକ୍‌‌ ସେମିତି ଆମର ଚେର ହେଉଛି ଆମ ପ୍ରଥା, ପରମ୍ପରା, ସଂସ୍କୃତି ତଥା ଆମ ସୁସମୃଦ୍ଧ ପାରିବାରିକ ଜୀବନ। ଏହା ଯେତେ ସୁଦୃଢ଼ ହେବ ପିଲାଏ ମାନସିକ ସ୍ତରରେ ହେବେ ସେତେ ଶକ୍ତିଶାଳୀ। ପିଲାଙ୍କୁ ସ୍ନେହ, ଶ୍ରଦ୍ଧା ଓ ଭାଇଚାରାର ପରିବେଶଟିଏ ଯୋଗାଇ ଦେବା ପ୍ରତ୍ୟେକ ପିତାମାତାଙ୍କର ଗୁରୁ ଦାୟିତ୍ୱ ଓ ପରମ କର୍ତ୍ତବ୍ୟ। ନୋହିଲେ କଞ୍ଚା ହାତ ଦ୍ୱାରା କଞ୍ଚା ମାଟିରେ ଯେଉଁ କଞ୍ଚା ମଣିଷଟି ତିଆରି ହେବ, ସାମାନ୍ୟ ଆଘାତରେ ତାହା ଭାଙ୍ଗି ହେବ ଚୁର୍‌‌ମାର ହୋଇଯିବ – ଏଥିରେ କୌଣସି ସନ୍ଦେହ ନାହିଁ।

ଛନ୍ଦା ମିଶ୍ର
ଭୁବନେଶ୍ୱର, ମୋ: ୯୪୩୭୪ ୫୩୬୧୦

Leave A Reply

Your email address will not be published.