ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାର ଅଭିନବ ଆଦିବାସୀ ବିକାଶ ଯୋଜନା

ଆମ ଆଦିବାସୀଙ୍କ ଅନନ୍ୟ ସଂସ୍କୃତି ହିଁ ସେମାନଙ୍କର ପ୍ରକୃଷ୍ଟ ପରିଚୟ। ଆଦିବାସୀ ସମାଜ ଏବଂ ପ୍ରକୃତି ମଧ୍ୟରେ ବନ୍ଧନ ଚିରନ୍ତନ। କିନ୍ତୁ ସେହି ପ୍ରାକୃତିକ ଉପାଦାନଗୁଡ଼ିକ ଆଜି ଆଧୁନିକତା ଓ ବିକାଶର ସ୍ପର୍ଶରେ ପ୍ରଦୂଷିତ ହୋଇସାରିଥିବାରୁ ଆଦିବାସୀ ସଂସ୍କୃତିର ସମୃଦ୍ଧି, ବିବିଧତା ଏବଂ ମୌଳିକତା କ୍ଷୁଣ୍ଣ ହେବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର ସାମୂହିକ ବିକାଶ ପାଇଁ ଆଦିବାସୀମାନଙ୍କର ବାଧ୍ୟତାମୂଳକ ବିସ୍ଥାପନ ଯୋଗୁଁ ଆଦିବାସୀ ଗବେଷକ ଭେରିଅର୍ ଏଲୱିନ୍ ଏବଂ ମାଇକେଲ କର୍ନିଆଙ୍କ ପରି ପ୍ରସିଦ୍ଧ ନୃତତ୍ତ୍ବବିତ୍‌ମାନଙ୍କ ଭାଷାରେ “ସାଂସ୍କୃତିକ ଅସନ୍ତୋଷ” ସୃଷ୍ଟି ହୋଇଥିବା ଦୃଷ୍ଟିଗୋଚର ହେଉଛି। କେନ୍ଦ୍ର ସରକାର ଆଦିବାସୀମାନଙ୍କ ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପ ପ୍ରଣୟନ କରି ଆସିଛନ୍ତି। ଆକାଂକ୍ଷୀ ଜିଲ୍ଲା ବିକାଶ ଯୋଜନାରେ ମଧ୍ୟ ଆଦିବାସୀଙ୍କ ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି। କିନ୍ତୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ମୁଖ୍ୟତଃ କାର୍ଯ୍ୟକାରୀ ହେଉଥିବା ପିଏମ୍ଭିଡିୱାଇ-ଟ୍ରାଇଫେଡ୍ ଆଦି ଯୋଜନାରେ ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ସଂରକ୍ଷଣ ତୁଳନାରେ ସେମାନଙ୍କ ହସ୍ତକଳା ଓ ହସ୍ତଶିଳ୍ପର ବାଣିଜ୍ୟକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମାତ୍ର ସେଗୁଡ଼ିକ “ୱାନ ସାଇଜ଼ ଫିଟ୍ସ ଅଲ’’ ଆଭିମୁଖ୍ୟ ଆଧାରିତ ହୋଇଥିବା ଯୋଗୁଁ ସ୍ଥାନୀୟ ଆଦିବାସୀ ସଂସ୍କୃତିର ପରିପନ୍ଥୀ ବୋଲି ଅଭିଯୋଗ ହେଉଛି।

ଅପରପକ୍ଷରେ ସମ୍ପ୍ରତି ଓଡ଼ିଶା ସରକାର ଆଦିବାସୀ ସଂସ୍କୃତିର ସଂରକ୍ଷଣ, ପ୍ରୋତ୍ସାହନ ଏବଂ ଏହାର ପ୍ରଚାର ପ୍ରସାର ଦିଗରେ ସ୍ବତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୧୭ ମସିହାରୁ ଓଡ଼ିଶା ସରକାରଙ୍କ “ସ୍ୱତନ୍ତ୍ର ବିକାଶ ପରିଷଦ” (ଏସ୍‌ଡିସି)ର ଗଠନ ଏ କ୍ଷେତ୍ରରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସାରା ଦେଶରେ ମାନ୍ୟତା ପାଇଛି। ଏହା ଏପରି ଏକ ଅଭିନବ କାର୍ଯ୍ୟକ୍ରମ, ଯାହା ବିଭିନ୍ନ ଆଦିବାସୀ ଅଞ୍ଚଳରେ ୬୨ଟି ଜନଜାତିର ସଂସ୍କୃତି ଏବଂ ଐତିହ୍ୟକୁ ସମନ୍ୱିତ ବିକାଶ ସହିତ ଯୋଡି ଗୋଟିଏ ଛତା ତଳେ ସଂରକ୍ଷଣ କରିବା ଲାଗି ଉଦ୍ୟମରତ। ଆଦିବାସୀ ସଂସ୍କୃତିର ପୁନରୁଦ୍ଧାର, ସୁରକ୍ଷା ଏବଂ ସଂରକ୍ଷଣ ପାଇଁ “ସଂସ୍କୃତି ସହିତ ବିକାଶ” ଆଭିମୁଖ୍ୟ ନେଇ ଏହି ବିଶେଷ ଯୋଜନା ଆରମ୍ଭ କରାଯାଇଥିଲା। ପ୍ରାରମ୍ଭରେ ରାଜ୍ୟର ୯ ରୁ ଅଧିକ ଆଦିବାସୀ ବହୁଳ ଜିଲ୍ଲାର ମୋଟ ଜନସଂଖ୍ୟାର ଶତକଡ଼ା ୪୫ ଭାଗରୁ ଅଧିକ ଜନଜାତି ବର୍ଗର ହୋଇଥିବା ବେଳେ ୧୧୭ଟି ବ୍ଲକରେ ଏଥିରେ ମୋଟ ୬୦ ଲକ୍ଷ ଆଦିବାସୀ ପରିବାରକୁ ସାମିଲ୍ କରାଯାଇଛି। ଏହି ଯୋଜନା ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୩ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି, ଯେଉଁଥିରେ ମୋଟ ୧.୪୫ କୋଟିରୁ ଅଧିକ ଆଦିବାସୀଙ୍କୁ ଅନ୍ତର୍ଭୁକ୍ତ କରା ଯାଇଛି।
ଓଡ଼ିଶାର “ଏସ୍‌ଡିସି” ଯୋଜନା ମଡେଲରେ ସ୍ଥାନୀୟ ଆଦିବାସୀ ସମାଜର ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ବିଷୟବସ୍ତୁ ଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକର ପ୍ରଚାର-ପ୍ରସାର ପାଇଁ ପ୍ରୋତ୍ସାହିତ କରାଯାଏ।

ଅଧିକ ପଢନ୍ତୁ

ପ୍ରଥମତଃ, ସଂସ୍କୃତିର ପ୍ରଚାର ପ୍ରସାରରେ ସ୍ଥାନୀୟ ଭାଷାକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ସ୍ୱୀକୃତି ଦିଆଯାଇଛି। ଓଡ଼ିଶାରେ ୨୨ରୁ ଅଧିକ ଆଦିବାସୀ ଭାଷା ଭାଷୀର ଲୋକ ରହିଥିବାରୁ ଏହି ଭାଷାଗୁଡ଼ିକର ବ୍ୟବହାର ଏବଂ ପ୍ରସାର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ୨୧ ରୁ ଅଧିକ ଆଦିବାସୀ ଦକ୍ଷତା-କେନ୍ଦ୍ର ପ୍ରତିଷ୍ଠା କରାଯାଇଛି, ଯେଉଁଥିରେ ଆଶାକର୍ମୀ ଏବଂ ଅନ୍ୟ କମର୍ଚାରୀମାନଙ୍କୁ ଆଦିବାସୀ ସଂସ୍କୃତିର ସୁରକ୍ଷା ଓ ପ୍ରଚାର-ପ୍ରସାର ପାଇଁ ତାଲିମ ଦିଆଯାଉଛି। ଦ୍ୱିତୀୟତଃ, ୪୫୦୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଔଷଧୀୟ ତଥା “ପବିତ୍ର” ଲତାଗୁଳ୍ମ, ଯାହାର ଏପର୍ଯ୍ୟନ୍ତ ବର୍ଗୀକରଣ କରାଯାଇ ସର୍ବସାଧାରଣ ରେକର୍ଡ ରେ ଲିପିବଦ୍ଧ ହୋଇନଥିଲା ଏବଂ ଲୋପ ପାଇବାକୁ ଯାଉଥିଲା, ତାହା ବର୍ତ୍ତମାନ “ଏସ୍‌ଡିସି”ର ବିଶେଷ ଉଦ୍ୟମ ଯୋଗୁଁ ସଂରକ୍ଷିତ ହୋଇ ପାରିଛି। ଆଦିବାସୀମାନେ ପ୍ରଗାଢ଼ ଈଶ୍ବର ବିଶ୍ବାସୀ ହୋଇଥିବାରୁ ଏହିଁ ତଥ୍ୟାବଳୀ ସେମାନଙ୍କ ପାଇଁ ଅପାର ସାଂସ୍କୃତିକ ମୂଲ୍ୟ ବହନ କରିଥାଏ। ଏହି ଯୋଜନା ଅନ୍ତର୍ଗତ ଏବେ ୯ଟି ଜିଲ୍ଲାରେ ୪୭୩୧ ରୁ ଅଧିକ “ପବିତ୍ର ଲତାଗୁଳ୍ମ” ସଂରକ୍ଷିତ ହୋଇ ପାରିଛି। ଏହାଛଡ଼ା ଏସ୍‌ଡିସି ଯୋଜନା ଅଧୀନରେ ୧୬୦୯ ଟି ଆଦିବାସୀ ସାଂସ୍କୃତିକ କ୍ଲବ୍ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏଗୁଡ଼ିକୁ ଜନଜାତି ଯୁବବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଓ ଦେଶର ସାମଗ୍ରିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ ଭାବରେ ବିବେଚନା କରାଯାଉଛି। ତୃତୀୟତଃ, ୪୦ ହଜାରରୁ ଅଧିକ ଆଦିବାସୀ କାରିଗରଙ୍କୁ ଦିଆଯାଇଥିବା କାରିଗର ପରିଚୟ ପତ୍ର କେବଳ ସଂସ୍କୃତିର ସଂରକ୍ଷଣ ନୁହେଁ, ବରଂ ଅତିରିକ୍ତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଛି। ଚତୁର୍ଥତଃ, ଜ୍ଞାନକୌଶଳ ଓ ଦକ୍ଷତା ବିନିଯୋଗ ନିଶ୍ଚିତ କରିବାକୁ ସୁନ୍ଦରଗଡ଼ ଜିଲ୍ଲାରେ ୫୦ ରୁ ଅଧିକ ଆଦିବାସୀ କୌଶଳ କେନ୍ଦ୍ର(ଟିଆରସି) ଗଠନ କରାଯାଇଛି। ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ମଧ୍ୟ ଏଭଳି ପ୍ରୟାସ ଜାରି ରହିଛି। ଏହି କ୍ଳବ୍ ଗୁଡ଼ିକ କେବଳ ସଂସ୍କୃତିର ସୁରକ୍ଷା ପାଇଁ ନୁହେଁ, ବରଂ ଆଦିବାସୀ ସମ୍ପ୍ରଦାୟ ପାଇଁ ସ୍ଥାୟୀ ଜୀବିକା-ବିକଳ୍ପ ସୃଷ୍ଟି କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି।

ସାଧାରଣତଃ ଆଦିବାସୀ ବିକାଶ ଯୋଜନାଗୁଡ଼ିକ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଅଂଶୀଦାର ପ୍ରକ୍ରିୟାରେ ଚାଲିଥାଏ। କିନ୍ତୁ ଓଡ଼ିଶାର “ଏସ୍‌ଡିସି” ପ୍ରକଳ୍ପ ଗୁଡ଼ିକ ୧୦୦% ରାଜ୍ୟ ଦ୍ବାରା ଅନୁଦାନପ୍ରାପ୍ତ କାର୍ଯ୍ୟକ୍ରମ ଏବଂ ସମ୍ପୂର୍ଣ୍ଣ ସ୍ବାଧୀନ ଭାବେ ପରିଚାଳିତ। ଏସ୍‌ଡିସି ଗୁଡ଼ିକ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ପ୍ରାୟତଃ କେନ୍ଦ୍ରୀୟ ଯୋଜନାରେ ଦେଖିବାକୁ ମିଳେନାହିଁ। ଏସ୍‌ଡିସି ଦ୍ୱାରା ୨୦୧୭-୧୮ରୁ ୨୦୨୨-୨୩ ପର୍ଯ୍ୟନ୍ତ ୩୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆହୁରି ମଧ୍ୟ ୧୩ ଟି ପିଭିଟିଜି(ବିଶେଷ ଅବକ୍ଷୟମୁଖୀ ଜନଜାତି ଗୋଷ୍ଠୀ) ସମେତ ୬୨ ଟି ଆଦିବାସୀ ଗୋଷ୍ଠୀ ପାଇଁ ୨୦୨୩-୨୪ ବର୍ଷରେ ୨୩ ଟି ଏସ୍‌ଡିସି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୋଟ ୨୨୩.୫ କୋଟି ଟଙ୍କାର ରାଜ୍ୟ ବଜେଟ୍ ରେ ଅନୁମୋଦନ କରାଯାଇଛି।

“ଏସ୍‌ଡିସି” ମଡେଲ୍ ଯେକୌଣସି ପ୍ରଚଳିତ ଆଦିବାସୀ ବିକାଶ କାର୍ଯ୍ୟକ୍ରମଠାରୁ ଏକ ସ୍ବତନ୍ତ୍ର ଯୋଜନା। କାରଣ ଏହା ବିକାଶ ଯୋଜନା ସହିତ କ୍ଷୁଦ୍ର ଆଦିବାସୀ ଗୋଷ୍ଠୀର ସଂସ୍କୃତି ଏବଂ ପରମ୍ପରାକୁ ମଧ୍ୟ ବଞ୍ଚାଇ ରଖିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ଆଦିବାସୀମାନଙ୍କୁ ବିକାଶ ଯୋଜନା ନିଷ୍ପତ୍ତି ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାରେ ପ୍ରୋତ୍ସାହିତ କରେ। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଜନଜାତିର ଲୋକଙ୍କ ସହିତ ଆଦିମ ଜନଜାତି କିମ୍ବା ପିଭିଟିଜି ସମ୍ପ୍ରଦାୟର ପ୍ରତିନିଧି ମଧ୍ୟ ଯୋଡ଼ିହୋଇ ଥାଆନ୍ତି। ଅଧିକନ୍ତୁ, ସ୍ଥାନୀୟ ବୋର୍ଡଗୁଡ଼ିକ ସଂପୃକ୍ତ ଅଞ୍ଚଳର ଜଣେ ପ୍ରତିଷ୍ଠିତ ଆଦିବାସୀ ବ୍ୟକ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥାଏ। ପରିଷଦରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ (ଦୁଇଜଣଙ୍କ ମଧ୍ୟରୁ ଜଣେ ମହିଳା ହେବା ଆବଶ୍ୟକ) ଏବଂ ସରକାରଙ୍କ ଦ୍ୱାରା ମନୋନୀତ ବିଭିନ୍ନ ଆଦିବାସୀ ଗୋଷ୍ଠୀର ସଦସ୍ୟ ମଧ୍ୟ ରହିଛନ୍ତି। ପରିଷଦଗୁଡ଼ିକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକରେ ଯେପରି ଅଧିକ ସ୍ଥାନୀୟ ଦାବି ଓ ଜନମତ ପ୍ରତିଫଳିତ ହେବ ତାହାକୁ ଦୃଷ୍ଟିରେ ରଖି ଜନଜାତି ପ୍ରତିନିଧିତ୍ବକୁ ଗୁରୁତ୍ବ ଦିଆଯାଇଛି।

ସମାବେଶୀ ଅଭିବୃଦ୍ଧି ଏବଂ ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ବିକାଶର ଦୃଷ୍ଟିକୋଣ ଏକ ସାଧାରଣ ଅବଧାରଣା ନୁହେଁ, ବରଂ ‘୫-ଟି’ (ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଦଳଗତ କାର୍ଯ୍ୟ, ସମୟ ସୀମା ଓ ପରିବର୍ତ୍ତନକୁ ଆଗେଇ ନେବା) ପ୍ରକରଣ ମାଧ୍ୟମରେ ଓଡ଼ିଶା ବିକାଶ ପାଇଁ ଏକ ସଶକ୍ତ କୌଶଳ। ପନ୍ଦରଶହରୁ ଊର୍ଦ୍ଧ୍ବ ପବିତ୍ର ଲତାଗୁଳ୍ମ ସଂରକ୍ଷଣ, ୩୬ ହଜାରରୁ ଊର୍ଦ୍ଧ୍ବ କାରିଗର-କିଟ୍ ବଣ୍ଟନ ଏବଂ ବିକାଶ ଧାରାରେ ଆଦିବାସୀଙ୍କ ମତାମତକୁ ସମ୍ମାନ ଦେବା ତଥା ସ୍ଥାନୀୟ ଜନତାଙ୍କ ହିତକାରୀ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ସହିତ, ଆଦିବାସୀଙ୍କ ନିଜସ୍ବ ସ୍ଥାନୀୟ ସଂସ୍କୃତି ପ୍ରତି ସମ୍ବେଦନଶୀଳ ବିକାଶ-ମଡେଲ୍ ଏଥିରେ ଅନ୍ତର୍ଭୁକ୍ତ। ସମ୍ପ୍ରତି ମଧ୍ୟପ୍ରଦେଶ, ସିକ୍କିମ୍ ଏବଂ ଉତ୍ତର-ପୂର୍ବ ଭାରତ ତଥା ଅନ୍ୟାନ୍ୟ ଆଦିବାସୀ ବହୁଳ ରାଜ୍ୟଗୁଡ଼ିକରେ ଓଡ଼ିଶାର ଏହି “ଏସଡିସି” ଯୋଜନା ମଡେଲ କୁ ଗ୍ରହଣ କରିବା ସହ ଏଥିରୁ ପ୍ରେରଣା ନେଇ କେନ୍ଦ୍ର ସରକାର ମଧ୍ୟ ସାରା ଦେଶ ପାଇଁ ଆଦିବାସୀ ଉପ-ଯୋଜନା ଏବଂ ଜିଲ୍ଲା / ନୋଡାଲ୍ ଯୋଜନା ଆଦି ଆରମ୍ଭ କରିଛନ୍ତି।

ଅଧିକ ପଢନ୍ତୁ

ଡକ୍ଟର ଅମର ପଟ୍ଟନାୟକ
ସାଂସଦ, ରାଜ୍ୟସଭା

Leave A Reply

Your email address will not be published.