ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗିରଫ ହେଲେ ରାୟଗଡ଼ା ଡିଏଫ୍‌‌ଓ ବିଜୟ କୁମାର ପରିଡ଼ା, ବୃକ୍ଷରୋପଣ ନାଁରେ ୩ କୋଟି ଠକିଥିବା ଅଭିଯୋଗ

କଟକ, ଭୁବନେଶ୍ୱର, ପୁରୀ, ଯାଜପୁରରେ ରହିଛି ୧୬ଟି ପ୍ଲଟ୍‌‌

ଭୁବନେଶ୍ବର : ଗିରଫ ହୋଇଛନ୍ତି ରାୟଗଡ଼ା ଡିଏଫ୍‌‌ଓ ବିଜୟ କୁମାର ପରିଡ଼ା। ଡିଏଫ୍‌‌ଓ ବିଜୟ କୁମାର ପରିଡ଼ାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ମୁନିଗୁଡା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ନାଁରେ ଡିଏଫ୍‌‌ଓ ବିଜୟ କୁମାର ପରିଡ଼ା ୩ କୋଟି ଟଙ୍କା ହରିଲୁଟ କରିଥିବା ନେଇ ହୋଇଥିଲା ଅଭିଯୋଗ। ଯାହାକୁ ନେଇ ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲା।

ଏହାପରେ ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଡିଏଫ୍‌ଓ ବିଜୟ କୁମାର ପରିଡ଼ାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଗୁରୁବାର ଭିଜିଲାନ୍ସ ଚଢ଼ଉ କରିଥିଲା। ରାୟଗଡ଼ା, କଟକ, ଯାଜପୁର ଓ ଭୁବନେଶ୍ୱର ସମେତ ୪ଟି ଜିଲ୍ଲାର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଥିଲା। ରାୟଗଡ଼ା ଗାନ୍ଧୀନଗର କାଳୀପୂଜା ପଡ଼ିଆରେ ଥିବା ତାଙ୍କ ସରକାରୀ କ୍ୱାର୍ଟର୍ସ, ରାଣୀଗୁଡ଼ା ଫାର୍ମରେ ଥିବା ଅଫିସ, ଭୁବନେଶ୍ୱର ପଟିଆ କଳାରାହାଙ୍ଗରେ ଥିବା ଆଶୀର୍ବାଦ ପ୍ଲାଜାର ବ୍ଲକ-ଏ ତୃତୀୟ ମହଲା, ପଟିଆ ଶିଶୁବିହାରରେ ଥିବା ସମ୍ପର୍କୀୟଙ୍କ ଭଡ଼ାଘର, ଯାଜପୁର ଜିଲ୍ଲା କଳିଙ୍ଗନଗର ଦାମୋଦରପୁରରେ ଥିବା ତାଙ୍କ ପୈତୃକ ଗାଁ, କଟକ ସଦର ଥାନା ଶ୍ରୀକୋରୁଆଁ ସ୍ଥିତ ସମ୍ପର୍କୀୟଙ୍କ ଘର ଓ ବିବାହ ମଣ୍ଡପରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା।

ଚଢ଼ଉ ସମୟରେ ବୀମା ରସିଦ, ବଣ୍ଡ୍‌‌, ବ୍ୟାଙ୍କ ଡିପୋଜିଟ କାଗଜପତ୍ର ସମେତ ତାଙ୍କ ଘରୁ ନଗଦ ୧ଲକ୍ଷ ୨୪ ହଜାର ଟଙ୍କା ଜବତ କରାଯାଇଥିଲା। ଡିଏଫଓଙ୍କ ନାମରେ କଟକ ଶ୍ରୀକୋରୁଆଁଠାରେ ଥିବା ପ୍ଲଟ୍‌‌ ନଂ-୧୬/୭୦୮ରେ ୧.୮କୋଟି ଟଙ୍କାର ଜି-୩ ବିଲ୍ଡିଂ ନିର୍ମାଣ ଚାଲିଥିବା ଭିଜିଲାନ୍ସ ଠାବ କରାଯାଇଛି। ପଳାଶୁଣୀରେ ୫୧୦୦ବର୍ଗଫୁଟ୍‌‌ର ୩ ମହଲା କୋଠା ରହିଛି। ସେହିପରି କଳାରାହାଙ୍ଗସ୍ଥିତ ଆଶୀର୍ବାଦ ପ୍ଲାଜାରେ ୨କୋଟି ଟଙ୍କା ମୂଲ୍ୟର ଏକ ଫ୍ଲାଟ୍‌‌ ରହିଛି। ଭୁବନେଶ୍ୱର, କଟକ, ପୁରୀ ଏବଂ ଯାଜପୁରରେ ୧୬ଟି ପ୍ଲଟ୍‌‌ ଠାବ କରାଯାଇଛି। ସେହିପରି ବ୍ୟାଙ୍କ୍‌‌ ଆକାଉଣ୍ଟ ଏବଂ ଇନ୍ୟୁରାନ୍ସରେ କୋଟି କୋଟି ଟଙ୍କା ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଭିଜିଲାନ୍ସର ଟେକ୍ନିକାଲ ଟିମ୍‌‌ ତାଙ୍କର ଆକାଉଣ୍ଟ ଯାଞ୍ଚ କରି ହିସାବ କରୁଛନ୍ତି। ଡିଏଫଓଙ୍କ ଘରେ ୬୫୦ଗ୍ରାମର ସୁନା ଅଳଙ୍କାର, ଗୋଟିଏ ଚାରି ଚକିଆ ଏବଂ ୨ଟି ଦୁଇ ଚକିଆ ଗାଡ଼ି ରହିଥିବା ବେଳେ ୧୭.୮୭ ଲକ୍ଷ ଟଙ୍କାର ଘରର ଆସବାବପତ୍ର ରହିଛି। ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ପରିମାଣ ଦେଖିବା ପରେ ଭିଜିଲାନ୍ସ ପକ୍ଷରୁ ଗତକାଲିଠୁ ଡିଏଫ୍‌‌ଓଙ୍କୁ ଅଟକ ପଚରାଉଚୁରା କରାଯାଇଥିଲା। ତେବେ ଡିଏଫ୍‌‌ଓ ନିଜ ସମ୍ପତ୍ତି ନେଇ ସଠିକ ତଥ୍ୟ ଦେଇନପାରିବାରୁ ତାଙ୍କୁ ଆଜି ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି।

Leave A Reply

Your email address will not be published.