ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଚାୟତ ନିର୍ବାଚନ: ଅଭିଜ୍ଞମାନଙ୍କୁ ନେଇ କଡ଼ା ମୁକାବିଲା, ପ୍ରତିଶୃତିରେ ଛନ୍ଦିହେଲେଣି ଭୋଟର

ଡ଼େରାବିଶ: ଡ଼େରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ପଂଚାୟତ ବ୍ଲକ ଅଂଚଳର ଏକ ମୁଖ୍ୟ ବ୍ୟବସାୟସ୍ଥଳ ତଥା ଜିଲ୍ଲାର ମୁଖଶାଳା ଭାବେ ପରିଚିତ । ରାଜନୈତିକ ଦୃଷ୍ଟିକୋଣରୁ ଏହି ପଂଚାୟତ ବହୁ ଗୁରୁତ୍ୱ ବହନ କରେ । ବିଗତ ଦିନରେ ଏହି ପଂଚାୟତରୁ ନିର୍ବାଚିତ ହୋଇ ଦୁଇ ଜଣନେତା ପଂଚାୟତ ସମିତି ଅଧ୍ୟକ୍ଷ ପଦ ମଣ୍ଡନ କରିଥିବାବେଳେ ଜଣେ ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ତେବେ ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ଏହି ପଂଚାୟତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସରପଂଚ ପଦବୀ ପାଇଁ ଏହି ପଂଚାୟତରୁ ୫ଜଣ ପ୍ରାର୍ଥି ନିର୍ବାଚନ ମଇଦାନରେ ଅବତିର୍ଣ୍ଣ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୪ଜଣ ଅଭିଜ୍ଞ ଥିବା ବେଳେ ଜଣେ ନବାଗତ । ସମସ୍ତ ପ୍ରାର୍ଥି ଘର ଘର ବୁଲି ନିଜ ପ୍ରଚାରକୁ ଜୋରଦାର କରିଥିବାବେଳେ ଅଭିଜ୍ଞମାନଙ୍କୁ ନେଇ କଡ଼ା ମୁକାବିଲା ହେଉଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

ପ୍ରାର୍ଥିମାନଙ୍କ ମଧ୍ୟରୁ ସୁରେନ୍ଦ୍ର ମଲ୍ଲିକ ପୂର୍ବରୁ ଏହି ପଂଚାଞତର ସରପଂଚ ଥିଲେ । ତାଙ୍କ ସମୟରେ ପଂଚାୟତରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବା ବେଳେ ପରବର୍ତି ଅବସ୍ଥାରେ ତାଙ୍କ ପତ୍ନୀଙ୍କୁ ଜିଲ୍ଲା ପରିଷଦ ଆସନରେ ବସାଇ ରାଜନୈତିକ ପରିପକ୍ୱତାର ପରିଚୟ ଦେଇଥିଲେ । ସେ ଭୋଟରମାନଙ୍କୁ ଏକ ସ୍ୱଚ୍ଛ ଶାସନ ସହିତ ପଂଚାୟତକୁ ଆଗେଇ ନେବା ପାଇଁ ପ୍ରତିଶୃତି ବଦ୍ଧ ଥିବା କହୁଛନ୍ତି । ଅନ୍ୟତମ ପ୍ରତିଦ୍ୱନ୍ଦୀ ମଧୁସୂଦନ ଘଡ଼େଇ ବର୍ତମାନ ଏହି ପଂଚାୟତର ସମିତିସଭ୍ୟ ଭାବେ କାର୍ଯ୍ୟରତଥିବା ବେଳେ ପଂଚାୟତର ବିକାଶ ନାରା ଦେଇ ନିର୍ବାଚନ ବୈତରଣୀ ପାରି ହେବାକୁ ଆଶା ପ୍ରକଟ କରିଛନ୍ତି । ଭୋଟରମାନଙ୍କୁ ସେମାନଙ୍କ ସର୍ବନିମ୍ନ ମୌଳିକ ଅଧିକାର ସାବ୍ୟସ୍ତ କରାଇବାରେ ସେ ସବୁ ପ୍ରକାର ସହାୟତା କରିବେ ବୋଲି ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।

Panchayat Election

ସେହିପରି ଦେବରାଜ ମହାପାତ୍ର ରାଜନୈତିକ ମଇଦାନରେ ମଧ୍ୟ ପୁରୁଣା । ୨୦୧୭ ନିର୍ବାଚନରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥି କରିଥିବା ବେଳେ ଚଳିତ ନିର୍ବାଚନରେ ସେ ନିଜେ ପ୍ରାର୍ଥି ହୋଇଛନ୍ତି । ବିଧାୟକଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ପୁଞ୍ଜିକରିବା ସହିତ ଚାନ୍ଦୋଳ ହାଟର ବିକାଶ ଓ ଜନସାଧାରଣଙ୍କୁ ଉତମ ସେବା ଯୋଗାଇଦେବା ତାଙ୍କର ପ୍ରାଥମିକତା ହେବ ବୋଲି ପ୍ରକାଶ କରିଛନ୍ତି । ପୂର୍ବତନ ସରପଂଚ ପୂର୍ଣ୍ଣଚନ୍ଦ୍ର ଦାସ ଚଳିତ ନିର୍ବାଚନରେ ମଧ୍ୟ ପ୍ରାର୍ଥି ହୋଇଛନ୍ତି । ତାଙ୍କ ସମୟରେ କରିଥିବା ଉନ୍ନୟନମୂଳକ କାର୍ଯ୍ୟ ଜନସାଧାରଣଙ୍କୁ ମନେପକାଇବା ସହିତ ଅଧାରହିଥିବା କାମ ଗୁଡ଼ିକୁ ନିର୍ବାଚିତ ହେଲେ ପୂର୍ଣ୍ଣାଙ୍ଗ କରିବେ ବୋଲି ଜନସାଧାରଣଙ୍କୁ ପ୍ରତିଶୃତି ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ପ୍ରକଟ କରିଛନ୍ତି ।

ତେବେ ଚଳିତ ନିର୍ବାଚନରେ ନବାଗତ ବୃନ୍ଦାବନ ଶତପଥି ରାଜନୈତିକ ମଇଦାନରେ ପ୍ରଥମକରି ପାଦ ଦେଇଥିବାବେଳେ ଜନସାଧାରଣଙ୍କ ସୁଖ ଦୁଃଖର ସାଥି ହେବାକୁ ପ୍ରତିଶୃତିଦେଇ ପ୍ରାର୍ଥିତ୍ୱ ଜାହିର କରିଛନ୍ତି । ପ୍ରତିଶୃତିର ପାହାଡ଼ ଉପରେ ଛିଡ଼ା ହୋଇଥିବା ଏହି ପଂଚାୟତର ଭୋଟରମାନେ କାହାକୁ ସେମାନଙ୍କ ମତଦାନ କରି ସରପଂଚ ଭାବେ ନିର୍ବାଚିତ କରିବେ ତାହା ସମୟ ହିଁ କହିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.