ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶର ପ୍ରଥମ ବସ୍ତିମୁକ୍ତ ରାଜ୍ୟ ହେବ ଓଡ଼ିଶା, ‘ଜାଗା ମିଶନ’କୁ ପୁଣି ‘ୱାର୍ଲ୍ଡ ହାବିଟାଟ୍‌‌’ ଆୱାର୍ଡ

ଭୁବନେଶ୍ୱର : ଅନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ‘ଜାଗା ମିଶନ’ ପ୍ରଶଂସିତ ହୋଇଛି। ବସ୍ତି ବାସିନ୍ଦାଙ୍କ ଉତ୍ତମ ଜୀବନ ଯାପନ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ଜାଗା ମିଶନ’ ଦ୍ୱିତୀୟ ଥର ପାଇଁ ‘ୱାର୍ଲ୍ଡ ହାବିଟାଟ୍‌‌ ଆୱାର୍ଡ’ ଜିତିଛି। ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ଏହି ଫ୍ଲାଗସିପ୍‌‌ ଯୋଜନାକୁ ୱାର୍ଲ୍ଡ ହାବିଟାଟ୍‌‌ ପୁରସ୍କାର ମିଳିଥିବା ବେଳେ ପୁଣି ଥରେ ଜାଗା ମିଶନକୁ ଏହି ସଂସ୍ଥା ପକ୍ଷରୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଆରମ୍ଭ କରିଥିବା ଏହି ଯୋଜନା ବର୍ତ୍ତମାନ ବିଶ୍ୱର ସବୁଠୁ ବଡ଼ ଭୂମି ଅଧିକାର ପ୍ରଦାନକାରୀ ଯୋଜନା ସହିତ ବସ୍ତି ରୂପାନ୍ତରଣକାରୀ ଯୋଜନାରେ ପରିଣତ ହୋଇଛି। ରାଜ୍ୟର ପ୍ରାୟ ୩ ହଜାର ବସ୍ତିକୁ ଏହି ଯୋଜନାରେ ରୂପାନ୍ତର କରିବା ପାଇଁ କାର୍ଯ୍ୟ ଜାରି ରହିଛି।

ରାଜ୍ୟ ସରକାର ଦେଶର ପ୍ରଥମ ବସ୍ତିମୁକ୍ତ ରାଜ୍ୟ ଭାବେ ନିଜର ପରିଚୟ ସୃଷ୍ଟି କରିବାକୁ ଯୋଜନା ରଖି ଏହି ଯୋଜନା କାର୍ଯ୍ୟ କରୁଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ତିଗୁଡ଼ିକୁ ମୌଳିକ ଭିତ୍ତିଭୂମି ଯୋଗାଇ ଦେବା ସହିତ ସେମାନଙ୍କୁ ଭୂମି ଅଧିକାର ମଧ୍ୟ ପ୍ରଦାନ କରୁଛନ୍ତି। ଏହି ଯୋଜନାରେ ମୋଟ୍‌‌ ୨୯୧୯ ଟି ବସ୍ତିର ଉନ୍ନତି କରଣ କରିବା ସହ ଏହା ଦ୍ୱାରା ୧୭ ଲକ୍ଷ ଲୋକ ଉପକୃତ ହେବେ। ବର୍ତ୍ତମାନ ସୁଦ୍ଧା ୩୦ ଟି ସହରର ୭୦୭ ଟି ବସ୍ତି ରୂପାନ୍ତରଣ ହୋଇ ସାରିଥିବା ବେଳେ ଏଥି ମଧ୍ୟରୁ ୮ ଟି ସହରକୁ ବସ୍ତି ମୁକ୍ତ ସହର ଘୋଷଣା କରାଯାଇ ସାରିଛି। ୫ ବର୍ଷ ମଧ୍ୟରେ ୧ ଲକ୍ଷ ୭୫ ହଜାର ପରିବାରକୁ ସହରାଞ୍ଚଳରେ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୨୭୨୪ ଟି ବସ୍ତିକୁ ଶତ ପ୍ରତିଶତ ପାଇପ ପାଣି ଯୋଗାଣ ହୋଇଛି।

୭୦୭ ଟି ବସ୍ତି ସମ୍ପୂର୍ଣ୍ଣ ରୂପାନ୍ତରଣ ହେବା ସହ ବିଜୁ ଆଦର୍ଶ କଲୋନୀରେ ପରିଣତ ହୋଇ ସାରିଛି। ୬୬୬ ଟି ବସ୍ତାରେ ଶତ ପ୍ରତିଶତ ଲୋକଙ୍କୁ ବ୍ୟକ୍ତିଗତ ଶୌଚାଳୟ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ଯୋଜନାର ଅବିକଳ ଯୋଜନା ବର୍ତ୍ତମାନ ପଞ୍ଜାବ ସରକାର ଆରମ୍ଭ କରିଛନ୍ତି। ଏହି ଯୋଜନା ପାଇଁ ରାଜ୍ୟ ସରକାର ବାର୍ଷିକ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟ୍‌‌ରେ ବ୍ୟୟ ବରାଦ କରିଥିବା ବେଳେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି କାର୍ଯ୍ୟ ଜାରି ରହିଛି। ପୁରସ୍କାର ପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଜି ମାଥିଭାଥନନ ଖୁସି ପ୍ରକଟ କରିଥିବା ବେଳେ ୱାଲ୍ଡ ହାବିଟାଟ୍‌‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡେଭିଡ୍‌‌ ଆୟରଲାଣ୍ଡ “ଏହି ଯୋଜନା ଭଳି ଅନ୍ୟ କୌଣସି ଯୋଜନା ନାହିଁ” ବୋଲି କହିଛନ୍ତି।

ଗତ ଡିସେମ୍ବର ୨୦୨୧ରେ ବିଶ୍ୱର ୪ ଟି ଲୋକାଭିମୁଖୀ ଯୋଜନାକୁ ପଛରେ ପକାଇ ଜାଗା ମିଶନର ‘ଏସିଆ ପେସିଫିକ୍‌‌ ହାଉସିଂ ଫୋରମ’ ପକ୍ଷରୁ ପୁରସ୍କୃତ ହୋଇଥିଲା। ‘ପବ୍ଲିକ୍‌‌ ପଲିସ’ କ୍ଷେତ୍ରରେ ନୂତନ ଉଦ୍ଭାବନ କ୍ଷେତ୍ରରେ ‘ଜାଗା ମିଶନ’ ଶ୍ରେଷ୍ଠ ଯୋଜନା ଭାବେ ପୁରସ୍କୃତ ହୋଇଥିଲା। ବିଭିନ୍ନ ଦେଶରୁ ମୋଟ୍‌‌ ୫୦ ଟି ଯୋଜନାକୁ ଏଥିରେ ସାମିଲ କରାଯାଇଥିଲା। ଯେଉଁଥିରେ ଜାଗା ମିଶନ ପୁରସ୍କୃତ ହୋଇଥିଲା। ଜାଗା ମିଶନ ଫେଜ-୧ରେ ବସ୍ତି ବାସିନ୍ଦାଙ୍କୁ ରାଜ୍ୟ ସରକାର ପଟ୍ଟା ପ୍ରଦାନ କରୁଥିବା ବେଳେ ଫେଜ୍‌‌-୨ରେ ବସ୍ତିଗୁଡ଼ିକୁ ବିଜୁ ଆଦର୍ଶ କଲୋନୀରେ ପରଣତ କରୁଛନ୍ତି।

Leave A Reply

Your email address will not be published.