ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୋ ପୁଅକୁ ମାରିଦିଆଯାଇଛି, ମୃତ୍ୟୁ ପୂର୍ବରୁ ମୋ ସହ କାନ୍ଦି କାନ୍ଦି କଥା ହୋଇଥିଲା ନିଶାନ୍ତ

ବଲାଙ୍ଗିର : ‘ଆସିବା ଦିନଠାରୁ ମୋ ପୁଅ ସବୁଦିନ କାନ୍ଦି କାନ୍ଦି ମେଡିକାଲ କଲେଜରେ ଚାଲିଥିବା ରାଗିଂ ବିଷୟରେ କହିଆସୁଥିଲା। ସ୍ୱାଗତ କାର୍ଯ୍ୟକ୍ରମରେ ଅଶ୍ଲିଳ ଭାଷା କହିବାକୁ ବାଧ୍ୟ କରାଯାଇଥିଲା। ଯାହାକି ମୋ ପୁଅ ମୋତେ କହି ବି ପାରିନଥିଲା। ଶୁକ୍ରବାର ଅପରାହ୍ନ ଦୁଇ ଟାରେ ପୁଅ ସହ କଥା ହୋଇଥିଲି। ଖାଇବା ବିଷୟରେ ପଚାରିଥିଲେ। ପରେ ଭିଡିଓ କଲରେ କଥା ହୋଇଥିଲି। ଘଟଣା ପୂର୍ବରୁ ମୋ ପୁଅ ମୋ ସାମ୍ନାରେ ବହୁତ କାନ୍ଦିଥିଲା। ତା ପରେ ତାର ମୃତ୍ୟୁ ଖବର ପାଇଥିଲି। ତାକୁ ଏଠାରେ ମାରିଦିଆଯାଇଛି….’ ଏ ହେଇଛି ଭୀମଭୋଇ ମେଡିକାଲ କଲେଜରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ଡାକ୍ତରୀ ପ୍ରଥମ ବର୍ଷ ଛାତ୍ର ନିଶାନ୍ତ କୁମାରଙ୍କ ମା ଙ୍କ କାନ୍ଦଭରା ପ୍ରତିକ୍ରୀୟା। ଶୁକ୍ରବାର ମୃତ୍ୟୁ ପରେ ଶନିବାର ପରିବାର ଲୋକ ହରିଆନାରୁ ଆସି ବଲାଙ୍ଗିର ପହଞ୍ଚିଥିଲେ। ମା ବାପାଙ୍କ ଏକମାତ୍ର ପୁଅ ନିଶାନ୍ତ କୁମାରଙ୍କ ମୃତ୍ୟୁ ପରେ ଏବେ ସ୍ତବ୍ଧ ପରିବାର ଲୋକ। ସେମାନଙ୍କ ଗୋଟିଏ ଅଭିଯୋଗ ରାଗିଂ ପାଇଁ ହିଁ ପୁଅର ଜୀବନ ଗଲା ।

ଶୁକ୍ରବାର ଭୀମଭୋଇ ମେଡିକାଲ କଲେଜର ପ୍ରଶିକ୍ଷଣ ବିଭାଗରେ ରହୁଥିବା ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଶାନ୍ତ କୁମାର ପାଞ୍ଚ ମହଲା ଛାତ ଉପରୁ ଡେଇଁ ପଡିଥିବା ଜଣାପଡିଥିଲା। ପ୍ରଥମେ ଏହା ଦୁର୍ଘଟଣା, ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହେଉନଥିବା ବେଳେ ଘଟଣାସ୍ଥଳ ଦେଖିବା ପରେ ଏହା ଦୁର୍ଘଟଣା ନୁହଁ ତାହା ସ୍ପଷ୍ଟ ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଛାତରୁ ଡେଇଁପଡିବା ପରେ ସିନିୟର ଛାତ୍ର ମାନେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ଆଣିଥିଲେ କିନ୍ତୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହି ଘଟଣା ପଛରେ କଲେଜରେ ଚାଲିଥିବା ଅକଥନୀୟ ରାଗିଂ ବୋଲି ଆଲୋଚନା ହେଉଥିବା ବେଳେ ତାକୁ ଅସ୍ୱୀକାର କରିଥିଲେ କଲେଜ ଡିନ ଡା. ସବିତା ମହାପାତ୍ର। କିନ୍ତୁ ଶନିବାର ମୃତ ଛାତ୍ର ନିଶାନ୍ତଙ୍କ ପରିବାର ଲୋକ ଆସିବା ପରେ କଲେଜରେ ରାଗିଂ ନାମରେ ଚାଲିଥିବା ନିର୍ଯ୍ୟାତନାର ଗୁମର ଖୋଲିଛନ୍ତି। ସିଧାସଳଖ ସେମାନେ ରାଗିଂ କରାଯାଉଥିବା ନେଇ ପୁଅ ଜଣାଇଥିବା କହିଛନ୍ତି।

ଏ ବିଷୟରେ ଅଭିଯୋଗ କରିଲେ ତାଙ୍କୁ ଆହୁରି ରାଗିଂ କରାଯିବ ଓ ମାଡ ମରାଯିବ ବୋଲି ଧମକ ଦେଇଥିବା ପୁଅ ଫୋନରେ କହିଥିବା ତାଙ୍କ ମା କହିଛନ୍ତି । ବାପା ଡ. ବିଷ୍ଣୁ କୁମାରଙ୍କ କହିବା ଅନୁସାରେ ଆଡମିସନ ସମୟରେ ବିବିଏମସିଏଚ ରାଗିଂ ଫ୍ରି କ୍ୟାମ୍ପସ ବୋଲି କୁହାଯାଇଥିଲା। କିନ୍ତୁ ପରେ ଜଣାପଡିଲା ପୁଅ କେଉଁ ସମୟ ଦେଇ ଗତି କରୁଛି। ତାର ମୃତ୍ୟୁ ପଛରେ ରାଗିଂ ହି ଦାୟୀ ବୋଲି ସେ କହିଛନ୍ତି। ଏପରିକି ଅନ୍ୟ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ମଧ୍ୟ ଭତଭୀତ ଅବସ୍ଥାରେ ରହିଛନ୍ତି। ଯେଉଁଥିପାଇଁ ସେମାନେ ଏ ବିଷୟରେ କାହାକୁ କିଛି କହୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏ ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତି ମେଡିକାଲ କଲେଜ ଡିନ ଡା. ସବିତା ମହାପାତ୍ର। କଲେଜରେ ସେହିଭଲି କୈାଣସି ରାଗିଂ ହୋଇନାହିଁ। ସିନିୟର ଛାତ୍ର ମାନେ କେବଳ ଜୁନିୟର ଛାତ୍ର ମାନଙ୍କ ନାମ, ଠିକଣା ବିଷୟରେ ପଚାରିଛନ୍ତି। ଅଣଓଡିଆ ଛାତ୍ର ମାନଙ୍କୁ ଓଡିଆ ଶିଖିବାକୁ ପରାମର୍ଶ ଦେଉଛନ୍ତି। ନିଜେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି ସେମାନେ ବି ରାଗିଂ ହେଉନଥିବା କହିଥିବା ଡା. ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅନ୍ୟପଟେ ଶନିବାର ସକାଳୁ ଏସଡିପିଓ ତୋଫାନ ବାଗଙ୍କ ନେତୃତ୍ୱରେ କଲେଜରେ ଛାନଭିନ ଆରମ୍ଭ କରାଯାଇଥିଲା। ମେଡିକାଲ କଲେଜ ପହଞ୍ଚି ନିଶାନ୍ତ କୁମାରଙ୍କ ବ୍ୟାଚମେଟ ଛାତ୍ର ମାନଙ୍କୁ ପଚରାଉଚୁରା କରାଯାଇଥିଲା। କଲେଜରେ ଫରେନସିକ ଟିମ ପହଞ୍ଚି ଛାନଭିନ କରିଥିବା ଦେଖିବାକୁ ମିଲିଥିଲା। ମୃତ ଛାତ୍ର ନିଶାନ୍ତ କୁମାର ରହୁଥିବା ପ୍ରଶିକ୍ଷଣ ବିଭାଗ ରୁମ ନଂ ୩୧୨ରେ ଫରେନସିକ ଟିମ ପହଞ୍ଚି ତାଙ୍କ ବ୍ୟବହୃତ ଏକ ବଂଶୀ, ଲ୍ୟାପଟପ, ଡାଏରୀ ଓ କିଛି ନୋଟ୍ସ ଜବତ କରିଛନ୍ତି । ଡାଏରୀ କିମ୍ବା ଲ୍ୟାପଟପରୁ କିଛି ସୁରାକ ମିଲିପାରେ ବୋଲି ପୁଲିସ ଆଶା ରଖିଛି। ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଏସପି ନୀତିନ କୁଶଳକର ମଧ୍ୟ ମେଡିକାଲ କଲେଜ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। କଲେଜର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।

Leave A Reply

Your email address will not be published.