ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟ କଂଗ୍ରେସ ସାଂଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ : ହଟିଲେ ବିଜୟ, ଭକ୍ତ ପ୍ରଚାର କମିଟି ଅଧ୍ୟକ୍ଷ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ସାଂଗଠନିକସ୍ତରରେ ବ୍ୟାପକ ଅଦଳ ବଦଳ ହୋଇଛି। ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ବରିଷ୍ଠ ନେତା ଭକ୍ତଚରଣ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରିଛି। ବିଜୟଙ୍କୁ ରାଜ୍ୟ ନିର୍ବାଚନ ସମନ୍ୱୟ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି। ଅନୁରୂପ ଭାବରେ ଦଳର ରାଜ୍ୟ ନିର୍ବାଚନ କମିଟି, ରାଜନୈତିକ ବ୍ୟାପାର କମିଟିର ପୁନର୍ଗଠନ କରାଯାଇଛି ଏବଂ ୭ ଉପସଭାପତି, ୪୨ ସାଧାରଣ ସମ୍ପାଦକ ଓ ୩୯ ସମ୍ପାଦକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼୍‌‌ଗେଙ୍କ ଅନୁମୋଦନକ୍ରମେ ସାଧାରଣ ସମ୍ପାଦକ କେ.ସି.ଭେନୁଗୋପାଳ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ରାଜ୍ୟରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ସ୍ପର୍ଶକାତର ରହିଛି। ନିୟମିତ ବ୍ୟବଧାନରେ ଦଳର ବହୁ ବିଧାୟକ ଓ ପୂର୍ବତନ ବିଧାୟକ କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଛନ୍ତି। ଦଳକୁ ସଙ୍ଗଠିତ କରିବା, ତୃଣମୂଳସ୍ତରରେ ସଙ୍ଗଠନକୁ ଦୃଢ଼ କରିବା କ୍ଷେତ୍ରରେ ସେପରି କିଛି ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରାଯାଉଥିବା ଦେଖାଯାଉ ନାହିଁ। ଏହି ପରିପ୍ରେକ୍ଷୀରେ ଦଳୀୟ ଇସ୍ତାହାର ପ୍ରସ୍ତୁତିରେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ଅନାବଶ୍ୟକ ହସ୍ତକ୍ଷେପକୁ କେନ୍ଦ୍ରୀୟ ନେତୃତ୍ୱ ଗ୍ରହଣ କରି ପାରି ନାହାନ୍ତି। ପ୍ରଚାର କମିଟି ଅଧ୍ୟକ୍ଷ ଭାବରେ ଶ୍ରୀ ପଟ୍ଟନାୟକଙ୍କ କାର୍ଯ୍ୟକଳାପ ମଧ୍ୟ ଦଳର ନେତାମାନଙ୍କ ପାଇଁ ଗ୍ରହଣୀୟ ହୋଇନାହିଁ। ଏଥିପାଇଁ ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦିଆଯାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ନବଗଠିତ ଦଳର ରାଜନୈତିକ ବ୍ୟାପାର କମିଟିରେ ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାସ, କିଶୋର ଜେନା, ମଧୁସ୍ମିତା ଆଚାର୍ଯ୍ୟ ଓ ମନୋଜା ମଞ୍ଜରୀ ଦେବୀ ସ୍ଥାନ ପାଇଛନ୍ତି। ସେହିପରି ନିର୍ବାଚନ କମିଟିରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, କିଶୋର ପଟେଲ, ଗଣେଶ୍ୱର ବେହେରା, ସୁରେଶ ରାଉତରାୟଙ୍କ ସହ ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଯଜ୍ଞେଶ୍ବର ବାବୁ ଓ ସୁରେଶ ମହାପାତ୍ର ରହିଛନ୍ତି। ଅନ୍ୟପକ୍ଷରେ ଉପସଭାପତି ଭାବରେ ଯୁଧିଷ୍ଠିର ଜେନା, ଚିନ୍ମୟ ପ୍ରସାଦ ବେଉରିଆ, ମନୋରଞ୍ଜନ ତ୍ରିପାଠୀ, ବନ୍ଦିତା ପରିଡ଼ା, ସନତ ଦାସ, ଜୟନ୍ତ ମହାନ୍ତି, ଗୌରୀଶ୍ୟାମ ପଣ୍ଡା ନିଯୁକ୍ତି ପାଇଛନ୍ତି।

Leave A Reply

Your email address will not be published.