ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠାରୁ ଆଇପିଏଲ୍‌- ୧୭ : ଉଦ୍‌ଘାଟନୀରେ ଚେନ୍ନାଇ-ବେଙ୍ଗାଲୁରୁ ଲଢେ଼ଇ

ଚେନ୍ନଇ : ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୭ତମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଉଦ୍‌ଘାଟନୀ ମୁକାବିଲାରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ପରସ୍ପରକୁ ଭେଟିବେ। ଯଦିଓ ଏହି ଦୁଇ ତାରକା ସେମାନଙ୍କ ଦଳର ନେତୃତ୍ୱ ଛାଡି ସାରିଛନ୍ତି। ଧୋନିଙ୍କ ବଦଳରେ ନୂଆ ଅଧିନାୟକ ଋତୁରାଜ ଗାଏକ୍ୱାଡ ଚେନ୍ନାଇ ଓ ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁପ୍ଲେସିସ୍‌ ବେଙ୍ଗାଲୁରୁ ଦଳରେ ନେତୃତ୍ୱ ନେବେ। ବିଶ୍ୱର ଶ୍ରେଷ୍ଠ ତଥା ତାରକା କ୍ରିକେଟରଙ୍କୁ ନେଇ ଦୁଇ ଦଳ ଗଠିତ ହୋଇଛି। ତେଣୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ପ୍ରଶଂସକମାନେ ସଂଘର୍ଷ ଓ ଜବରଦସ୍ତ ରୋମାଞ୍ଚ ଦେଖିବାକୁ ପାଇବେ।

ଅନ୍ତର୍ଜାତୀୟ କ୍ରିକେଟରୁ ଦୁଇମାସ ବିଶ୍ରାମ ନେବା ପରେ କୋହଲି ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। କିଛି ଦିନ ତଳେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ମଧ୍ୟ ସେ ଖେଳି ନଥିଲେ। ଏହି ସମୟରେ ସେ ଦ୍ୱିତୀୟ ତଥା ପୁତ୍ର ସନ୍ତାନର ଜନକ ହେବାର ସୌଭାଗ୍ୟ ଲାଭ କରିଥିଲେ। ଅନ୍ୟପଟେ ଏହି ସଂସ୍କରଣର ଶେଷ ଆଡକୁ ଅବସର ନେବେ ବୋଲି ଧୋନି ପୂର୍ବରୁ ଘୋଷଣା କରିସାରିଛନ୍ତି। ତେଣୁ ସେ ଏଥର ଆଇପିଏଲକୁ ସ୍ମରଣୀୟ କରାଇବାକୁ ପ୍ରୟାସ କରିବେ। ଗତ ସଂସ୍କରଣରରେ ଚେନ୍ନାଇ ଟାଇଟଲ ଜିତିଥିଲା। ଏପର୍ଯ୍ୟନ୍ତ ବେଙ୍ଗାଲୁରୁ ଟାଇଟଲ ହାସଲ କରିପାରିନାହିଁ। ତେଣୁ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ। ଘରୋଇ ମାଟିରେ ଚେନ୍ନାଇ ରେକର୍ଡ ଜବରଦସ୍ତ ରହିଛି। ତେଣୁ ବେଙ୍ଗାଲୁରୁକୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଏଠାରେ ଚେନ୍ନାଇ ୬୪ଟି ମ୍ୟାଚ୍‌ ଖେଳି ୪୫ଟିରେ ବିଜୟୀ ହୋଇଥିବା ବେଳେ ୧୯ଟିରେ ପରାସ୍ତ ହୋଇଛି। ଘରୋଇ ମାଟିରେ ଚେନ୍ନାଇର ବିଜୟ ପ୍ରତିଶତ ୭୦ରୁ ଅଧିକ ରହିଛି। ଡେଥ୍‌ ଓଭରରେ ଆରସିବିର ସମସ୍ୟା ରହିଛି। ସ୍ପିନରଙ୍କ ବିପକ୍ଷରେ ଚେନ୍ନାଇ ବେଶ୍‌ ଭଲ ଖେଳିଥାଏ। ଅନ୍ୟପଟେ ବେଙ୍ଗାଲୁରୁ ସ୍ପିନ ବିଭାଗରେ ଦୁର୍ବଳ ରହିଛି। ମଥିଶ ପଥିରାନା ନ ଥିବାରୁ ଚେନ୍ନାଇ ପାଇଁ ସାମାନ୍ୟ ସମସ୍ୟା ରହିଛି।

୧୦ ଦଳ, ୭୪ ମ୍ୟାଚ୍‌, ୧୧ ଭେନ୍ୟୁ

ଆଇପିଏଲ୍‌ରେ ଗତଥର ଭଳି ଏଥର ୧୦ଟି ଦଳ ଅଂଶଗ୍ରହଣ କରିବେ। ଦେଶରେ ଆଗକୁ ଆୟୋଜନ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପାଇଁ ଆଇପିଏଲ୍‌ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇନାହିଁ। କେବଳ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ମୋଟ ଉପରେ ୧୧ଟି ଭେନ୍ୟୁରେ ୭୪ଟି ମ୍ୟାଚ୍‌ ଖେଳାଯିବା ପରେ ଚାମ୍ପିଅନ କିଏ ହେବ ତାହା ସ୍ପଷ୍ଟ ହେବ। ଏଥର ଏକାଧିକ ଦଳର ନେତୃତ୍ୱରେ ପରିବର୍ତ୍ତନ କରାଯାଇଛି। ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ, ଶୁବମାନ ଗିଲ ଗୁଜରାଟ ଜାଏଣ୍ଟସ, ଶ୍ରେୟସ ଆୟର କୋଲକାତା ନାଇଟ ରାଇଡର୍ସ, ଲୋକେଶ ରାହୁଲ ଲକ୍ଷ୍ନୌ ସୁପର ଜାଏଣ୍ଟସ, ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ, ଶିଖର ଧାୱାନ ପଞ୍ଜାବ କିଙ୍ଗ୍‌ସ, ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସ ଓ ପ୍ୟାଟ କୁମିନ୍ସ ସନରାଇଜର୍ସ ହାଇଦ୍ରବାଦ୍‌ର ନେତୃତ୍ୱ ନେବେ।

ଚାମ୍ପିଅନ ଦଳକୁ ୨୦ କୋଟି ଟଙ୍କା ପୁରସ୍କାର

ଆଇପିଏଲ ରାଶିରେ ଏଥର ପରିବର୍ତ୍ତନ ନେଇ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ତରଫରୁ କୌଣସି ସୂଚନା ଦିଆଯାଇନାହିଁ। ତେଣୁ ଗତ ସଂସ୍କରଣ ଭଳି ଚାମ୍ପିଅନ ଦଳ ୨୦ ଓ ରନର୍ସଅପ୍‌ ଦଳ ୧୩ କୋଟି ଟଙ୍କା ଆର୍ଥିକ ପୁରସ୍କାର ହାସଲ କରିବେ।

ମ୍ୟାଚ୍‌ ପୂର୍ବରୁ ଉଦଘାଟନୀ ଉତ୍ସବ

ଚେନ୍ନାଇ- ବେଙ୍ଗାଲୁରୁ ମ୍ୟାଚ୍‌ ପୂର୍ବରୁ ଶୁକ୍ରବାର ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ରଙ୍ଗାରଙ୍ଗ୍‌ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବ। ଏଥିରେ ଚମତ୍କାର ଲେଜର ଶୋ’ର ଝଲକ ଦେଖିବାକୁ ମିଳିବ। ଅକ୍ଷୟ କୁମାର, ଟାଇଗର ଶ୍ରଫ୍‌ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରିବେ। ସେହିପରି ବିଶିଷ୍ଟ ସଂଗୀତକାର ଏଆର ରହମାନ ଓ ଗାୟକ ସୋନୁ ନିଗମ ସଂଗୀତ ପରିବେଷଣ କରିବେ।

ଚେନ୍ନାଇ ଦଳ: ଋତୁରାଜ ଗାଏକ୍ୱାଡ (ଅଧିନାୟକ), ମୋଇନ ଅଲି, ଆରାଭେଲି ଅଭାନିଶ, ଦୀପକ ଚହର, ଡେଭନ କନୱେ, ତୁଷାର ଦେଶପାଣ୍ଡେ, ମହେନ୍ଦ୍ର ସିଂ ଧୋନି, ଶିବମ ଦୁବେ, ରାଜବର୍ଦ୍ଧନ ହଙ୍ଗରଗେକର, ରବୀନ୍ଦ୍ର ଜାଡେଜା, ଅଜୟ ମଣ୍ଡଲ, ଡାରିଲ ମିଚେଲ, ମୁକେଶ ଚୌଧୁରୀ, ମୁସ୍ତାଫିଜୁର ରହମାନ, ମଥିସା ପଥିରାନା, ଅାଜିଙ୍କ୍ୟ ରାହାଣେ, ଶେଖ ରସିଦ, ରଚିନ ରବୀନ୍ଦ୍ର, ସମୀର ରିଜଭି, ମିଚେଲ ସାଣ୍ଟନର, ସିମରନଜିତ୍‌ ସିଂ, ନିଶାନ୍ତ ସିନ୍ଧୁ, ପ୍ରଶାନ୍ତ ସୋଲାଙ୍କି, ଶାର୍ଦ୍ଦୁଳ ଠାକୁର ଓ ମହିଶା ଥିକସାନା।

ବେଙ୍ଗାଲୁରୁ ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ) , ଆକାଶ ଦୀପ, ଅନୁଜ ରାୱତ୍‌, ମନୋଜ ଭଣ୍ଡାଗେ, ସୌରଭ ଚୌହାନ, ଟମ୍‌ କୁରାନ, ମୟଙ୍କ ଡାଗର, ଲୋକି ଫର୍ଗୁସନ, କାମେରନ ଗ୍ରୀନ୍‌, ୱିଲି ଜ୍ୟାକ୍ସ, ଅଲଜାରୀ ଜୋସେଫ୍‌, ଦୀନେଶ କାର୍ତ୍ତିକ, ବିରାଟ କୋହଲି, ମହିପାଲ ଲୋମରୋର, ଗ୍ଲେନ୍‌ ମ୍ୟାକ୍ସୱେଲ, ମହମ୍ମଦ ସିରାଜ, ରଜତ ପଟିଦାର, ସୂୟାଶ ପ୍ରଭୁଦେଶାଇ, ରଞ୍ଜନ କୁମାର, ହିମାଂଶୁ ଶର୍ମା, କର୍ଣ୍ଣ ଶର୍ମା, ସ୍ୱପ୍ନିଳ ସିଂ, ରିସି ଟୋପ୍‌ଲି, ବିଜୟ କୁମାର ବିଶାକ ଓ ୟଶ ଦୟାଲ।

Leave A Reply

Your email address will not be published.