ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ମୌସୁମୀ ସ୍ଥିର, ସପ୍ତାହେ ପର୍ଯ୍ୟନ୍ତ ସ୍ଥିତି ଅପରିବର୍ତ୍ତିତ; ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର ଆଶଙ୍କା

ଭୁବନେଶ୍ୱର: ମୌସୁମୀ ବ୍ରେକ୍‍ ଯୋଗୁଁ ରାଜ୍ୟରେ ବର୍ଷା ଉଭାନ ହୋଇଯାଇଛି। ବର୍ଷା କମିବା ପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ଗଲା ୨-୩ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସୋମବାର ରାଜ୍ୟର ୬ ଟି ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ଚାନ୍ଦବାଲିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୫.୮ ଡିଗ୍ରୀ ସେଲସିୟସ ରହିଛି। ଅନ୍ୟପଟେ ତାପମାତ୍ରା ସାଙ୍ଗକୁ ବାୟୁର ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ପରିସ୍ଥିତି ସୃଷ୍ଟି ହେଉଛି। ଯାହାକି ଜନଜୀବନ ଅସ୍ତବ୍ୟସ୍ତ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମୌସୁମୀ ନିମ୍ନ ଚାପରେଖା ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ହିମାଳୟ ପାଦଦେଶରେ ଅବସ୍ଥାନ କରୁଛି। ଏଥିପାଇଁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହୁଛି। ଏହା ପ୍ରଭାବରେ ଦିନ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ବୃଦ୍ଧି ସହ ଉପକୂଳ ଓଡ଼ିଶାର ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପର ଉପସ୍ଥିତି ହେତୁ ଗୁଳୁଗୁଳି ଅନୁଭୂତ ହେଉଛି।

ଅନ୍ୟପଟେ ମୌସୁମୀ ବ୍ରେକ୍‍ ସମୟରେ ଅଧିକ ବିଜୁଳି ଘଡ଼ଘଡ଼ି ସୃଷ୍ଟି ହେବା ପାଇଁ ପରିସ୍ଥିତି ଅନୁକୂଳ ରହୁଛି। ତେଣୁ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ୩୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୋଦ୍ଧ, ଅନୁଗୁଳ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସାଧାରଣତଃ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନ ହେବା ପର୍ଯ୍ୟନ୍ତ ମୌସୁମୀ ସ୍ୱାଭାବିକ ଅବସ୍ଥାକୁ ଫେରି ନ ଥାଏ। ମାତ୍ର ଆସନ୍ତା ସପ୍ତାହେ ମଧ୍ୟରେ ବଙ୍ଗୋପସାଗରରେ କୌଣସି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନ ଥିବାରୁ ଏହି ସ୍ଥିତି ଜାରି ରହିବାର ଆଶଙ୍କା କରାଯାଉଛି। ଅନ୍ୟପଟେ ମୌସୁମୀ ଜନିତ ବର୍ଷା ନ ହେଲେ ମଧ୍ୟ ଗରମ ଗୁଳୁଗୁଳି ଯୋଗୁଁ ବିଭିନ୍ନ ସମୟରେ ଉପରବେଳା ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.