ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାଭିମାନ ଅଞ୍ଚଳର ଚାଷୀଙ୍କୁ ସ୍ୱାବଲମ୍ୱୀ କରିବା ସହ ରୋଜଗାରର ପନ୍ଥା ଦେଖାଇଛି ଲେମନ୍‌ ଗ୍ରାସ୍‌‌ ଚାଷ

ମାଲକାନଗିରି(ଅଶୋକ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଚାଷୀଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ଆରମ୍ଭ କରାଇଥିଲେ ଲେମନ ଗ୍ରାସ ଚାଷ ପ୍ରକ୍ରିୟା। ଯେଉଁ ଚାଷ ବର୍ତ୍ତମାନ ଅଞ୍ଚଳବାସୀଙ୍କୁ ଭଲ ରୋଜଗାରର ପନ୍ଥା ଦେଖାଇଛି। ସ୍ୱାଭିମାନ ଅଞ୍ଚଳର ଚାଷୀ ପୂର୍ବରୁ ଅନେକ ମାତ୍ରାରେ ଗଞ୍ଜେଇ ଚାଷ କରୁଥିବା ବେଳେ ବର୍ତ୍ତମାନ ନିଜକୁ ସ୍ୱାଭିମାନୀ କରିବା ପାଇଁ ଗଞ୍ଜେଇ ଚାଷ ବଦଳରେ କରୁଛନ୍ତି ଲେମନ ଗ୍ରାସ।

ମାଲକାନଗିରି ଆଇଟିଡିଏ ସଂସ୍ଥା ପକ୍ଷରୁ ଦୁଇ ବର୍ଷ ତଳେ ସ୍ୱାଭିମାନ ଅଞ୍ଚଳ ପାପରମେଟଲା ପଞ୍ଚାୟତର ତଣ୍ଠାଗୁଡା, ଯନ୍ତାପାଇ, ଲାଉଗୁଢା ଆଦି ଅଞ୍ଚଳର ଚାଷୀଙ୍କୁ ଲେମନ ଗ୍ରାସ ଚାଷ ପାଇଁ ଚାଷୀଙ୍କୁ ଚାରା ଯୋଗାଇ ଦେଇଥିଲା। ଘାସରୁ ତେଲ ଉତ୍ପାଦନ କରିବା ପାଇଁ ତୈଳ ପ୍ରୋସେସିଙ୍ଗ ୟୁନିଟର ମଧ୍ୟ ସ୍ୱାଭିମାନ ଅଞ୍ଚଳରେ ସ୍ଥାପନ କରିଥିଲା ସଂସ୍ଥା। ଏବେ ଫସଲ ଅମଳ ହେବା ପରେ ଜମିରୁ ଘାସ ଗୁଡିକୁ କାଟି ଆଣି ପ୍ରୋସେସିଙ୍ଗ ୟୁନିଟରେ ତେଲ ପ୍ରସ୍ତୁତ କରୁଛନ୍ତି ଚାଷୀ। ପ୍ରଶାସନ ତରଫରୁ ଚାଷୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ଏହି ଅଞ୍ଚଳର ଚାଷୀମାନେ ପ୍ରାୟ ୨୦ରୁ ୨୫ ଏକର ଜମିରେ ଏବେ ଲେମନ ଗ୍ରାସ୍‌‌ ଚାଷ କରିଛନ୍ତି। ଲେମନ ଗ୍ରାସରୁ ସାଧାରଣତଃ ସୁଗନ୍ଧିତ ତୈଳ ବାହାର କରାଯାଏ। ଏହି ତେଲ କସମେଟିକ ସାମଗ୍ରୀ ଓ ଫାର୍ମା କମ୍ପାନୀରେ ବ୍ୟବହାର କରାଯାଇଥାଏ। ଏହି ତେଲର ଲିଟର ପିଛା ଦର ୧୨୦୦ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ବଜାରରେ ବିକ୍ରି ହୋଇଥାଏ। ଲେମନ ଗ୍ରାସ୍‌‌ ଏକ ଲାଭ ଦାୟକ ଚାଷ ହୋଇଥିବାରୁ ଚାଷୀ ଏହି ଚାଷ କରିବା ପାଇଁ ମନ ବଳାଉଛନ୍ତି। ଜମିରେ ଥରେ ଏହି ଚାଷ ହେଲେ ଚାଷୀଙ୍କୁ ପାଖାପାଖି ୮ ବର୍ଷ ପର୍ଯ୍ୟନ୍ତ ଲାଭ ମିଳିଥାଏ।

Leave A Reply

Your email address will not be published.