ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ଜେଏନ୍‌.୧’ର କଣ ରହିଛି ଲକ୍ଷଣ ଓ କିପରି ରହିବେ ସତର୍କ….

ମହାମାରୀ କରୋନାର ପ୍ରକୋପ କିଛିଦିନ ହେବ କମି ଯାଇଥିଲା। ଏବେ ଏହାର ଉପ ପ୍ରଜାତି ଲୋକଙ୍କ ମନରେ ଭୟ ସଂଚାର କରିଛି। ଏହି ନୂତନ ପ୍ରଜାତିକୁ ଚିକିତ୍ସା ବିଜ୍ଞାନ ଭାଷାରେ ଜେଏନ୍‌.୧ ଉପ ପ୍ରଜାତି କୁହାଯାଉଛି । ଜେଏନ୍‌.୧ ଗତବର୍ଷ ଦେଖାଯାଇଥିବା ଓମିକ୍ରନ୍‌ ଭୂତାଣୁର ସବ୍‌ ଭେରିଆଣ୍ଟ ବା ଉପ ପ୍ରଜାତି। ଭାରତରେ କିଛି ରୋଗୀ ଏହି ଜେଏନ୍‌. ୧ ଉପ ପ୍ରଜାତି ଦ୍ବାରା ସଂକ୍ରମିତ ହୋଇଛନ୍ତି। ବିଶେଷ କରି କର୍ଣ୍ଣାଟକ ଓ କେରଳରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ଓଡ଼ିଶାରେ ମଧ୍ୟ କେତେଜଣ ଲୋକ କରୋନାର ଏହି ନୂଆ ପ୍ରଜାତିରେ ଆକ୍ରାନ୍ତ ହୋଇଛନ୍ତି। ଜେଏନ୍‌.୧ ଉପ ପ୍ରଜାତି କ୍ଷୀପ୍ର ଗତିରେ ସଂକ୍ରମଣ କରୁଥିଲେ ମଧ୍ୟ ଏହା ଏତେ ବିପଦଜନକ ନୁହେଁ। ସାମାନ୍ୟ ସତର୍କତା ଅବଲମ୍ବନ କରି ଏହି ନୂତନ ଉପପ୍ରଜାତି ଭୂତାଣୁ ସଂକ୍ରମଣରୁ ବର୍ତ୍ତିପାରିବା।

୨୦୨୧ରେ କୋଭିଡ୍‌ର ଡେଲ୍‌ଟା ଉପପ୍ରଜାତି ଭୟାନକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିଲା ଫୁସ୍‌ଫୁସ୍‌ ସଂକ୍ରମଣ ହେବା, ରକ୍ତରେ ଅମ୍ଳଜାନ ସ୍ତର କମି ମୃତ୍ୟୁର କାରଣ ସାଜିବା, ରୋଗୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି ହେବା ଦରକାର ପଡ଼ୁଥିଲା। ହୃଦ୍‌ସମସ୍ୟା, ଶ୍ବାସଜନିତ ସମସ୍ୟା, ଭେଣ୍ଟିଲେଟର ଦରକାର ହେଉଥିଲା, ଉଚ୍ଚ ପରିମାଣରେ ଷ୍ଟ୍ରେରଏଡ଼ ତଥା ଜୀବନରକ୍ଷାକାରୀ ଉଚ୍ଚ ମୂଲ୍ୟର ଔଷଧର ଆବଶ୍ୟକତା ରହୁଥିଲା। ତେବେ ସେଭଳି ଔଷଧ ଏହି ଜେଏନ୍.୧ ଉପ ପ୍ରଜାତି ପାଇଁ ଦରକାର ପଡ଼ୁନାହିଁ।

ଲକ୍ଷଣ

ଭୂତାଣୁ ଶରୀରରେ ପ୍ରବେଶ କରିବାର ହାରାହାରି ୫ରୁ ୭ଦିନ ମଧ୍ୟରେ ଲକ୍ଷଣ ଦେଖାଯାଉଛି। ଲକ୍ଷଣ ଦେଖାଯିବା ମାତ୍ରେ, ଖାଇବାରେ ଯନ୍ତ୍ରଣା ହେବା, ନିଶ୍ବାସ ନେବାରେ ସମସ୍ୟା ହେବା, ଅଳ୍ପମାତ୍ରାରେ ଜ୍ବର ହେବା ସହ ଥକ୍କାପଣ, ମୁଣ୍ଡ ତଥା ପିଠିରେ ଯନ୍ତ୍ରଣା ହେବା, ନାକରୁ ପାଣି ଗଡ଼ିବା, କାଶ, ଗଳା ଦରଜ, ପେଟ ଦରଜ, ଭୋକ ନ ଲାଗିବା ଆଦି ସାଧାରଣ ଲକ୍ଷଣ ଦେଖାଯାଇଥାଏ। ମାତ୍ର ୨୦ରୁ ୩୦ ପ୍ରତିଶତ ବ୍ୟକ୍ତିଙ୍କ ଠାରେ ପେଟ ଦରଜ ହେବା, ତରଳ ଝାଡ଼ା ବାନ୍ତି ହେବା ଓ ଖାଦ୍ୟହଜମ ନ ହେବା ଆଦି ଲକ୍ଷଣ ଦେଖାଯାଇଥାଏ। କୌଣସି ବ୍ୟକ୍ତିଙ୍କ ଠାରେ ଏହି ଲକ୍ଷଣ ଦେଖିବାକୁ ମିଳୁଥିଲେ, ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ କୋଭିଡ୍‌ ପରୀକ୍ଷା କରାଇ ନେବା ଜରୁରି।

ଉପରୋକ୍ତ ରୋଗର ଲକ୍ଷଣ ଦେଖିବା ମାତ୍ରେ ରୋଗ କେତେ ମାତ୍ରାରେ ହୋଇଛି, ସେହି ଲକ୍ଷଣ ଅନୁଯାୟୀ ଔଷଧ ସେବନ କରିବା ଦ୍ବାରା ଆରୋଗ୍ୟ ଲାଭ ହୁଏ। ସେହିପରି ବୟସ୍କ ନାଗରିକ ଯେଉଁମାନଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି କମ୍‌, ଅଣନିୟନ୍ତ୍ରିତ ଉଚ୍ଚ ରକ୍ତଚାପ, ଅଣନିୟନ୍ତ୍ରିତ ମଧୁମେହ, ବୃକ୍‌କ କିମ୍ବା ଯକୃତ୍‌ ଜନିତ ସମସ୍ୟା ଥିଲେ, ଗମ୍ଭୀର ଶ୍ବସନ ସଂକ୍ରମଣ ବା ନିମୋନିଆରେ ପୀଡ଼ିତଙ୍କୁ କୋଭିଡ୍‌ ହେବା ଦ୍ବାରା ରୋଗର ଭୟାବହତା ବୃଦ୍ଧି ପାଏ। ଏହି ରୋଗ ଥିଲେ ଅଧିକ ସତର୍କ ରହିବା ଜରୁରି।

ସତର୍କତା ହିଁ ସୁରକ୍ଷାର ମୂଳମନ୍ତ୍ର

ପୂଜାପାର୍ବଣ ସମୟରେ ସତର୍କତା ପାଳନ କରିବା ଜରୁରି। ସାମାଜିକ ଦୂରତା ତଥା ବ୍ୟକ୍ତି ବ୍ୟକ୍ତିଙ୍କ ମଧ୍ୟରେ ଦୂରତା ୩ରୁ ୬ଫୁଟ ରଖିବା, ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ସାବୁନରେ ଧୋଇବା, ବାହାର ଖାଦ୍ୟ ବା ପାଣି ପିଉଥିଲେ ସତର୍କ ରହିବା, ବାହାରକୁ ଯାଉଥିଲେ ବାରମ୍ବାର ଆଖି, ମୁହଁ, ନାକରେ ହାତ ନ ମାରିବା ଆବଶ୍ୟକ।

ଏହବାଦ୍‌ ଯେଉଁମାନେ କୋଭିଡ୍‌ର ପ୍ରଥମ ବା ଦ୍ବିତୀୟ ଡୋଜ୍‌ ନେଇ ନାହାନ୍ତି ସେମାନେ ତୁରନ୍ତ ଟିକା ନେବା ଆବଶ୍ୟକ। ସତର୍କତା ବା ସାବଧାନ ଅବଲମ୍ବନ କଲେ ନୂତନ କୋଭିଡ୍‌ ଲହରୀରୁ ସୁରକ୍ଷିତ ରହିବା ସମ୍ଭବ। ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି ଅଧିକ ରହିଛି; ସେମାନେ ମଧ୍ୟ ଏହି ସଂକ୍ରମଣର ଶିକାର ହେଉଛନ୍ତି। ତେଣୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭିଟାମିନ୍‌ ଓ ପୋଷକତତ୍ତ୍ବଯୁକ୍ତ ଖାଦ୍ର ଗ୍ରହଣ କରିପାରିବା ସହ ବ୍ୟାୟାମ, ଯୋଗ ଓ ପ୍ରାଣାୟମ କରିବା ସ୍ବାସ୍ଥ୍ୟପ୍ରଦ।

ଏହି ରୋଗରୁ ବର୍ତ୍ତିବା ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନକୁ ମାସ୍କ ପିନ୍ଧି ଯିବା ଜରୁରି। ଅଧିକ ବୟସ୍କ ବ୍ୟକ୍ତି କିମ୍ବା ଗର୍ଭବତୀ ମହିଳା, କମ୍‌ ରୋଗପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ମଧ୍ୟ ଭିଡ଼ ଭିତରକୁ ଯିବା ଅନୁଚିତ। ଏହି ଭାରିଆଣ୍ଟ ଭାରତ ସମେତ ଆମେରିକା, ବ୍ରିଟେନ୍‌, ଆଇସ୍‌ଲ୍ୟାଣ୍ଡ, ସ୍ପେନ୍‌ ସମେତ ସମଗ୍ର ବିଶ୍ବର ୪୦ଟି ଦେଶକୁ ବ୍ୟାପିଛି। ରୋଗପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାକୁ ପୋଷକତତ୍ତ୍ବ ଯୁକ୍ତ ସନ୍ତୁଳିତ ଖାଦ୍ୟ ଖାଇବା ସହ ବ୍ୟାୟ। ଭିଟାମିନ୍‌ ସି- ଏ, ଡି ଏବଂ ଇ ସେବନ କରିବା ଜରୁରି। ସେହିପରି ନିୟମିତ ନିଜ ଶରୀରକୁ ଆବଶ୍ୟକତା ଅନୁଯାୟୀ ପାଣି ପିଇବା ଆବଶ୍ୟକତା ରହିଛି।

ଜ୍ବରର ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ଜରୁରି। ଏହାସହ ଲେମ୍ବୁ, ଅଁଳା ଭଳି ଭିଟାମିନ୍‌-ସି ଯୁକ୍ତ ଖାଦ୍ୟ ସମେତ ଭିଜା ବାଦାମ ଓ ଅଖରୋଟ୍‌ , ସବୁଜ ପନିପରିବା, ଗଜାମୁଗ, ସାଲାଡ, ପାଳଙ୍ଗ, ସଜନା ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଶାଗ ଖାଇବା ଉଚିତ। ଏପରିକି ଡାଳିମ୍ବ ଜୁସ୍‌ ପିଇପାରିବେ, ନିୟମିତ ସକାଳୁ ଖାଲି ପେଟରେ ପଇଡ଼ ପାଣି ପିଇବା ସ୍ବାସ୍ଥ୍ୟପ୍ରଦ। ସକାଳ ଏବଂ ସନ୍ଧ୍ୟାରେ କାଢ଼ା ପିଇବା ସ୍ବାସ୍ଥ୍ୟ ପାଇଁ ଭଲ।

ଡା.ଚିରରଞ୍ଜନ ଖାଡ଼ଙ୍ଗା, କର୍କଟ ବିଶେଷଜ୍ଞ, ସମ୍‌ ଅଲଟିମେଟ୍‌, ଭୁବନେଶ୍ବର,

Leave A Reply

Your email address will not be published.