ହକି ବିଶ୍ବକପ୍‌ ୨୦୨୩ : ଦକ୍ଷିଣ କୋରିଆକୁ ୫-୧ ଗୋଲ୍‌ରେ ହରାଇ ସେମି ଫାଇନାଲ୍‌ରେ ନେଦରଲାଣ୍ଡ୍‌ସ

ଭୁବନେଶ୍ବର : ହକି ବିଶ୍ବକପ୍‌ ୨୦୨୩ରେ ଚତୁର୍ଥ ତଥା ଶେଷ ଦଳ ଭାବେ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ନେଦରଲାଣ୍ଡ୍‌ସ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଶେଷ କ୍ବାଟର ଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆକୁ ୫-୧ ଗୋଲ୍‌ରେ ହରାଇ ସେମି ଫାଇନାଲ୍‌ରେ ନିଜ ସ୍ଥାନ ପକ୍କା କରିଛି ନେଦରଲାଣ୍ଡ୍‌ସ।

ଆଜି ଖେଳାଯାଉଥିବା ହକି ବିଶ୍ବକପ୍‌ ୨୦୨୩ର ଚତୁର୍ଥ କ୍ଵାଟର ଫାଇନାଲରେ ନେଦରଲାଣ୍ଡ୍‌ସ ଆରମ୍ଭରୁ କୋରିଆ ଉପରେ ଚାପ ପକାଇଥିଲା। ପ୍ରଥମ କ୍ବାର୍ଟରରେ ଗୋଲ ଦେଇ ନଥିଲେ ବି ବିପକ୍ଷ ଟିମ୍‌କୁ ନିୟନ୍ତ୍ରଣ କରିପାରୁଥିଲା। ଦ୍ବିତୀୟ କ୍ବାର୍ଟରରେ ଗୋଟିଏ, ତୃତୀୟ ଓ ୪ର୍ଥ କ୍ବାର୍ଟରରେ ୨ଟି ଲେଖାଏଁ ଗୋଲ୍‌ ଦେଇଥିଲା। ନେଦରଲାଣ୍ଡ୍‌ସ ପକ୍ଷରୁ କୋଏନ୍‌ ବିଜେନ୍‌ ସର୍ବାଧିକ ୨ଟି ଗୋଲ୍‌ ଦେଇଥିଲେ। ସେ ଫିଲ୍ଡ ଓ ପେନାଲ୍ଟି ଗୋଲ୍‌ ଯଥାକ୍ରମେ ୨୬ ଏବଂ ୩୦ ମିନିଟରେ ଦେଇଥିଲେ। ଜଷ୍ଟିନ୍‌ ବ୍ଲକ ଓ ଷ୍ଟେଜିନ୍‌ ଭାନ୍‌‌ ହେଜ୍‌ନିଜେନ୍‌ ଯଥାକ୍ରମେ ୩୫ ଓ ୪୯ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ନେଦରଲାଣ୍‌ସ ପାଇଁ ୫୭ ମିନିଟରେ ଟିଉନ୍‌ ବେଇନ୍‌ ଆଉ ଏକ ଗୋଲ୍‌ ଦେଇ ଦଳକୁ ୫-୧ରେ ଆଗୁଆ କରିଥିଲେ। ଜବାବରେ କୋରିଆ ପକ୍ଷରୁ ଇନ୍‌ଓେ ସିଓ ୫୦ ମିନିଟରେ ଏକ ଗୋଲ୍‌ ଦେଇଥିଲେ।

ଅନ୍ୟପଟେ ଆଜି ଖେଳାଯାଇଥିବା ହକି ବିଶ୍ବକପ୍‌ ୨୦୨୩ର ତୃତୀୟ କ୍ଵାଟର ଫାଇନାଲରେ ଇଂଲଣ୍ଡ ଆଉ ଜର୍ମାନି ମଧ୍ୟ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ସଂପୂର୍ଣ୍ଣ ସମୟ ଶେଷ ହେବା ପରେ ଉଭୟ ଦଳ ୨-୨ ଗୋଲ ରେ ରହିଥିଲେ। ଖେଳ ଆରମ୍ଭରୁ ହିଁ ଇଂଲଣ୍ଡ ଜର୍ମାନି ଉପରେ ଭାରି ଥିବାର ଦେଖିବାକୁ ମିଳିଥିଲା। ଇଂଲଣ୍ଡ ତରଫରୁ ଯାଚେରୀ ୱେଲେସ ୧୧ ମିନିଟରେ ହିଁ ପ୍ରଥମ ଗୋଲ ସ୍କୋର କରିଥିଲେ ଏବଂ ଲିଆନ ଅନ୍ସେଲ ୩୨ ମିନିଟରେ ପେନାଲ୍ଟି କର୍ଣ୍ଣର ଜରିଆରେ ଦ୍ଵିତୀୟ ଗୋଲ ସ୍କୋର କରି ୨-୦ ରେ ଦଳ ଲିଡ଼ କରୁଥିଲା। କିନ୍ତୁ ଶେଷ ୩ ମିନିଟରେ ଜର୍ମାନୀ ଖେଳ ବଦଳେଇ ଦେଇଥିଲା । ଜର୍ମାନୀ ତରଫରୁ ମେଟ୍ ଗ୍ରାମ୍ବୁସ ୫୭ ମିନିଟରେ ପ୍ରଥମ ଗୋଲ ଦେଇଥିଲେ ଏବଂ ୫୮ ମିନିଟରେ ଟମ୍ ଗ୍ରାମ୍ବୁସ ପେନାଲ୍ଟି ଷ୍ଟ୍ରୋକ ଦ୍ବାରା ଦ୍ଵିତୀୟ ଗୋଲ ଦେଇ ସ୍କୋର ୨-୨ ରେ ବରାବର କରିଥିଲେ। ତାପରେ ଉଭୟଙ୍କ ମଧ୍ୟରେ ପେନାଲ୍ଟି ଶୁଟ ଆଉଟ୍ ହେଇଥିଲା ଏବଂ ଯେଉଁଥିରେ ୪-୩ ରେ ଜର୍ମାନୀ ବିଜୟୀ ହୋଇଛି।

ଅନ୍ୟପଟେ ଗତକାଲି କଳିଙ୍ଗରେ ଖେଳାଯାଇଥିବା ଅନ୍ୟ ଦୁଇଟି କ୍ଵାଟର ଫାଇନାଲରେ ବିଜୟ ହାସଲ କରି ବିଶ୍ବ ମାନ୍ୟତାର ୧ ଓ ୨ ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଓ ବେଲ୍‌ଜିୟମ ପ୍ରଥମ ଦୁଇ ଦଳ ଭାବେ ଚଳିତ ହକି ବିଶ୍ବକପ୍‌ର ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ମଙ୍ଗଳବାରର କ୍ବାର୍ଟରଫାଇନାଲ୍‌ରେ ୩ ଥର ବିଜେତା ଅଷ୍ଟ୍ରେଲିଆ ୪-୩ ଗୋଲ୍‌ରେ ସ୍ପେନ୍‌କୁ ଏବଂ ‌ବିଜେତା ବେଲ୍‌ଜିୟମ ୨-୦ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ୧୯୮୬, ୨୦୧୦ ଓ ୨୦୧୪ରେ ବିଜେତା ହୋଇଥିଲା ବେଳେ ଗତ ଥର କାଂସ୍ୟରେ ସନ୍ତୁଷ୍ଟ ରହିଥିଲା। ଏହି ଦଳ ଲିଗ୍‌ ପର୍ଯ୍ୟାୟରେ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଗ୍ରୁପ୍‌-ଏ’ ଟେବୁଲର ଶୀର୍ଷରେ କ୍ବାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା।ଭୁବନେଶ୍ବରରେ ଗତ ସଂସ୍କରଣ ମୁକୁଟ କରାୟତ୍ତ କରିଥିବା ବେଲ୍‌ଜିୟମ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଗ୍ରୁପ୍‌-ବି’ ଟେବୁଲର ଶୀର୍ଷରେ ରହି କ୍ବାର୍ଟରଫାଇନାଲ୍ ଆସିଥିଲା।

Leave a comment