ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ଭିତ୍ତିଭୂମି ପ୍ରସ୍ତୁତି ଜରୁରୀ: ମୁଖ୍ୟମନ୍ତ୍ରୀ

ବିପିୟୁଟିର ଏକାଡେମିକ୍‍ ମିଟ୍‍

ଭୁବନେଶ୍ୱର : ଏକବିଂଶ ଶତାବ୍ଦୀ ଆବଶ୍ୟକ କରୁଥିବା ଜ୍ଞାନ କୌଶଳକୁ ଭିତ୍ତିକରି ରାଷ୍ଟ୍ରର ବୈଷୟିକ ଶିକ୍ଷା ଭିତ୍ତିଭୂମି ପ୍ରସ୍ତୁତ ହେବା ଜରୁରୀ। ରାଜ୍ୟ ସରକାରଙ୍କ ଶିକ୍ଷା ରୂପାନ୍ତରଣ ଯୋଜନା ଏ ଦିଗରେ କାର୍ଯ୍ୟ କରୁଛି। ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରୀତା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତରଣକୁ ଗୁରୁତ୍ବ ଦିଆଯାଇଛି। ଏହା କାର୍ଯ୍ୟକାରୀ ହେଲେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଭିନ୍ନ ଏକ ମୋଡ଼ ପ୍ରଦାନ କରିବ ବୋଲି ଗତକାଲି ଲୋକସଭା ଭବନ ପରିସରରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପକ୍ଷରୁ ବୈଷୟିକ ଓ ବୃତ୍ତିଗତ ଶିକ୍ଷାର ରୂପାନ୍ତର ସମ୍ପର୍କିତ ଏକ ଏକାଡେମିକ୍‍ ମିଟ୍‍ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।


ଏହି ଅବସରରେ ଶ୍ରୀ ପଟ୍ଟନାୟକ ‘ଏନଇପି-୨୦୨୦’ ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍‍ କେ କସ୍ତୁରୀରଙ୍ଗନଙ୍କ ଉଚ୍ଚ ପ୍ରଶଂସା କରିବା ସହ ନୂଆ ଶିକ୍ଷାନୀତିର କାର୍ଯ୍ୟକାରୀତାରେ ରାଜ୍ୟ ସରକାର ସବୁ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆମ ଓଡ଼ିଆ ସଭ୍ୟତାର ଭବିଷ୍ୟତ ଶିକ୍ଷାର ଗୁଣବତ୍ତା ଉପରେସମ୍ପୂର୍ଣ୍ଣ ନିର୍ଭରଶୀଳ। ଆମ ପିଲାଙ୍କୁ ଭବିଷ୍ୟତ ପାଇଁ କିପରି ପ୍ରସ୍ତୁତ କରୁଛେ, ତାହା ମଧ୍ୟ ଆମ ରାଜ୍ୟର ଭବିଷ୍ୟତ ଉପରେ ନିର୍ଭର କରେ। ସାମାଜିକ ଆକାଂକ୍ଷା, ବିକାଶର ପ୍ରାଥମିକତା ଏବଂ ସାମାଜିକ ମୂଲ୍ୟବୋଧ ପାଇଁ ଉଚ୍ଚଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ଏଗୁଡିକ ନିୟମିତ ମୂଲ୍ୟାଙ୍କନ ଓ ସମୟ ଅନୁଯାୟୀ ପରିବର୍ତ୍ତନ ହେବା ଆବଶ୍ୟକ। ଏଥିପ୍ରତି ଶିକ୍ଷାନୁଷ୍ଠାନଗୁଡ଼ିକ ଯତ୍ନଶୀଳ ହେବା ଜରୁରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂଆ ଶିକ୍ଷାନୀତି ୨୦୨୦ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିବା ସହ ନୂଆ ନୀତିର ପ୍ରଶଂସା କରିଥିଲେ।


କାର୍ଯ୍ୟକ୍ରମରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରତି ରଞ୍ଜନ ଘଡ଼ାଇ ଯୋଗ ଦେଇ ବୈଷୟିକ ଶିକ୍ଷାକୁ ନେଇ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ଭିଜନ ତଥା ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଓୟୁଟିଆର ଓ ଭିସୁଟ୍‍ ଆଦି ବୈଷୟିକ ବିଶ୍ୱବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଘଡ଼ାଇ ବିଶଦ୍‍ ତଥ୍ୟ ରଖିବା ସହ ‘୫-ଟି’ ରୂପାନ୍ତର ଯୋଜନାରେ ରୂପାନ୍ତରିତ ହେଉଥିବା ତଥା ହେବାକୁ ଥିବା ବିଭିନ୍ନ ଯୋଜନା ବାବଦରେ ସୂଚନା ରଖିଥିଲେ। ବୈଠକରେ ୫-ଟି ସଚିବ ଭିକେ ପାଣ୍ଡିଆନ୍‍, ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିପିୟୁଟିର କୁଳପତି ପ୍ରଫେସର ବଂଶୀଧର ମାଝୀ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ କୁଳସଚିବ ଗିରିଶ ଚନ୍ଦ୍ର ସିଂ ଧନ୍ୟବାଦ୍‍ ଅର୍ପଣ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ନୂଆ ଶିକ୍ଷାନୀତି କାର୍ଯ୍ୟକାରୀତା ଗବେଷଣା, ଏନଆଇଆରଏଫ୍‍ ର‍୍ୟାଙ୍କିଂରେ ଉତ୍ତମ ପ୍ରଦର୍ଶନ, ବୈଷୟିକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ରୂପାନ୍ତରଣ ତଥା ଶିକ୍ଷକ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା।

Leave A Reply

Your email address will not be published.