ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୌଷରେ ବି ଲୋଡ଼ାନାହିଁ ଶୀତବାସ, ଲା-ନିନା ସତ୍ତ୍ବେ ସ୍ୱାଭାବିକଠାରୁ ଉପରେ ପାରଦ

ଭୁବନେଶ୍ୱର : ‘ଶୀତରେ ପୌଷ ମାଘ ମାସ, ଦେହରେ ରଖ ଶୀତ ବାସ’। ପିଲାମାନଙ୍କୁ ଋତୁଚକ୍ର ପଢ଼ାଯିବା ବେଳେ ଏ ପଦ୍ୟାଂଶ ଆଉ ପ୍ରାସଂଗିକ ହୋଇ ରହୁନାହିଁ। ପୌଷ ମାସର ଅଧା ଦିନ ସରିବାକୁ ବସିଲାଣି ତଥାପି ପଙ୍ଖା ବନ୍ଦ ହୋଇନାହିଁ। ଦିନରେ ତାତି ଅନୁଭୂତ ହେଉଛି। ରାତିରେ ବି ପାରଦ ଯଥେଷ୍ଟ ଉପରେ ରହୁଛି। ଫଳରେ ଶୀତ ରାତି ଆଗରେ ଜଳବାୟୁ ପରିବର୍ତ୍ତନ ବାଡ଼ ଭାବେ ଠିଆ ହୋଇଛି। ଭାରତୀୟ ପାଣିପାଗ ବିଭାଗ ଡିସେମ୍ବର ଓ ଜାନୁଆରୀ ମାସକୁ ଶୀତ ଋତୁ ଭାବେ ଗ୍ରହଣ କରୁଛି। କିନ୍ତୁ ଡିସେମ୍ବର ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ରାଜ୍ୟରେ ଶ୍ୱେତ (ଧଳା)ଶୀତ ନ ପଡ଼ିବା ପରିବେଶବିତ ଓ ବୈଜ୍ଞାନିକମାନଙ୍କୁ ଚକିତ କରିଛି।

ସାଧାରଣତଃ ଶୀତ ଋତୁରେ ହିମାଳୟର ଉପର ଏବଂ ତଳ ଭାଗରେ ତୁଷାରପାତ ହେତୁ ହିମାଳୟ ପର୍ବତମାଳା ଶ୍ୱେତବର୍ଣ୍ଣ ଧାରଣ କରିଥାଏ। ଏହି ଅଞ୍ଚଳରୁ ଦେଶର ଅନ୍ୟ ଅଞ୍ଚଳକୁ ପ୍ରବାହିତ ହେଉଥିବା ଉତ୍ତରା ପବନ ସାରା ଦେଶର ଶୀତ ଅନୁଭୂତ କରାଏ। ହେଲେ ପର୍ବତ ମାଳାରେ ତୁଷାରପାତ କମିଗଲେ ଏହା ଶ୍ୱେତ ପରିବର୍ତ୍ତେ ଧୂଷର ରଙ୍ଗ ହୋଇଯାଏ ଓ ଏଠାରୁ ଆସୁଥିବା ପବନ ବିଶେଷ ଶୀତ କରାଇପାରି ନ ଥାଏ। ଡିସେମ୍ବରର ମାସ ୨୭ ତାରିଖ ସୁଦ୍ଧା ରାଜ୍ୟରେ ମାତ୍ର ୭ ଟି ଥଣ୍ଡା ରାତି ଅନୁଭୂତ ହୋଇଥିବା ବେଳେ ୧୫ ଟି ଉଷ୍ମ ରାତି ଅନୁଭୂତ ହୋଇଛି।

ଅନ୍ୟପଟେ ବିଷୁବ-ରେଖା ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ଜଳବାୟୁ ପ୍ରକ୍ରିୟା ଲା-ନିନା ସକ୍ରିୟ ରହିଲେ ପ୍ରବଳ ଶୀତ ହେଉଥିବା ବେଳେ ଚଳିତ ବର୍ଷ ଏହି ସ୍ଥିତି ଥିବା ସତ୍ତ୍ବେ ଶୀତ ନ ହେବା ବୈଜ୍ଞାନିକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।
ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ନଭେମ୍ୱର ଏବଂ ଡିସେମ୍ୱରରେ କେନ୍ଦ୍ରୀୟ ଭାରତର ଗୁରୁଚାପ ବଳୟ ଉତ୍ତରା ବାୟୁକୁ ଓଡ଼ିଶା ପ୍ରବେଶ କରେଇବା ସହ ଶୀତର ପ୍ରଭାବ ବୃଦ୍ଧି କରାଇଥାଏ। ଚଳିତ ବର୍ଷ ନଭେମ୍ୱର ମାସରୁ ୨-୩ ଟି ଗୁରୁଚାପ ବଳୟ ଉତ୍ତରା/ ଉତ୍ତର-ପଶ୍ଚିମା ବାୟୁକୁ ସକ୍ରିୟ କରାଇ ଥିଲେ ମଧ୍ୟ ରାଜ୍ୟରେ ଶ୍ୱେତ-ଶୀତର ଅଭାବ (ହିମାଳୟ ଅଞ୍ଚଳରେ ଶ୍ୱେତ ତୁଷାରର ଅଭାବ ଯୋଗୁଁ) ଦେଖା ଦେଇଛି ବୋଲି ଶ୍ରୀ ଦାସ କହିଛନ୍ତି।

ଧୂଷର ଶୀତ ଯୋଗୁଁ ଡିସେମ୍ୱର ମାସରେ ଏଯାବତ ୨୭ ଟି ରାତି ମଧ୍ୟରୁ କେବଳ ୭ ଟି ରାତିରେ ରାଜ୍ୟରେ ପାଖାପଖି ୪୦ ପ୍ରତିଶତ ସ୍ଥାନ କିମ୍ୱା ତାଠାରୁ ଅଧିକ ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ରାତ୍ରି ତାପମାତ୍ରା ୨ ଡିଗ୍ରୀ କିମ୍ୱା ତାଠାରୁ କମ୍‍ ରହିଛି। ଏହାକୁ ଶୀତ ରାତି ଭାବେ ଗଣନା କରାଯାଉଛି। ବାକି ୧୫ ରାତିରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୨ ଡିଗ୍ରୀ କିମ୍ୱା ଏହାଠାରୁ ଅଧିକ ରେକର୍ଡ ହୋଇଥିବାରୁ ଏହାକୁ ଉଷ୍ମ ରାତି ଭାବେ ଗଣନା କରାଯାଇଛି। ୨୭ ଡିସେମ୍ୱରରେ ରେକର୍ଡ ହୋଇଥିବା ତାପମାତ୍ରା ମଧ୍ୟରେ ଚାନ୍ଦବାଲିରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୬.୩ ଡିଗ୍ରୀ ଅଧିକ ରେକର୍ଡ ହୋଇଥିବା ବେଳେ ବାଲେଶ୍ୱର ୫.୭, ଟିଟଲାଗଡ଼ ୫.୪, ଭୁବନେଶ୍ୱର ୫.୨, ପୁରୀ ୫.୨, ଭବାନୀପାଟଣା ୫.୦, ସମ୍ୱଲପୁର ୫.୦ ଅଧିକ ରେକର୍ଡ କରାଯାଇଛି। ଚଳିତ ଶୀତ ଋତୁରେ ଆଦୌ ଶୀତ ଲହରୀ ଅନୁଭୂତ ହୋଇନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.