ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାଚୁଣୀ ଧାନମଣ୍ଡିରେ ଧାନ ଦେବାରୁ ବଞ୍ଚିତ ଚାଷୀଙ୍କର ଆନ୍ଦୋଳନ ଓ ଧାରଣା

ବାଲୁଗାଁ/ନାଚୁଣୀ : ନାଚୁଣୀ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ନାଚୁଣୀ ଓ ମୋରାମୋରୀ ପଞ୍ଚାୟତର ଚାଷୀ ସମୂହ ବୁଧବାର ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ସକାଳୁ ଆନ୍ଦୋଳନରତ ଚାଷୀମାନେ ଏକଜୁଟ ହୋଇ ପ୍ରଥମେ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ କଉଡିଖଣି ଛକରେ ଏକତ୍ରିତ ହୋଇ ରାସ୍ତା ରୋକ ପାଇଁ ସଜବାଜ ହେଉଥିଲେ। ଖବର ପାଇ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ, ବାଣପୁର ଥାନା ଅଧିକାରୀ ରଶ୍ମୀରଂଜନ ସାହୁ ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ଚନ୍ଦ୍ର ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରି ବିଭାଗୀୟ ସ୍ତରରେ ଆଲୋଚନା ନିମନ୍ତେ ନାଚୁଣୀ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରକୁ ଅଣାଇଥିଲେ।

ତେବେ ଗତ ୨୪ ଜାନୁଆରୀରେ ସ୍ଥିରୀକୃତ ଧାନମଣ୍ଡିର ଅବ୍ୟବସ୍ଥା ଓ ସ୍ଥଗିତ ହୋଇଥିବା ବେଳେ ଏହା ଚଳିତ ମାସ ଫେବୃୟାରୀ ୨୫ ତାରିଖରେ ମଣ୍ଡିରେ ଧାନ ଦେବାକୁ ଟୋକନ ପ୍ରାପ୍ତ ଚାଷୀ ମାନଙ୍କୁ ମୋବାଇଲ ସୂଚନା ରହିଥିଲା। ତେବେ ଆବଶ୍ୟକ ଟାରଗେଟ ନଥିବା ଦର୍ଶାଇ ଧାନ ନେବାକୁ ଥିବା ଚଣ୍ଡେଶ୍ବରର ଜଗନ୍ନାଥ ରାଇସ ମିଲ ଅମଙ୍ଗ ହେଉଥିବାରୁ ଆସନ୍ତାକାଲି ଧାର୍ଯ୍ୟ ୨୫ ତାରିଖ ଧାନ ମଣ୍ଡି ଅନିଶ୍ଚିତ ରହିଥିବା ଅଭିଯୋଗ ଉଠିଥିଲା। ଏଥି ସହ ମଣ୍ଡିରେ ଧାନ ଦେବାକୁ ଚାତକ ଭଳି ଚାହିଁ ରହିଥିବା ସ୍ଥାନୀୟ ଚାଷୀଙ୍କ ମୋବାଇଲକୁ ଆସନ୍ତା ୨୬ ତାରିଖ ସୁଦ୍ଧା ମଣ୍ଡିରେ ଧାନ ଦେଇ ନପାରିଲେ ସଂପୃକ୍ତ ଟୋକନ ପ୍ରାପ୍ତ ଚାଷୀମାନେ ଅଯୋଗ୍ୟ ପ୍ରମାଣିତ ହେବେ ବୋଲି ସରକାରୀ ସୂଚନା ଆସିଥିବାରୁ ଚାଷୀ ମହଲରେ ଏହାର ପୂନର୍ବିଚାର ପାଇଁ ଦାବି ଉଠିଥିଲା।

ଏଥିସହ ନାଚୁଣୀରେ ଧାନ ମଣ୍ଡି ସଂପାଦନରେ ଅନୀୟମିତତା ଓ ମିଲରକୁ ଧାର୍ଯ୍ୟ ୧୩ ହଜାର କ୍ବିଣ୍ଟାଲ ଧାନ ଦେବାକୁ ରହିଥିବା ବେଳେ ଅଦ୍ୟାବଧି ନାଚୁଣୀ ମଣ୍ଡିରେ ମାତ୍ର ୫ ହଜାର କ୍ବିଣ୍ଟାଲ ଉଠିଥିବା ଅଭିଯୋଗ ହେଉଛି। ଚାଷୀଙ୍କ ଠାରୁ ବକେୟା ୮ ହଜାର କ୍ବିଣ୍ଟାଲ ଧାନ ନେବାକୁ ଆନ୍ଦୋଳନକାରୀ ଚାଷୀମାନେ ଅଡି ବସିଥିଲେ। ବିଭାଗୀୟ ଉଚ୍ଚ ଅଧିକାରୀ ଉପସ୍ଥିତ ରହି ଦାବି ପୂରଣ ର ଲିଖିତ ପ୍ରତିଶୃତି ନିମନ୍ତେ ଆନ୍ଦୋଳନକାରୀ ଚାଷୀମାନେ ନାଚୁଣୀ ସେବା ସମବାୟ ସମିତି ଆଗରେ ଧାରଣାରେ ବସିଥିଲେ। ପରିସ୍ଥିତି ନିୟନ୍ତ୍ରଣକୁ ଆଣି ଶାନ୍ତି ଶୃଙ୍ଖଳାର ସହ ସମାଧାନ ନିମନ୍ତେ ନାଚୁଣୀ ସେବା ସମବାୟ ସମିତି ପରିସରରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲା।

ଏଥିରେ ସ୍ଥାନୀୟ ଚାଷୀ କମିଟି ପକ୍ଷରୁ ସଭାପତି ବିକ୍ରମ କେଶରୀ ଦାଶ, ସଂପାଦକ ଶରତ କୁମାର ମହାରଣା, ସୁକାନ୍ତ ମହାପାତ୍ର, ପଞ୍ଚାନନ ମହାରଣା, ନୀଳକଣ୍ଠ ସେଠୀ, ତ୍ରିନାଥ ମୁଦୁଲି, ଭବାନୀ ଶଂକର ଦାସ, ବ୍ରଜ କିଶୋର ମହାରଣା, ଯୋଗିନ୍ଦ୍ର ପ୍ରଧାନ, ମହିଳା ଚାଷୀ ସବିତା ପାଇକରାୟ, ରୀନା ଧୋକଡି ପ୍ରମୁଖ ପୋଲିସ ଉପସ୍ଥିତିରେ ନାଚୁଣୀ ସେବା ସମବାୟ ସମିତି ସଂପାଦିକା ବିଷ୍ଣୁପ୍ରିୟା ହରିଚନ୍ଦନ, ବାଣପୁର ଏମଆଇ ଶିବରାମ ବିଶ୍ବାଳ, ତଥା ଖୋର୍ଦ୍ଧା ଜିଲ୍ଲା ଏସସିଓ ନାଚୁଣୀ ସେବା ସମବାୟ ସମିତି ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରିଥିଲେ।

ଆଗାମୀ ଦିନରେ ସରକାରୀ ପଂଜିକୃତ ତଥା ଟୋକନ ପ୍ରାପ୍ତ ଚାଷୀମାନେ ସେମାନଙ୍କୁ ସୂଚନା ମୂତାବକ ପରବର୍ତ୍ତୀ ସୂଚୀତ ତାରିଖରେ ଧାର୍ଯ୍ୟ ପରିମାଣର ଧାନ ନାଚୁଣୀ ମଣ୍ଡିରେ ଦେବା ପାଇଁ ନିଷ୍ପତ୍ତି ଘୋଷଣା ହୋଇଥିଲା। ଲିଖିତ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନରତ ଚାଷୀ ସମୂହ ଏହାକୁ ସ୍ବାଗତ କରି ଧାରଣାରୁ ଉଠିଥିଲେ।

Leave A Reply

Your email address will not be published.