ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝିଅ ରଙ୍ଗ କଳା ବୋଲି ପରିବାର ଲୋକଙ୍କ ରୋଷର ଶିକାର ହେଲେ ମା’ !

ବାଲେଶ୍ଵର: ଆଜିର ସଭ୍ୟ ସମାଜରେ ବି ଏଭଳି ଛୋଟ ମାନସିକତା ଅଛି ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । କଳା ରଙ୍ଗର ଝିଅ ଜନ୍ମ ଦେଇଥିବାରୁ ମାଆଙ୍କୁ ପରିବାର ଲୋକଙ୍କ ରୋଷର ଶୀକାର ହେବାକୁ ପଡ଼ିଛି। ଝିଅ ରଙ୍ଗ କଳା କାହିଁକି ହେଲା ଏହି କାରଣରୁ ସ୍ୱାମୀ ଏବଂ ପରିବାର ଲୋକେ ମାଆକୁ ଘରୁ ବାହାର କରିଦେଇଛନ୍ତି । ଏବେ କୁନି ଝିଅକୁ ଧରି ଘର ସମ୍ମୁଖରେ ଭୋକ ଉପାସରେ ବସିଛି ମାଆ। ଏଭଳି ଅଭାବନୀୟ ଦୃଶ୍ଯ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ତାଡଦା ଗ୍ରାମରେ ।

ସୂଚନା ଅନୁଯାୟୀ, ତାଡଦା ଗ୍ରାମର ଚନ୍ଦନ ଦାସ ୨୦୧୩ ମସିହାରେ ବସ୍ତା ଥାନା ଅନ୍ତର୍ଗତ ଜନ୍ତିକାପାଳ ଗ୍ରାମର ଜ୍ଯୋତ୍ସ୍ନା ଦାସଙ୍କୁ ବୈଦିକ ରିତୀରେ ବିବାହ କରିଥିଲେ, ତେବେ ବିବାହର ଦୁଇ ବର୍ଷ ପରେ ଜ୍ଯୋତ୍ସ୍ନାଙ୍କର ଝିଅଟିଏ ଜନ୍ମ ହୋଇଥିଲା। ମାତ୍ର ଝିଅର ରଙ୍ଗ କଳା ହୋଇଥିବାରୁ ପରିବାର ଲୋକଙ୍କ ରୋଷର ଶିକାର ହେଲେ ମା’ ଜ୍ଯୋତ୍ସ୍ନା । କାରଣ ପରିବାର ଲୋକେ ପ୍ରଥମରୁ ଝିଅ ଚାହୁଁ ନଥିଲେ। ପରେ ପୁଣି ଜନ୍ମ ହେଲା ପରେ ଝିଅର ରଙ୍ଗ କଳା ହୋଇଥିବାରୁ ସବୁ ଦୋଷ ଜ୍ୟୋତ୍ସ୍ନାଙ୍କ ମୁଣ୍ଡରେ ଲଦି ଦିଆଯାଇଥିଲା। ସେହି ଦିନଠାରୁ ଜ୍ୟୋତ୍ସ୍ନା ଉପରେ ଆରମ୍ଭ ହୋଇ ଥିଲା ଶାରୀରିକ ଏବଂ ମାନସିକ ନିର୍ଯ୍ଯାତନା। ଏମିତିକି ଗାଆଁ ଦାଣ୍ତରେ ମା’ ଝିଅଙ୍କୁ ସ୍ୱାମୀ ଗୋଡାଇ ଗୋଡାଇ ମାଡ ମାରୁଥିବାର କଥା ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳେ । ସେହିପରି ପରିବାର ଲୋକେ ଜ୍ୟୋତ୍ସ୍ନାଙ୍କୁ ଖାଇବା, ପିଇବାକୁ ମଧ୍ଯ ଦେଉ ନଥିଲେ ବୋଲି ସେ କହିଛନ୍ତି।

ଗତ ଗଣେଶ ପୂଜା ଦିନ ଜ୍ଯୋତ୍ସ୍ନାଙ୍କ ୭ ବର୍ଷର ଝିଅ ଦିପାଲିଙ୍କ ଦେହ ଅସୁସ୍ଥ ହେବାରୁ ଜଣେ ଗ୍ରାମବାସୀଙ୍କ ସହାୟତାରେ ଝିଅକୁ ନେଇ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ମା’ ଜ୍ୟୋତ୍ସ୍ନା। ଝିଅର ଦେହ ସୁସ୍ଥ ହେବାପରେ ଜ୍ଯୋତ୍ସ୍ନା ଗତକାଲି ସକାଳେ ଘରକୁ ଫେରିଥିଲେ, ମାତ୍ର ଜ୍ଯୋତ୍ସ୍ନାଙ୍କ ସ୍ବାମୀ ତାଙ୍କୁ ଘରକୁ ଯିବାକୁ ନ ଦେଇ ଗେଟ୍ ରେ ତାଲା ପକାଇ ଦେଇଥିଲେ, ଗତକାଲି ଠାରୁ ଉଭୟ ମା ଝିଅ ଅଖିଆ ଅପିଆ ଗେଟ୍ ସମ୍ମୁଖରେ ବସିଛନ୍ତି । ରାତିରେ ଭୟ ଲାଗିବାରୁ ଘର ନିକଟରେ ଥିବା ଶିବ ମନ୍ଦିରରେ ଆଶ୍ରୟ ନେଇଥିଲେ । ତେବେ ଆଜି ସକାଳୁ ମା ଝିଅ ଶିବ ମନ୍ଦିରରୁ ଆସି ଘରକୁ ପଶିବା ପାଇଁ ଚେଷ୍ଟା କରିବାରୁ ସ୍ୱାମୀ ଚନ୍ଦନ ତାଙ୍କୁ ମାଡ ମାରିବା ସହିତ ଘର ଗେଟ୍ ରେ ତାଲା ପକାଇ ପଳାଇ ଯାଇଥିଲେ । ତେବେ କୁନି ଝିଅକୁ ଧରି କାନ୍ଦି କାନ୍ଦି ନ୍ଯାୟ ଅପେକ୍ଷାରେ ବସିଛନ୍ତି ଜ୍ଯୋତ୍ସ୍ନା । ଏ ସମ୍ପର୍କରେ ଚନ୍ଦନଙ୍କୁ ପଚାରିବାରୁ ସେ ତାଙ୍କୁ ଘରକୁ ପୂରାଇ ଦେବେ ନାହିଁ ବୋଲି ରୋକ୍ ଠୋକ୍ ମନା କରି ଦେଇଛନ୍ତି । ତୁରନ୍ତ ଏହି ହତଭାଗିନୀ ମାଆକୁ ନ୍ୟାୟ ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହୋଇଛି।

Leave A Reply

Your email address will not be published.