ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀ-ଭୁବନେଶ୍ୱର ହେବ ଏକ୍ସପ୍ରେସ୍‍-ୱେ : ୧୨୦ କିମି ବେଗରେ ଧାଇଁବ ଗାଡ଼ି

୩୬୦୦ କୋଟିର ବ୍ୟୟ ଅଟକଳ,ସଂଯୋଗ ହେବ ଦୁଇ ବିମାନବନ୍ଦର

ଭୁବନେଶ୍ୱର : ରାଜ୍ୟରେ ଗମନାଗମନ ଭିତ୍ତିଭୂମିରେ ଯୋଡ଼ିହେବ ଆଉ ଏକ ନୂଆ ଅଧ୍ୟାୟ। ରାଜ୍ୟରେ ପ୍ରଥମ ଥର ପାଇଁ ଦୁଇ ବିମାନବନ୍ଦରକୁ ସଂଯୋଗ କରିବା ପାଇଁ ଏକ୍ସପ୍ରେସ୍‍-ୱେ ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏନେଇ ଆଗତ ପ୍ରସ୍ତାବ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇ ସରକାରଙ୍କୁ ଅନୁମୋଦନ ପାଇଁ ପଠାଯାଇଛି।

ସୂଚନା ଅନୁସାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ଏବଂ ପୁରୀରେ ପ୍ରସ୍ତାବିତ ବିମାନବନ୍ଦରକୁ ସଂଯୋଗ କରିବା ପାଇଁ ଏକ ଏକ୍ସପ୍ରେସ୍‍-ୱେ ନିର୍ମାଣ କରାଯିବ। ଫଳରେ ଭୁବନେଶ୍ୱର-ପୁରୀ ମଧ୍ୟରେ ଦୂରତା ୬୬ କିମିରୁ ୫୭ କିମିକୁ ହ୍ରାସ ପାଇବ। ଏହି ଏକ୍ସପ୍ରେସ୍‍-ୱେ’ରେ ଗାଡ଼ି ଘଣ୍ଟା ପ୍ରତି ୧୨୦ କିମି ବେଗରେ ଧାଇଁବ। ଫଳରେ ଯାତ୍ରା ସମୟ ୧ ଘଣ୍ଟା ୩୦ ମିନିଟ୍‍କୁ ହ୍ରାସ ପାଇବ। ପ୍ରକଳ୍ପ ପାଇଁ ୩୬୦୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା ବେଳେ ଏଥିରୁ ଜମି ଅଧିଗ୍ରହଣ ପାଇଁ ୧୦୧୦ କୋଟି ଟଙ୍କା ବ୍ୟୟ କରାଯିବ। ଏକ୍ସପ୍ରେସ୍‍-ୱେ ନିର୍ମାଣ ପାଇଁ ୧୨୭୩ ଏକର ଜମି ଅଧିଗ୍ରହଣ ଆବଶ୍ୟକ ପଡ଼ିବ। ଭବିଷ୍ୟତରେ ଏହା ମେଟ୍ରୋରେଲ୍‍ ସିଷ୍ଟମ୍‍ ସହିତ ଯୋଡ଼ିହେବ।

ପୁରୀରେ ଗ୍ରୀନ୍‍ଫିଲ୍ଡ ବିମାନବନ୍ଦର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ଆଉ ଏକପାଦ ଆଗକୁ ନେବା ପାଇଁ ସରକାରୀ ସ୍ତରରେ ଯୋଜନା ହୋଇଛି। ବିଶ୍ୱପ୍ରସିଦ୍ଧ ପୁରୀ ସହର ଏବଂ ଭୁବନେଶ୍ୱର ମଧ୍ୟରେ ଦୂରତା ହ୍ରାସ କରିବା ଉପରେ ଗୁରୁତ୍ୱ ଦେଇ ଏକ୍ସପ୍ରେସ୍‍-ୱେ ନିର୍ମାଣ ପାଇଁ ରଣନୀତି ପ୍ରସ୍ତୁତ କରିଛି ପୂର୍ତ୍ତ ବିଭାଗ। ସମ୍ପ୍ରତି ଭୁବନେଶ୍ୱର-ପୁରୀ ମଧ୍ୟରେ ୩୧୬ ନଂ ଜାତୀୟ ରାଜପଥ ଏକମାତ୍ର ସଡ଼କ ପଥ ଭାବେ କାର୍ଯ୍ୟ କରୁଛି। ପ୍ରତି ବର୍ଷ ପୁରୀକୁ ଆଗନ୍ତୁକଙ୍କ ସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ଏହି ରାଜପଥରେ ଗତିରୋଧ ହେଉଛି। ଦୁଇ ସହର ମଧ୍ୟରେ ଯାଇଥିବା ଜାତୀୟ ରାଜପଥରେ ଅନେକ ଜନବସତି, ବଜାର, ହାଟ ଆଦି ରହିଛି।

ସେହିପରି ରଥଯାତ୍ରା ଏବଂ ଅନ୍ୟ ସମୟରେ ରାସ୍ତାରେ ଅହେତୁକ ଭିଡ଼ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ ପୁରୀ ବିମାନବନ୍ଦରକୁ ଯୋଡ଼ିବା ପାଇଁ ଏକ୍ସପ୍ରେସ୍‍-ୱେ ନିର୍ମାଣ ପାଇଁ ଯୋଜନା ହୋଇଛି। ଏଥିପାଇଁ ଜମି ଚିହ୍ନଟ କରାଯାଇ ଥିବା ବେଳେ ଅଧିଗ୍ରହଣ ପାଇଁ ଆକଳନ କରାଯାଇଛି। ଏକ୍ସପ୍ରେସ୍‍-ୱେ ୩୧୬ ଜାତୀୟ ରାଜପଥ ଠାରୁ କିଛି ଦୂରତାରେ ଯିବ। ଏକ୍ସପ୍ରେସ୍‍-ୱେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଜଟଣୀ, ଡେଲାଙ୍ଗ, ସାକ୍ଷୀଗୋପାଳ ଦେଇ ପୁରୀ ଗୋରୁଆଳ ସ୍ଥିତ ପ୍ରସ୍ତାବିତ ଗ୍ରୀନ୍‍ଫିଲ୍ଡ ଏୟାରପୋର୍ଟ ନିକଟରେ ପହଞ୍ଚିବ। ସିଧାସଳଖ ପୁରୀ-ଭୁବନେଶ୍ୱର ମଧ୍ୟରେ ଯାତ୍ରା ପାଇଁ ଏହା ଅନୁକୂଳ ପରିବେଶ ସୃଷ୍ଟି କରିବ।

Leave A Reply

Your email address will not be published.