ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୫ ଦିନ ବୃଦ୍ଧି ହେଲା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ନାମଲେଖା ଅବଧି

ଭୁବନେଶ୍ୱର : ଓଡ଼ିଶାର ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଅବଧିକୁ ୫ ଦିନ ବୃଦ୍ଧି କରାଯାଇଛି । ଆଜି ପୂର୍ବାହ୍ନରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ  ପ୍ରୀତିରଞ୍ଜନ ଘଡ଼େଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାପଡ଼ିଛି ଯେ ବର୍ତ୍ତମାନ ସୁଦ୍ଧା ସରକାରୀ ଓ ବେସରକାରୀ ଇଂଜିନିୟରିଂ କଲେଜଗୁଡ଼ିକରେ ୧୨ ହଜାର ୫୩୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।

ଗତ ବର୍ଷ ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କଠାରୁ ଚଳିତ ବର୍ଷ ୪ ହଜାର ଅଧିକ ବିଦ୍ୟାର୍ଥୀ ନାମ ଲେଖାଇଥିଲେ ମଧ୍ୟ ୬୦.୩୭ ପ୍ରତିଶତ ସ୍ଥାନ ଖାଲି ରହିଛି । ଏହାକୁ ଦୃଷ୍ଟିରେ ରଖି ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମରେ ନାମଲେଖାଇବାର ସୁଯୋଗ ଦେବା ପାଇଁ ନାମଲେଖା ଅବଧିକୁ ୫ ଦିନ ବୃଦ୍ଧି କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ପ୍ରକାଶ ଥାଉ କି, ସରକାରୀ ଇଂଜିନିୟରିଂ କଲେଜରେ ୮୦.୮୮ ପ୍ରତିଶତ ସ୍ଥାନ ପୂରଣ ହୋଇ ସାରିଥିବାବେଳେ ଘରୋଇ ଇଂଜିନିୟରିଂ କଲେଜରେ ୩୩.୮୭ ପ୍ରତିଶତ ସ୍ଥାନ ପୂରଣ ହୋଇଛି । ଆସନ୍ତା ସପ୍ତାହରେ ନାମଲେଖା ଫି ସଂପର୍କରେ ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ଏବଂ ଏହା ଆସନ୍ତା ତିନୋଟି ଶିକ୍ଷା ବର୍ଷ ନିମନ୍ତେ ଲାଗୁ କରାଯିବ ବୋଲି ଆଲୋଚନାରୁ ଜଣାପଡ଼ିଛି ।ଏହି ବୈଠକରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ରେଘୁ ଜିଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.