ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଜାଗା ମିଶନ’ରେ ଯୋଗାଯାଉଛି ମୌଳିକ ସୁବିଧା, ବର୍ଷ ଶେଷସୁଦ୍ଧା ବସ୍ତିମୁକ୍ତ ହେବ ରାଜଧାନୀ

୪୩୬ରୁ ୧୩୫ ବସ୍ତି ଏବେ ଆଦର୍ଶ କଲୋନୀ

ଭୁବନେଶ୍ୱର:ଚଳିତବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱର ବସ୍ତିମୁକ୍ତ ସହର ହେବ। ସହରରେ ଥିବା ୪୩୬ଟି ବସ୍ତିକୁ ଜାଗା ମିଶନରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଯାଇ ଏହାକୁ ଆଦର୍ଶ କଲୋନୀରେ ପରିଣତ କରାଯିବ। ବର୍ତ୍ତମାନ ସୁଦ୍ଧା ରାଜଧାନୀର ୧୩୫ଟି ବସ୍ତିର ଚେହେରା ବଦଳି ସାରିଥିବା ବେଳେ ଏଗୁଡ଼ିକୁ ଏବେ ବିଏମ୍‍ସି ପକ୍ଷରୁ ଆଦର୍ଶ କଲୋନୀ ଭାବେ ଘୋଷଣା କରାଯାଇଛି। ଚଳିତବର୍ଷ ଶେଷ ସୁଦ୍ଧା ବାକି ୩୦୧ ବସ୍ତିକୁ ଆଦର୍ଶ କଲୋନୀ ଘୋଷଣା କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଏମସିକୁ ଲକ୍ଷ୍ୟ ଦିଆଯାଇଛି। ଏହାକୁ ଆଧାର କରି ବିଏମ୍‍ସି ବର୍ତ୍ତମାନ ବିଭିନ୍ନ ବସ୍ତିରେ ରୂପାନ୍ତରଣ କାର୍ଯ୍ୟକୁ ଜୋରଦାର କରିଛି।

ରାଜ୍ୟ ସରକାର ଆରମ୍ଭ କରିଥିବା ଜାଗା ମିଶନରେ ବସ୍ତିଗୁଡ଼ିକୁ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ କରାଯାଉଛି। ମୁଖ୍ୟତଃ ବସ୍ତିଗୁଡ଼ିକୁ ରାସ୍ତା, ଡ୍ରେନ୍‍, ପାଇପ ଯୋଗେ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଷ୍ଟ୍ରିଟ୍‍ ଲାଇଟ୍‍, ଶୌଚାଳୟ ଆଦି ଉପରେ ଗୁରୁତ୍ୱ ଦିଆଯାଉଛି। ସେହିପରି ବସ୍ତିରେ ଥିବା ଖୋଲାସ୍ଥାନର ବିକାଶ କରାଯାଉଥିବା ବେଳେ ପିଲାମାନଙ୍କ ଖେଳକୁଦ ପାଇଁ ସାରଞ୍ଜାମ ମଧ୍ୟ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ସହରବାସୀଙ୍କ ପାଇଁ ରହୁଥିବା କମ୍ୟୁନିଟି ସେଣ୍ଟର ଢାଞ୍ଚାରେ ଏଠାରେ ‘ପରିଚୟ’ ନାମରେ ଏକ ଘର କରାଯାଉଛି। ଯେଉଁଠାରେ ବସ୍ତିବାସିନ୍ଦାମାନେ ଏକତ୍ରିତ ହୋଇ ସେମାନଙ୍କ ବିଭିନ୍ନ ପର୍ବପର୍ବଣୀ ପାଳନ ସହିତ ଏକାଠି ହୋଇପାରୁଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜଧାନୀର ଶବର ସାହି, ନହରକଣ୍ଟା ଭୋଇ ସାହି, ଶିଖରଚଣ୍ଡି କ୍ଲଷ୍ଟକ ୧,୨, ଓ ୩ ସମେତ ଭାରତୀ ମଠ ଭୋଇ ସାହି, ମା ମଙ୍ଗଳା ସାହି, ହରେକୃଷ୍ଣ ନଗର ଆଦି ସମେତ ମୋଟ୍‍ ୧୩୫ଟି ବସ୍ତି ସମ୍ପୂର୍ଣ୍ଣ ବଦଳି ସାରିଛି। ଏହି ୧୩୫ ବସ୍ତିରେ ସମସ୍ତ ପ୍ରକାର ମୌଳିକ ସୁବିଧା ଉପଲବ୍ଧ ହୋଇ ସାରିଥିବାରୁ ଏଗୁଡ଼ିକୁ ଆଉ ବସ୍ତି ଶ୍ରେଣୀରେ ନ ରଖି ଏହାକୁ ବିଏମସି ପକ୍ଷରୁ ବିଜୁ ଆଦର୍ଶ କଲୋନୀ ଭାବେ ଗଣନା କରାଯାଉଛି। ଏହି କାର୍ଯ୍ୟ ଦାୟିତ୍ୱରେ ଥିବା ବିଏମ୍‍ସି ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ବର୍ତ୍ତମାନ ୧୩୫ଟି ବସ୍ତିକୁ ଆଦର୍ଶ କଲୋନୀରେ ପରିଣତ କରାଯାଇସାରିଛି। ସ୍ଥାନୀୟ ଲୋକଙ୍କୁ ସମ୍ପୃକ୍ତ କରି ଏହି କାର୍ଯ୍ୟ କରାଯାଇଥିବା ବେଳେ ଖୁବ୍‍ଶୀଘ୍ର ବାକି ବସ୍ତିକୁ ମଧ୍ୟ ଆଦର୍ଶ କଲୋନୀରେ ପରିଣତ କରାଯିବାର ପ୍ରକ୍ରିୟା ଜାରି ରହିଛି।

ସୂଚନା ଅନୁଯାୟୀ, ଜାଗା ମିଶନରେ କାର୍ଯ୍ୟ ହେବା ପୂର୍ବରୁ ପ୍ରତି ବସ୍ତିରେ ‘ବାସିନ୍ଦା କଲ୍ୟାଣ ସଂଘ’ (ଆର୍‍ଡବ୍ଲୁଏ) ଗଠନ କରାଯାଉଛି। ଏହି ସଂଘରେ ସମ୍ପୃକ୍ତ ବସ୍ତିରୁ ସବୁ ଘରୁ ଜଣେ ଜଣେ ସଦସ୍ୟ ରହୁଥିବା ବେଳେ ଏମାନଙ୍କ ମଧ୍ୟରୁ ଏକ ୧୧ ଜଣିଆ ଟିମ୍‍ ଗଠନ ହେଉଛି। ଏହି ଟିମ୍‍ରୁ ୩ ଜଣଙ୍କୁ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଉଛି। ଏହି ସଂଘରେ ଉଭୟ ମହିଳା ପୁରୁଷଙ୍କୁ ସମାନ ଭାବେ ସ୍ଥାନ ମିଳୁଥିବା ବେଳେ ନିଜ ବସ୍ତିରେ କେଉଁ କାମ ପ୍ରାଥମିକତା ଭିତ୍ତିରେ ହେବା ଉଚିତ ସେମାନେ ତାହା ନିଷ୍ପତ୍ତି ନେଉଛନ୍ତି। ଅନ୍ୟ ସ୍ଥାନଗୁଡ଼ିକର କାମ ପାଇଁ ଠିକାଦାରଙ୍କୁ ନିଯୁକ୍ତି କରାଯାଉଥିବା ବେଳେ ଏଠାରେ ଏହି ସଂଘ ହିଁ କାମ କରୁଛି। ୧୦ ଲକ୍ଷ ଟଙ୍କାରୁ କମ୍‍ ହେଲେ ସିଧାସଳଖ ଆର୍‍ଡବ୍ଲୁଏ ଆକାଉଣ୍ଟକୁ ଟଙ୍କା ଯାଉଥିବା ବେଳେ ୧୦ ଲକ୍ଷ ଉପରେ ଅର୍ଥ ଖର୍ଚ୍ଚ ହେଲେ ଯନ୍ତ୍ରୀଙ୍କ ନାମରେ ୱାର୍କ ଅର୍ଡର କରାଯାଇ ଦେଖାରଖା ଦାୟିତ୍ୱ ଆର୍‍ଡବ୍ଲୁଏକୁ ଦିଆଯାଉଛି। ଏ ବାବଦକୁ ସମ୍ପୂର୍ଣ୍ଣ ଅର୍ଥରାଶିର ୭.୫ ପ୍ରତିଶତ ଅର୍ଥ ଆର୍‍ଡବ୍ଲୁଏକୁ ଦିଆଯାଉଛି। ୧୦ ଲକ୍ଷ ତଳକୁ ହେଲେ କାମ କରି ୭.୫ ପ୍ରତିଶତ ଅର୍ଥ ଆର୍‍ଡବ୍ଲୁଏକୁ ପାରିଶ୍ରମିକ ଭାବେ ଦିଆଯାଉଛି। ଏଥିପାଇଁ ସମସ୍ତ ୪୩୬ ବସ୍ତିରେ ଆର୍‍ଡବ୍ଲ୍ୟୁଏ ଗଠନ କରାଯାଇଥିବା ବେଳେ ସେମାନଙ୍କର ଆକାଉଣ୍ଟ ଖୋଲାଯାଇ ସାରିଥିବା ବିଏମସି ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.