ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖରାକୁ ନାହିଁ ଖାତିର; ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବି ଗ୍ରାହକଙ୍କ ପାଖରେ ଖାଦ୍ୟ ପହଞ୍ଚାଉଛନ୍ତି ଡେଲିଭରୀ ବୟ

ଭୁବନେଶ୍ୱର: ଆରମ୍ଭ ହୋଇଛି ଗ୍ରୀଷ୍ମ ପ୍ରବାହ। ହେଲେ ଖରାକୁ ଖାତିର ନକରି କାମରେ ଲାଗିରହୁଛନ୍ତି ଫୁଡ୍‌‌ ଡେଲିଭରୀ ବୟ। ଟାଇଁ ଟାଇଁ ଖରାରେ ଗ୍ରାହକଙ୍କ ନିକଟରେ ଖାଦ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଉଛନ୍ତି। ଯେଉଁ ସମୟରେ ସର୍ବାଧିକ ପାରଦ ସ୍ତର ରହିଥାଏ ସେହି ସମୟରେ ଗଳିକନ୍ଦି ବୁଲି ଠିକଣା ଜାଗାରେ ପହଞ୍ଚିବା ସେମାନଙ୍କ ଲକ୍ଷ୍ୟ ଥାଏ। କିଏ ପରିବାର ଚଳାଇବାକୁ ଏଭଳି କଷ୍ଟ କରୁଛନ୍ତି କିଏ ପାର୍ଟଟାଇମ୍‌‌ରେ ଏହି କାମ କରି ନିଜର ଖର୍ଚ୍ଚ ଉଠାଉଛନ୍ତି। ଅଧିକାଂଶ କଲେଜ ପଢ଼଼ୁଆ ପିଲା ଖାଦ୍ୟ ଡେଲିଭରୀ କରି ନିଜର ପଢ଼଼ା ଖର୍ଚ୍ଚ ତୁଲାଉଥିବା ମଧ୍ୟ ଦେଖିବାକୁ ମିଳିଛି। ହୋଟେଲ ମାଲିକଙ୍କ ଦୁର୍ବ୍ୟବହାର, ଗ୍ରାହକଙ୍କ ଅଭିଯୋଗ ପରେ ଅଭିଯୋଗକୁ ଚୁପଚାପ୍‌‌ ସହି ଯାଇ ପେନାଲ୍‌‌ଟି ମଧ୍ୟ ଦେବାକୁ ପଡ଼ିଥାଏ। ତଥାପି ଏମାନେ ନାଚାର। କାରଣ ବୁକିଂ ନଆସିଲେ ଟଙ୍କା ମିଳିବନି।

ସକାଳ ୮ଟା ବାଜିଲେ ରାଜଧାନୀର ବିଭିନ୍ନ ରୋସ୍ତୋରାଁ, ହୋଟେଲ ଓ ବଡ଼ ବଡ଼ ସପିଂ ମଲ୍‌‌ରେ ରହିଥିବା ଫୁଡ୍‌‌କୋର୍ଟଗୁଡ଼ିକରୁ ଖାଦ୍ୟ ଡେଲିଭରୀ ଆରମ୍ଭ ହୋଇଯାଏ। ଜଳଖିଆ ଠାରୁ ଆରମ୍ଭ କରି ରାତ୍ରି ଭୋଜନ, ସ୍ନାକ୍ସ, ମୃଦୁପାନୀୟ ମଧ୍ୟ ଘରେ ବସି ଅନେକ ଗ୍ରାହକ ଅନଲାଇନ୍‌‌ ମାଧ୍ୟରେ ଅର୍ଡର କରିଥାନ୍ତି। ସମୟର ସଦୁପଯୋଗ ହେଉ ଅବା ସ୍ୱାସ୍ଥ୍ୟ ଜନିତ ସମସ୍ୟା କିମ୍ବା ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅଧିକାଂଶ ଲୋକେ ନିମୟିତ ସ୍ୱିଗି, ଜମାଟୋ ଭଳି ଅନଲାଇନ୍‌‌ ଫୁଡ ଡେଲିଭରୀ ଆପ୍‌‌ରୁ ଖାଦ୍ୟ ଅର୍ଡର କରିଥାନ୍ତି। କେବଳ ଖାଦ୍ୟ ନୁହେଁ ଲୁଗାପଟା ଠାରୁ ଆରମ୍ଭ କରି ପନିପରିବା, ମାଛ, ମାଂସ ହାତ ପାହାନ୍ତାରେ ପହଞ୍ଚାଇଥାନ୍ତି ଡେଲିଭରୀ ବୟ। ଏହାସହ ବନ୍ଧୁବାନ୍ଧବ କିମ୍ବା ସମ୍ପର୍କୀୟଙ୍କ ଘରେ ରୋଷେଇ ହୋଇଥିବା ଖାଦ୍ୟ ମଧ୍ୟ ସ୍ୱିଗି ଜେନି ଆପ୍‌‌ ମାଧ୍ୟମରେ ଅନ୍ୟ ଜଣଙ୍କ ଘରେ ପହଞ୍ଚାଯାଇ ପାରୁଛି।

ଗ୍ରୀଷ୍ମ ପ୍ରବାହ ବଢ଼଼ୁଥିବାବେଳେ ଲୋକେ ଘରୁ ବାହାରିପାରୁ ନାହାନ୍ତି। ତେବେ ଏହି ସମୟରେ ଫୁଡ୍‌‌ ଡେଲିଭରୀ ବୟ ବୁଲି ବୁଲି ଖାଦ୍ୟ ପହଞ୍ଚାଉଛନ୍ତି। ପ୍ରତିଦିନ ରସୁଲଗଡ଼ ଓଭରବ୍ରିଜ୍‌‌, କଳ୍ପନା ଛକ, ପାତ୍ରପଡ଼ାସ୍ଥିତ ଡିଏନ୍‌‌ ରେଗାଲିଆ ସମେତ ବହୁ ହୋଟେଲ ଓ ରେସ୍ତୋରାଁ ନିଟକରେ ବୁକିଂ ପାଇଁ ଅପେକ୍ଷା କରିଥାନ୍ତି ଏମାନେ। ବୁକିଂ ଆସିଲା ମାତ୍ରେ ତୁରନ୍ତ ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇଥାନ୍ତି। ଅନ୍ୟର ଖାଦ୍ୟକୁ ସୁରକ୍ଷିତ ଭାବେ ପହଞ୍ଚାଉଥିବା ବେଳେ ଟିକିଏ ସମୟ ପାଇଲେ ରାସ୍ତାକଡ଼ରେ ଛିଡ଼ାହୋଇ ନିଜ ଟିଫିନ୍‌‌ ଖାଇଥାନ୍ତି। ପରିବାରର ପରିସ୍ଥିତି କଥା ଭାବିଦେଲେ ଖରାର ପ୍ରକୋପ ବି ଜଣାପଡ଼ୁ ନ ଥିବା କହିଛନ୍ତି ଫୁଡ୍‌‌ ଡେଲିଭରୀ ବୟ ପ୍ରକାଶ ବେହେରା। ପୂର୍ବରୁ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ ଯୁବକ ବାପାଙ୍କ ମୁଖ ଗହ୍ୱର କର୍କଟ ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ତୁଲାଇବାକୁ ଖରାର ଦାଉକୁ ଖାତିର ନକରି ଏହି କାର୍ଯ୍ୟ କରୁଥିବା କହିଛନ୍ତି। ସେହିପରି +୩ରେ ପଢ଼଼ୁଥିବା ଆଶିଷ କୁମାର ମହାନ୍ତି ମଧ୍ୟ ପଢ଼଼ାଖର୍ଚ୍ଚ ତୁଲାଇବାକୁ ପାର୍ଟ ଟାଇମ୍‌‌ରେ ଖାଦ୍ୟ ଡେଲିଭରୀ କରୁଥିବା କହିଛନ୍ତି।

Leave A Reply

Your email address will not be published.