ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଲି ସଇରାତରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ପ୍ରସଙ୍ଗ: ଏନଜିଟି ମାମଲାର ରାୟ ଶୁଣାଣି ପରେ ବିବାଦୀୟ ବଡ଼ସାହି ତହସିଲଦାର ପୁଣି ଫେରାର

୮ଦିନ ପରେ ମିଳିୁନି ସନ୍ଧାନ, କ୍ୱାଟରରେ ଝୁଲୁଛି ତାଲା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୁଢାବଳଙ୍ଗ ନଦୀର ଆରପଟ୍ଟା, ଡିଙ୍ଗିରା ଓ ମହୁପୁରା ସଇରାତରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ଜାତୀୟ ଗ୍ରୀନ ଟ୍ୟୁବନାଲ ଇଷ୍ଟର୍ଣ୍ଣ ବେଞ୍ଚ(ଏନଜିଟି) କଲିକତା ପକ୍ଷରୁ ହୋଇଥିବା ୩ଟି ମାମଲାର ସଂରକ୍ଷିତ ଥିବା ରାୟ ୧ତାରିଖ ଶୁଣାଣି ପରେ ପ୍ରକାଶ ପାଇଛି । ୨ଜଣ ଅଭିଯୁକ୍ତ ଲିଜଧାରୀ ଚଳିତ ଡିସେମ୍ବମର ୭ତାରିଖ ସୁଦ୍ଧା କ୍ଷତିପୂରଣ ବାବଦକୁ ୩୬କୋଟି ୬୮ଲକ୍ଷ ୭୦ହଜାର ୧୨୧ଟଙ୍କା ପ୍ରଦାନ କରିବାକୁ ରାୟରେ ଉଲ୍ଲେଖ ଥିବା ବେଳେ ମହୁପୁରା ସଇରାତ ଘଟଣାରେ ପୂର୍ବ ଦୁଇ ସଇରାତ ଭଳି ସରକାରୀ ସମ୍ପତ୍ତିର ଅପବ୍ୟବହାର, ନିଜ କ୍ଷମତାର ଦୁରୂପଯୋଗ, ବେଆଇନ ବାଲି ଉତ୍ତୋଳନରେ ସାମିଲ ହୋଇଥିବା ତତ୍କାଳୀନ ତହସିଲଦାର ମମତାଜ ମହାରଣାଙ୍କ ବିରୁଦ୍ଧରେ ଆଇପିସି, ସିଆରପିସି ଏବଂ ପବ୍ଳିକ ଅର୍ଥ ହେରଫେର ଆକ୍ଟ ୨୦୦୨କୁ ନେଇ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ଏହି ନିର୍ଦେଶ ସମ୍ପର୍କରେ ଜାଣିବା ପରେ ଶ୍ରୀମତୀ ମହାରଣା ୧ତାରିଖରୁ ଫେରାର ଅଛନ୍ତି । ସୂଚନା ଥାଉ କି, ସେ ପୂର୍ବ ଦୁଇ ସଇରାତ ଘଟଣାରେ ପ୍ରଶାସନ ପକ୍ଷରୁ ବଡ଼ସାହି ଥାନାରେ ରୁଜୁ ମାମଲା ପରେ ଚାକିରୀରୁ ନିଲମ୍ବିତ ହେବା ସହିତ ଜାମିନରେ ଥାଇ ପ୍ରତିଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହୁଥିଲେ । । ସେ ସମୟରେ ମଧ୍ୟ ତହସିଲଦାର ଫେରାର ହୋଇ ହାଇକୋର୍ଟରୁ ଜାମିନ ପାଇବା ପରେ ମୟୂରଭଞ୍ଜକୁ ଫେରି ଜିଲ୍ଲାପାଙ୍କୁ ଭେଟି ନିର୍ଦେଶ ପାଳନ କରୁଥିଲେ ।

ପରନ୍ତୁ ମହୁପୁରା ସଇରାତ ସମ୍ବନ୍ଧରେ ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜ ଦାଖଲ କରିଥିବା ସତ୍ୟପାଠର ସମସ୍ତ ରିପୋର୍ଟକୁ ଭିତ୍ତି କରି ଜୁଡିସିଆଲ ମେମ୍ବର ଜଷ୍ଟିସ ବି.ଅମିତ ସ୍ଥହେଲକାର ଓ ଏକ୍ସପୋର୍ଟ ମେମ୍ବର ସାଇବଲ ଦାସଗୁପ୍ତା ଏହାର ବିଚାର କରି ଉପରୋକ୍ତ ରାୟ ପ୍ରକାଶ ପରେ ସେ ଗିରଫ ହେବା ଆଶଙ୍କାରେ ଫେରାର ଅଛନ୍ତି ବାରିପଦାରେ ଥିବା ସରକାରୀ କ୍ୱାଟରରେ ତାଲା ଝୁଲୁଥିବା ବେଳେ ତାଙ୍କର ଅନୁପସ୍ଥିତି ସମ୍ପର୍କରେ ଜିଲ୍ଳା ପ୍ରଶାସନ ରାଜସ୍ୱ ବିଭାଗକୁ ଅବଗତ କରିଛି ।

ବଡ଼ସାହି ତହସିଲ ଅଧୀନ ମହୁପୁରା ସଇରାତରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ବଡ଼ସାହି ବ୍ଳକ ଛେଳିଆ ପୁନ୍ଦାଳ ଗ୍ରାମର ରାଧା ମୋହନ ସିଂଙ୍କ ଅଭିଯୋଗ କ୍ରମେ ୪୦/୨୨ ଇଜେଡ୍‌ରେ ମାମଲା ଏନଜିଟିରେ ରୁଜୁ ହୋଇଥିଲା । ଏହାକୁ ନେଇ ଅଗଷ୍ଟ ୨୫ତାରିଖରେ ଏନଜିଟି ଷ୍ଟାଣ୍ଡିଂ କମିଟିର ସଦସ୍ୟଙ୍କ ଉପସ୍ଥିତିରେ ଭଚ୍‌ର୍ଚୁଆଲ ମୋଡରେ ମାମଲାର ବିଚାର ଶେଷ ହୋଇଥିଲା । ତେବେ ରାୟ ଶୁଣାଣି ସଂରକ୍ଷିତ ରହିଥିଲା । ମହୁପୁରା ସଇରାତରୁ ପରିବେଶ ଓ ଜୈବ ବିବିଧତାରେ କ୍ଷତି ପହଞ୍ଚାଇବା ବାବଦରେ ୧୨କୋଟି ୩୫ଲକ୍ଷ ୮୪ହଜାର ୮୪୪ଟଙ୍କା ଓ ପରିବେଶ କ୍ଷତି ପାଇଁ ୨୧ଲକ୍ଷ ଓ ରାଜସ୍ୱ ହାନି ବାବଦରେ ୩କୋଟି ୭୧ଲକ୍ଷ ୧୮ହଜାର ୪ଶହ ଟଙ୍କାକୁ ମିଶାଇ ମୋଟ ୧୬କୋଟି ୨୮ଲକ୍ଷ ୩ହଜାର ୨୪୪ଟଙ୍କା ପୈଠ କରିବାକୁ ଲିଜଧାରୀ କୃପାସିନ୍ଧୁ ସିଂକୁ ନିର୍ଦ୍ଦେଶ ଦିଆଯାଇଛି । କୃପାସିନ୍ଧୁଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ସାହି ଥାନାରେ ଲିଖିତ ଅଭିଯୋଗ ସତ୍ତେ୍ୱ ପୁଲିସ ତାଙ୍କୁ ଏଯାଏଁ ଗିରଫ କରିନାହିଁ । ଲିଜଧାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଜରିମାନା ପୈଠ ନକଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଆଦେଶ ଦିଆଯାଇଛି । ତେବେ କୃପାସିନ୍ଧୁଙ୍କ ନାମରେ ମାମଲା ରୁଜୁ ସମୟରେ ତହସିଲଦାରଙ୍କ ନାମ ବାଦ ଦେବା ପରୋକ୍ଷରେ ତାଙ୍କୁ ଖସିଯିବାକୁ ସୁଯୋଗ ଦିଆଗଲା ବୋଲି ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ତଥା ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.