ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କମିସନରେଟ୍‍ ପୁଲିସର ହୋଲି ପ୍ରସ୍ତୁତି : ମଦୁଆଙ୍କ ଉପରେ ରହିବ ନଜର, ନଈକୂଳରେ ଜଗିବେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର : କୋଭିଡ୍‍କୁ ଦୃଷ୍ଟିରେ ରଖି ହୋଲି ଘରେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନଜରରେ ରଖି କମିସନରେଟ୍‍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ଶନିବାର ରାଜଧାନୀରେ ୨୦ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ ରହିବେ। ଏହାସହ ଜଣେ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ଓ ୫୦ ଜଣ ଅଫିସର ବିଭିନ୍ନ ଛକରେ ମୁତୟନ ରହିବେ। ବିଶେଷକରି ମଦୁଆଙ୍କ ଉପରେ ଏବେ ପୁଲିସର ନଜର ରହିବ। ଯେଉଁମାନେ ମଦ ପିଇ ରାସ୍ତାରେ ବୁଲିବେ ସେମାନଙ୍କ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବ। ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଥାନାରେ ଅଟକ ରଖାଯିବ।

ବଡ଼ କଥା ହେଲା ହୋଲିରେ ଅନେକ ଲୋକ ରଙ୍ଗ ଖେଳିବା ପରେ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥାନ୍ତି। ମଦ ପିଇ ଗାଧୋଉଥିବାରୁ ପାଣିରେ ବୁଡ଼ି ମୃତ୍ୟୁ ଘଟିଥାଏ। ଏହାକୁ ଦୃଷ୍ଟିରେ ରଖି କୁଆଖାଇ ନଦୀ ଘାଟରେ ଏକାଧିକ ପୁଲିସ ମୁତୟନ କରାଯିବ। ଅଗ୍ନିଶମ ବାହିନୀ ମଧ୍ୟ ନଦୀକୂଳରେ ଜଗି ରହିବ। ଯଦି କୌଣସି ଅଘଟଣ ଘଟେ ତେବେ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯିବ। କୌଣସି ଥାନା ଅଞ୍ଚଳରେ ଯେପରି କିଛି ଅଘଟଣ ନ ଘଟେ ସେଥିଲାଗି ଥାନା ଅଧିକାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ଆଗକୁ ନିର୍ବାଚନ ଥିବାରୁ କିଛି ଅଘଟଣ ଆଶଙ୍କା ରହିଛି। ତେଣୁ ଥାନା ଅଧିକାରୀ ଅଧିକ ଆର୍ଲଟ ରହିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.