ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୂରଣ ହେବ ଇଫୁ ମଲ୍ଲିକର ଡାକ୍ତର ହେବା ସ୍ବପ୍ନ, ପାଠପଢ଼ା ପାଇଁ ଅର୍ଥ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଡାକ୍ତର ହେବ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ମେଧାବୀ ଛାତ୍ର ଇଫୁ ମଲ୍ଲିକ। ଡାକ୍ତର ହେବାର ସ୍ବପ୍ନ ପୂରଣ ପାଇଁ ବିଲରେ ଖଟୁଥିବା ଇଫୁଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଡାକ୍ତରୀ ପାଠପଢ଼ାର ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସହାୟତା ଓ ସହଯୋଗର ପାଣ୍ଠି । ମୁଖ୍ୟମନ୍ତ୍ରୀଙ୍କ ସହାୟତା ଓ ସହଯୋଗ ମିଳିବା ପରେ ଇଫୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି କୃତଜ୍ଞତାର କୋଟି ପ୍ରଣାମ । ଏଥି ସହିତ ତାର ଡାକ୍ତର ହେବ ସ୍ବପ୍ନରେ ମୁଖ୍ୟମନ୍ତ୍ରୀ ଡେଣା ଲଗାଇଛନ୍ତି ବୋଲି କହିଛନ୍ତି।

କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡ଼ିଆକିଆ ପଞ୍ଚାୟତରେ ବାଗରା ମିଲା ଗ୍ରାମର ଦିନ ମଜୁରିଆର ପୁଅ ଇଫୁ ମଲ୍ଲିକ ପିଲାବେଳୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବେ ବୋଲି ଭାବିଥିଲେ ।ପରିବାରରେ ବୃଦ୍ଧ ବାପାମା’, ବଡ଼ ଭାଇ ଓ ସାନ ଭଉଣୀ ଅଛନ୍ତି। ହେଲେ କେହି ମଧ୍ୟ ରୋଜଗାରିଆ ନୁହନ୍ତି। ପିଲାଟି ବେଳୁ ଅଭାବ ଅନଟନରେ ବଢ଼ିଥିବା ଇଫୁଙ୍କର ପାଠପଢ଼ା ପ୍ରତି ପ୍ରବଳ ଆଗ୍ରହ ରହିଛି। ବିନା କୌଣସି ସାହାଯ୍ୟ ସହଯୋଗରେ ସେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷାରେ ବେଶ୍ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ।ଚଳିତ ବର୍ଷ ନିଟ‌୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଇଫୁ କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି।

ମେଡିକାଲ କଲେଜରେ ନାମ ସିନା ଲେଖାଇ ଦେଇଛନ୍ତି, ହେଲେ ଆଗକୁ କିପରି ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ନିଜ ସ୍ୱପ୍ନକୁ ହାସଲ କରିବେ ଏବେ ସେ ଚିନ୍ତା ଘାରିଥିଲା। କାରଣ ଆସନ୍ତା ୫ ବର୍ଷ ପାଇଁ ନିଜର କଲେଜ ଫି, ହଷ୍ଟେଲ ଫି ତଥା ପାଠପଢ଼ା ଖର୍ଚ୍ଚ କେଉଁଠୁ ଯୋଗାଡ଼ କରିବେ ସେ ନେଇ ଶାନ୍ତିରେ ରହି ପାରୁ ନଥିଲେ ଇଫୁ । ଅର୍ଥ ଯୋଗାଡ଼ କରିବାକୁ କେତେବେଳେ ପର ବିଲରେ ମଜୁରୀ ଲାଗୁଛନ୍ତି ତ କେତେବେଳେ ଜିନିଷ ବୋହି ଆଣୁଛନ୍ତି। ଏମିତି କାମଧନ୍ଦା କରି ସେ ନିଜ ପାଠପଢ଼ା ପାଇଁ କିଛି ପଇସା ଯୋଗାଡ଼ କରିପାରିବେ ବୋଲି ଆଶା ରଖିଥିଲେ।

ଇଫୁ କହିଥିଲେ ଯେ ମେଡିକାଲ କଲେଜରେ ସିଟ୍‌ ତ ପାଇଗଲି, ହେଲେ ଆଗକୁ କିପରି ପାଠ ପଢ଼ିବି, ମେସ ଫି କେଉଁଠୁ ଯୋଗାଡ଼ କରିବି ସେ ନେଇ କିଛି ଜାଣିନି। କାରଣ ମୋ ପରିବାର ଏହି ଖର୍ଚ୍ଚ ଉଠାଇବାକୁ ସମର୍ଥ ନୁହେଁ। ବହୁ କଷ୍ଟରେ ଆଡମିଶନ କରି ଘରକୁ ଆସିଛି। ନିଜ ଖର୍ଚ୍ଚ ଉଠାଇବାକୁ ବିଭିନ୍ନ କାମ କରୁଛି। ଅନ୍ୟର ଧାନ କାଟି କିଛି କିଛି ପାଉଣା ଯୋଗାଡ଼ କରୁଛି। ପାଠ ପଢ଼ା ସହ କାମ କରିବାକୁ ଚାହୁଁଛି। ଗତ ୧୦ ଦିନ ଭିତରେ ସେ ୨ ହଜାର ଟଙ୍କା ସଂଚୟ କରିଛନ୍ତି । ଡିସେମ୍ବର ୧୫ରୁ କ୍ଳାସ ଆରମ୍ଭ ହେବ । ଆଶା ରଖିଥିଲେ ଧାରଉଧାର କରି କଷ୍ଟେମଷ୍ଟେ ପାଠପଢ଼ା ଆରମ୍ଭ କରିବେ । ମାତ୍ର ମେଧାବୀ ଇଫୁଙ୍କ ଏ ସଂଘର୍ଷର କାହାଣୀ ସଂପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ହେବାର ୬ ଘଣ୍ଟା ମଧ୍ୟରେ ପାଠପଢ଼ା ପାଇଁ ପାଣ୍ଠି ମଞ୍ଜୁର କରିଛନ୍ତି । ହଷ୍ଟେଲ ଫି ପାଇଁ ଇଫୁ ଆଉ ମଜୁରିଆ ସାଜିବେନି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ନିବାସକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପରେ ଇଫୁଙ୍କ ସ୍ବପ୍ନ ଏବେ ସାକାର ହେବ । ବିନା ବାଧାରେ ଇଫୁ ମଲ୍ଲିକ ହେବେ ଡାକ୍ତର ଇଫୁ ମଲ୍ଲିକ ।

Leave A Reply

Your email address will not be published.