ନୋଟବନ୍ଦୀକୁ ବିରୋଧ କରି ଆଗତ ପିଟିସନ୍‌ର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୧୬ ନଭେମ୍ବରରେ କରିଥିବା ବିମୁଦ୍ରିକରଣ ( ନୋଟବନ୍ଦୀ) ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ସମ୍ବିଧାନ ପୀଠରେ ଶୁଣାଣି ଶେଷ ହୋଇଛି । ଜଷ୍ଟିସ୍ ଏସ୍ ନାଜିରଙ୍କ ନେତୃତ୍ୱରେ ଗଠିତ ସମ୍ବିଧାନ ପୀଠ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲା ସହ ଜଡିତ ସମସ୍ତ ଦସ୍ତାବିଜ ଏବଂ ରେକର୍ଡ ଦାଖଲ କରିବାକୁ କୋର୍ଟ ରିଜର୍ଭ ବ୍ୟାଙ୍କ ଏବଂ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ସବୁ ପକ୍ଷ କୋର୍ଟରେ ତିନି ଦିନ ମଧ୍ୟରେ ଅର୍ଥାତ୍ ଡିସେମ୍ବର ୧୦ ସୁଦ୍ଧା ଲିଖିତ ଯୁକ୍ତି ଦାଖଲ କରିପାରିବେ । ବିବେକ ନାରାୟଣ ଶର୍ମାଙ୍କ ପ୍ରଥମ ଆବେଦନ ସମେତ ନୋଟବନ୍ଦୀ ବିରୋଧରେ ମୋଟ ୫୯ଟି ଆବେଦନ ହୋଇଥିଲା ।

ଜଷ୍ଟିସ ବିଚାରପତି ଏସ୍‌. ଅବ୍ଦୁଲ୍‌ ନାଜୀର୍‌, ବି.ଆର୍‌. ଗୱାଇ, ଏ.ଏସ୍‌. ବୋପାନ୍ନା, ଭି. ରାମସୁବ୍ରମଣିୟାନ୍‌ ଏବଂ ବି. ଭି. ନାଗରତ୍ନାଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ୫୮ଟି ପିଟିସନ୍‌ ଉପରେ ଆଗତ ଯୁକ୍ତି ଶୁଣିଥିଲେ। ଏହି ମାମଲା ଉପରେ ଡିସେମ୍ବର ୧୦ ତାରିଖ ସୁଦ୍ଧା ଯୁକ୍ତିର ସାରାଂଶ ଲିଖିତ ଭାବେ ଦାଖଲ କରିବା ପାଇଁ ସମସ୍ତ ପକ୍ଷଙ୍କୁ ଅନୁମତି ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ୨୦୧୬ର ନୋଟବନ୍ଦୀ ସାମ୍ବିଧାନିକ ବୈଧତା ଦୃଷ୍ଟିରୁ ଠିକ୍ ଥିଲା କି ନାହିଁ ଆମେ ସେନେଇ ସନ୍ତୁଷ୍ଟ ହେବାକୁ ଚାହୁଁଛୁ । ଆଟର୍ଣ୍ଣି ଜେନେରାଲ କହିଥିଲେ, ଯଦିଓ ଅଧିକାଂଶ ତଥ୍ୟ ସରକାରଙ୍କ ସତ୍ୟପାଠରେ ଉଲ୍ଲେଖ ରହିଛି, ତଥାପି ସେମାନେ ସମସ୍ତ ରେକର୍ଡକୁ ବନ୍ଦ ଲଫାଫାରେ କୋର୍ଟକୁ ହସ୍ତାନ୍ତର କରିବେ । କାରଣ ୨୦୧୬ରେ ଲାଗୁ ହୋଇଥିବା ସହ ନୋଟବନ୍ଦୀ ବା ବିମୁଦ୍ରୀକରଣ ୧୯୪୬ ଏବଂ ୧୯୭୮ରେ ବିମୁଦ୍ରୀକରଣ ଯୋଜନାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏହି ନିଷ୍ପତ୍ତି ଦୁଇ ପର୍ଯ୍ୟାୟ ପ୍ରକ୍ରିୟା ଶେଷ ହେବା ପରେ କାର୍ଯ୍ୟକାରୀ ହୁଏ ।

ଶୁଣାଣି ସମୟରେ ଖଣ୍ଡପୀଠ କହିଲେ ଯେ, ବିମୁଦ୍ରାୟନ ଆର୍ଥିକ ନୀତିର ନିଷ୍ପତ୍ତି ହୋଇଥିବା ଦର୍ଶାଇ ସେମାନେ ଚୁପ୍‌ ରହିବେ ନାହିଁ। ‌ଯେଉଁ ଉପାୟରେ ବିମୁଦ୍ରାୟନ ନିଷ୍ପତ୍ତି ଗ୍ରହଣ କରାଗଲା ତାହାକୁ ସେମାନେ ପରୀକ୍ଷା କରିବେ।ବିମୁଦ୍ରାୟନ ନିଷ୍ପତ୍ତି ୬ ତଳର ହୋଇଥିବାରୁ ଏହି ମାମଲାର ଶୁଣାଣି ନିମନ୍ତେ ପ୍ରଥମେ ଖଣ୍ଡପୀଠ କୁଣ୍ଠାବୋଧ କରୁଥିଲେ। କିନ୍ତୁ, ବରିଷ୍ଠ ଆଡ୍‌ଭୋକେଟ୍‌ ପି.ଚିଦମ୍ବରମ୍ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବା ପରେ ମାମଲାର ଶୁଣାଣି ପାଇଁ ଅକ୍ଟୋବର ୧୨ ତାରିଖ ଦିନ ଖଣ୍ଡପୀଠ ରାଜି ହୋଇଥିଲେ।

ଅଭିଯୋଗକାରୀଙ୍କ ପକ୍ଷରୁ ଓକିଲ ପି,ଚିଦାମ୍ବରମ ଓ ଶ୍ୟାମ ଦିବାନ ଜବାବ ସୁଆଲ କରିଥିଲେ । ସେପଟେ କେନ୍ଦ୍ର ସରକାରଙ୍କ ତରଫରୁ ଆଟୋନୀ ଜେନରାଲା ଆର ଭେଙ୍କଟରମନୀ ଦଲିଲ୍ ଜମା କରିଥିଲେ ଓ ବରିଷ୍ଠ ଓକିଲ ଜୟଦୀପ ଗୁପ୍ତା ରିଜର୍ଭବ୍ୟାଙ୍କ ତରଫରୁ ଯୁକ୍ତି ରଖିଥିଲେ ।

ସୂଚନାଯୋଗ୍ୟ  ୨୦୧୬ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଫେରାଇ ନେବାକୁ ଘୋଷଣା କରିଥିଲେ । ଏନେଇ ଡିସେମ୍ବର ୧୬ ତାରିଖରେ ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା । ହେଲେ କୋର୍ଟ ସେତେବେଳେ ନୋଟବନ୍ଦୀ ଉପରେ ପ୍ରତିବନ୍ଧକ ଲାଗାଇବା ସହ ଅନ୍ତରୀଣ ଆଦେଶ ଦେବାକୁ ମନା କରିଦେଇଥିଲେ ।

Leave a comment