ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅପରାଧମୁହାଁ କୋମଳମତି କିଶୋର: ଦୁଇ ଗୁଣ ବଢ଼ିଛି ବାଳ ଅପରାଧୀଙ୍କ ସଂଖ୍ୟା

ସୁନ୍ଦରଗଡ଼, ସମ୍ବଲପୁର, ଖୋର୍ଦ୍ଧା ଓ ଗଞ୍ଜାମରେ ସର୍ବାଧିକ

ଭୁବନେଶ୍ୱର: ଶିଶୁମାନଙ୍କୁ ଦେଶର ଭବିଷ୍ୟତ କୁହାଯାଏ। ବିଡ଼ମ୍ବନା ହେଉଛି ଗତ କିଛି ବର୍ଷ ହେଲା ରାଜ୍ୟରେ ଶିଶୁ ଓ କିଶୋରମାନଙ୍କ ଅପରାଧ ସଂଖ୍ୟା କ୍ରମାଗତ ବଢ଼଼ିବାରେ ଲାଗିଛି ୨୦୧୭ରେ ରାଜ୍ୟରେ ୫୬୬୧ ବାଳ ଅପରାଧୀ ଚିହ୍ନଟ ହୋଇଥିଲେ, ତେବେ ୨୦୨୧ ବେଳକୁ ଏହି ସଂଖ୍ୟା ୧୦,୨୪୬ରେ ପହଞ୍ଚିଛି। ୨୦୧୮ରେ ୬୨୮୫, ୨୦୧୯ରେ ୬୮୭୨ ଏବଂ ୨୦୨୦ରେ ରାଜ୍ୟରେ ୮୭୧୨ ଜଣ ବାଳ ଅପରାଧୀ ଚିହ୍ନଟ ହୋଇଛନ୍ତି।

ମହିଳା ଓ ଶିଶୁ ବିକାଶ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼଼ ଜିଲ୍ଲାରେ ସର୍ବାଧିକ ବାଳ ଅପରାଧୀ ଅଛନ୍ତି। ଏହା ପଛକୁ ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, ପୁରୀ, କୋରାପୁଟ, ଝାରସୁଗୁଡ଼ା, କଟକ, ବରଗଡ଼଼ ଭଳି ଜିଲ୍ଲା ଅଛନ୍ତି। ସବୁ ଜିଲ୍ଲାରେ ବାଳ ଅପରାଧୀଙ୍କ ସଂଖ୍ୟା ବଢ଼଼ିବାରେ ଲାଗିଛି। ବିଶେଷଜ୍ଞଙ୍କ ମତରେ ବାଳ ଅପରାଧୀଙ୍କ ମଧ୍ୟରେ ସର୍ବାଧିକ ନିଶା ଦ୍ରବ୍ୟର ଚୋରା କାରବାରରେ ସମ୍ପୃକ୍ତ ଅଛନ୍ତି। ସୁନ୍ଦରଗଡ଼଼଼ରେ ୨୦୨୧ରେ ୧୪୨୦ ଜଣ ବାଳ ଅପରାଧୀ ଚିହ୍ନଟ ହୋଥିବା ବେଳେ ୨୦୧୭ରେ ୬୫୮ ଜଣ ଚିହ୍ନଟ ହୋଇଥିଲେ। ସେହିପରି ସମ୍ବଲପୁରରେ ଗତବର୍ଷ ୧୩୩୩ ଜଣ ବାଳ ଅପରାଧୀ ଚିହ୍ନଟ ହୋଇଥିଲା ବେଳେ ୨୦୧୭ରେ ୭୫୧ ଜଣ ଚିହ୍ନଟ ହୋଇଥିଲେ। ଅନ୍ୟ ଜିଲ୍ଲାରେ ଅଳ୍ପ ହେଲେ ବି ବାଳ ଅପରାଧୀଙ୍କ ସଂଖ୍ୟା ବଢ଼଼ୁଛି।

ବାଳ ଅପରାଧ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଏହାର ନିରାକରଣ ପାଇଁ ଏକାଧିକ ସରକାରୀ ବିଭାଗ କାର୍ଯ୍ୟ କରୁଛନ୍ତି। ତେବେ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ପିଲାମାନଙ୍କୁ ଅପରାଧରୁ ଦୂରେଇ ରଖିବା ସମ୍ଭବ ହେଉ ନଥିବା ଅଭିଯୋଗ ହୋଇଛି। ଶିଶୁ ଅଧିକାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ରତ୍ନାକର ସାହୁ କହିଛନ୍ତି ପିଲାମାନଙ୍କୁ ଅପରାଧ ଠାରୁ ଦୂରେଇ ରଖିବା ପାଇଁ ବିଭିନ୍ନ ବିଭାଗ ନିଜ ନିଜ ସ୍ତରରେ କାର୍ଯ୍ୟ କରୁଛନ୍ତି। ବିଶେଷକରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଦାୟିତ୍ୱ ଅଧିକ। ସେହିପରି ଜିଲ୍ଲାସ୍ତରରେ ଶିଶୁ ମଙ୍ଗଳ ଅଧିକାରୀ, ଶିଶୁ ମଙ୍ଗଳ କମିଟି, ଜିଲ୍ଲା ନ୍ୟାୟିକ ସେବା ପ୍ରାଧିକରଣ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ ଯତ୍ନ ଗୃହ ଆଦି ରହିଛି। ମିଳିତ ଜାତି ସଂଘ ଏବଂ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାମ କରୁଛନ୍ତି। ଏହା ସତ୍ତ୍ବେ ବାଳ ଅପରାଧୀଙ୍କ ସଂଖ୍ୟାରେ ଅଭିବୃଦ୍ଧି ଚିନ୍ତାର କାରଣ ବୋଲି କୁହାଯାଇଛି ପାରିବ। ପିଲାମାନେ ଅପରାଧ ଏବଂ ଅପରାଧୀଙ୍କ ପ୍ରତି ଆକୃଷ୍ଠ ହେବାର ମୁଖ୍ୟ କାରଣ ହେଉଛି ସାମାଜିକ ସୁରକ୍ଷା, ନୈତିକ ଶିକ୍ଷାର ଅଭାବ। ଏବେ ୯/୧୦ ବର୍ଷର ପିଲାମାନେ ନିଶା ଦ୍ରବ୍ୟ ଚାଲାଣ, ଚୋରୀରେ ଲିପ୍ତ ରହୁଥିବା ଦେଖାଯାଉଛି।

ସମୟକ୍ରମେ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିଥିବା ବେଳେ ବସ୍ତୁବାଦୀ ଯୁଗରେ ଆବଶ୍ୟକତା ବଢ଼଼ିଛି। ଇଣ୍ଟରନେଟ୍‍ରୁ ଦୂରୁପଯୋଗ ପିଲାମାନଙ୍କୁ ଅପରାଧ କ୍ଷେତ୍ରକୁ ଆକର୍ଷିତ କରୁଛି। ଗୁଣାତ୍ମକ ଏବଂ ନୈତିକ ଶିକ୍ଷାର ଅଧୋଗତି ଏଥିପାଇଁ ଦାୟୀ। ସେହିପରି ପାଠ ପଢ଼଼଼଼ା ଛାଡୁଥିବା ପିଲାଙ୍କ ମଧ୍ୟରୁ ଅନେକଙ୍କ ପରେ ପରିବାରର ନିୟନ୍ତ୍ରଣ ରହୁ ନାହିଁ ଏବଂ ସେମାନେ ଅପରାଧୀଙ୍କ ସହ ମିଶିବା ପାଇଁ ସୁଯୋଗ ପାଉଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଦରିଦ୍ର ପରିବାରରୁ ଆସିଥାନ୍ତି। ସର୍ବୋପରି ପିଲାମାନଙ୍କୁ ଅପରାଧ ଠାରୁ ଦୂରେଇ ରଖିବା ପାଇଁ ସରକାରୀ ବିଭାଗ ସହିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ମିଳିତ ଜାତିସଂଘ ଏବଂ ସାମାଜିକ ଅନୁଷ୍ଠାନ ନୂଆ ରଣନୀତି ଅନୁସାରେ ନୂଆ ଯୋଜନା ପ୍ରସ୍ତୁତ କରି ତାହାର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

Leave A Reply

Your email address will not be published.