ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଠପଢା ଓ ପରିବାର ପ୍ରତିପୋଷଣ ପାଇଁ ଭାଇଭଉଣୀ ମିଶି ରାସ୍ତାକଡରେ ବିକୁଛନ୍ତି ଦହିବରା

ବାଲେଶ୍ୱର: ଟାଣ ଖରାରେ ଏକ ଛାଇ ଜାଗା ଦେଖି ରାସ୍ତାକୁ ଲାଗି ପ୍ରତିଦିନ ସକାଳ ୭ଟାରେ ଦହିବରା ସାଇକେଲଟା ଛିଡ଼ା କରିଦିଅନ୍ତି। ତାପରେ ଆରମ୍ଭ ହୋଇଯାଏ କାକୁଡି ଓ ପିଆଜି କାଟି ଦହିବରା ବିକ୍ରି କରିବା। ବଡ଼ ଭଉଣୀକୁ ଦହିବରା ବିକ୍ରିରେ ସାହାଯ୍ୟ କରନ୍ତି ସାନଭାଇ। ଟିକେ ଫାଙ୍କା ମିଳିଲେ ସେଇ ଦହିବରା ସାଇକେଲ ନିକଟରେ ବସି ନିଜ ବହି ଖୋଲି ପାଠ ପଢ଼େ ଭାଇ। ଦୀର୍ଘ ଦୁଇ ମାସ ହେଲା ଭଉଣୀ ବ୍ୟବସାୟ କରୁଥିବା ବେଳେ ଭାଇ ତା’ ପାଖରେ ରହି ସହଯୋଗ କରିବା ସହ ପାଠ ପଢ଼଼ୁଛନ୍ତି। ଏଭଳି ଏକ ଦୃଶ୍ୟ ବାଲେଶ୍ୱର ସହରର ଆଇଟିଆଇ ଛକ ନିକଟ ଶ୍ରୀ ଶ୍ରୀ ଈଶାନେଶ୍ୱରାୟ ମନ୍ଦିର ନିକଟରେ ଦେଖିବାକୁ ମିଳୁଛି। ଯେଉଁଠି ଭାଇ ଭଉଣୀ ଦୁହେଁ ଦହିବରା ବିକ୍ରି କରୁଛନ୍ତି। ସେମାନେ ହେଉଛନ୍ତି ମୋନାଲିସା ସାହୁ ଓ ସାନ ଭାଇ ଦେବେନ୍ଦ୍ର ସାହୁ।

ପ୍ରତିଦିନ ତାଙ୍କ ମାଆ ଦହିବରା, ଆଳୁଦମ ଓ ଘୁଗୁନି ତିଆରି କରିଦେବା ପରେ ବଡ ଝିଅ ଓ ମଝିଆ ପୁଅ ତାହା ବିକ୍ରି କରିବା ପାଇଁ ସାଇକେଲରେ ଧରି ସହରକୁ ବାହାରି ଆସନ୍ତି। ସକାଳ ୭ରୁ ଦିନ ୩ଟା ଯାଏଁ ଦହିବରା ବିକ୍ରି କରି ଘରକୁ ଫେରୁଛନ୍ତି ଭାଇଭଉଣୀ। ଅନେକ ଲୋକ ସେମାନଙ୍କୁ ଦେଖି ଉତ୍ସାହିତ କରିଛନ୍ତି ଏବଂ କାମ କରିବା ସହ ପାଠପଢ଼଼ା ଜାରି ରଖିବାକୁ ପରାମର୍ଶ ଦେଇଥିବା ମୋନାଲିସା କହିଛନ୍ତି। ‘ଜଣେ ଝିଅ ବାହାରେ ଛିଡାହୋଇ କିଛି ବ୍ୟବସାୟ କରିବା ନିହାତି କଷ୍ଟ। ଏମିତିକି ଜଣେ ଝିଅ ବାହାରେ ଛିଡ଼ାହୋଇ ଦହିବରା ବିକ୍ରି କରିବା ନିହାତି ଏକ ଚ୍ୟାଲେଞ୍ଜ। ତଥାପି ପରିସ୍ଥିତିକୁ ଦୃଷ୍ଟିରେ ରଖି ଓ କାମ କିଛି ନ ମିଳିବାଠୁ ତ ଦହିବରା ବିକ୍ରି କରିବା ଭଲ। ଘରେ ମଧ୍ୟ ଏନେଇ ସମର୍ଥନ କରିଛନ୍ତି। କାରଣ ଝିଅ ହେଲେ ବି ଆମ ଦ୍ୱାରା ସବୁ କାମ ହୋଇପାରିବ। ସେଥିପାଇଁ ଦହିବରା ବିକ୍ରି କରିବା କଥା ଚିନ୍ତା କରିଲୁ। ଆର୍ଥିକ ସମସ୍ୟା ପାଇଁ ଘର ଚଳାଇବା କଷ୍ଟକର। କାରଣ ଘରେ ମୋତେ ମିଶେଇ ତିନି ଜଣ ପିଲା। ସେଥିପାଇଁ ଟଙ୍କା ଦରକାର। ଭାଇ ଭଉଣୀ ମିଶି କିଛି କାମ କରିବାକୁ ଚିନ୍ତା କରିଲୁ। ବାହାରେ କାହା ପାଖରେ କାମ କରିବା ଅପେକ୍ଷା ନିଜ ଘରୁ କାମ କରିବା ଆରମ୍ଭ କରିଲୁ। ସେଥିପାଇଁ ଦହିବରା ବିକ୍ରି ଆରମ୍ଭ କରିଲୁ’ ବୋଲି ମୋନାଲିସା କହିଛନ୍ତି।

ଦୀର୍ଘ ଦୁଇ ମାସ ହେଲା ଭାଇଭଉଣୀ ବିକ୍ରି କରୁଛନ୍ତି ଦହିବରା। କଟକ ଦହିବରା, ଆଳୁଦମ ଓ ଘୁଗୁନି ବିକ୍ରି କରୁଛନ୍ତି ଭାଇଭଉଣୀ। ପ୍ରଥମେ ଆଇଟିଆଇ ଛକରେ ଦହିବରା ସାଇକେଲ ଛିଡ଼ା କରି ଦହିବରା ବିକୁଥିଲେ। ସେଠାରୁ ବିକ୍ରି କମ୍‌‌ ହେବାରୁ ବର୍ତ୍ତମାନ ଶ୍ରୀ ଶ୍ରୀ ଈଶାନେଶ୍ୱରାୟ ମନ୍ଦିର ନିକଟରେ ଦହିବରା ବିକ୍ରି କରୁଛନ୍ତି। ଏହାବ୍ୟତୀତ ସହରର ବିଭିନ୍ନ ଜାଗା ବୁଲି ବୁଲି ମଧ୍ୟ ଦହିବରା ବିକ୍ରି କରୁଛନ୍ତି। ତାନେଶ୍ୱର ସାହୁ ଓ ହରପ୍ରିୟା ସାହୁଙ୍କ ବଡ ଝିଅ ମୋନାଲିସା ସାହୁ ଓ ତାଙ୍କ ମଝିଆ ପୁଅ ଦେବେନ୍ଦ୍ର ସାହୁ।

ତାନେଶ୍ୱରଙ୍କ ନିଜ ଘର ଖୋର୍ଦ୍ଧା ହୋଇଥିବା ବେଳେ ବାଲେଶ୍ୱରରେ ଦୀର୍ଘ ୧୦ ବର୍ଷ ମେଣ୍ଢେଶୁଳସ୍ଥିଳ କଳିଙ୍ଗନଗରରେ ଭଡ଼ାରେ ରହୁଛନ୍ତି। ତାନେଶ୍ୱର ସାହୁ ଜଣେ କ୍ଷୁଦ୍ର ପରିବା ବ୍ୟବସାୟ କରନ୍ତି। ଏକୁଟିଆ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳିବା ଅତ୍ୟନ୍ତ କଷ୍ଟକର। ତେବେ ଦେବେନ୍ଦ୍ର ବର୍ତ୍ତମାନ ଫକୀରମୋହନ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର। ମୋନାଲିସା ସାହୁ ଯୁକ୍ତ ତିନି ପାଠପଢ଼଼ା ସାରି ଏକ କମ୍ପ୍ୟୁଟର ପାଠ୍ୟକ୍ରମ ଶେଷ କରିସାରିଛନ୍ତି। ‘ଅନେକ ପିଲା ଅଛନ୍ତି ଯେଉଁମାନେ ପାଠପଢ଼଼ା ସହ ପାର୍ଟଟାଇମ୍‌‌ ଚାକିରି କରୁଛନ୍ତି। ଆଉ କାହା ଅଧୀନରେ ଅଳ୍ପ ଟଙ୍କାରେ ଚାକିରି କରିବା ଅପେକ୍ଷା ନିଜ ସ୍ୱାଧୀନ ଅନୁସାରେ କାମ କରିବା ସହ ପାଠ ମଧ୍ୟ ପଢ଼ିହେବ। ସେଥିପାଇଁ ଆମେ ଦହିବରା ବିକ୍ରି କରିବା ଆରମ୍ଭ କରିଲୁ। ‘ମୁଁ ମୋ ବଡ଼ ଭଉଣୀଙ୍କ ସହ ସବୁଦିନ ଦହିବରା ବିକିବାକୁ ଆସେ। ସାହାଯ୍ୟ କରେ। ସାଙ୍ଗରେ ବହି ନେଇକି ଆସିଥାଏ। ସମୟ ମିଳିଲେ ବହି ଖୋଲି ପାଠପଢେ। ଦହିବରା ବିକ୍ରି ସାରିଲେ ମୁଁ କୋଚିଂ କ୍ଲାସ ପାଇଁ ଯାଏ। ତେବେ ପ୍ରଥମେ ପ୍ରଥମେ ଟିକେ ଅସହଜ ଲାଗୁଥିଲା ଦହିବରା ବିକ୍ରି କରିବା ପାଇଁ। ସମୟ ଅନୁସାରେ ସବୁକିଛି ସହଜ ହୋଇଗଲା। ଯାହା ରୋଜଗାର ହୁଏ ପରିବାର ପ୍ରତିପୋଷଣ ଓ ପାଠପଢ଼଼ାରେ ଖର୍ଚ୍ଚ ହୁଏ। ତେବେ ପ୍ରତିଦିନ ପ୍ରାୟ ୪/୫ ଶହ ଟଙ୍କାର ଦହିବରା ବିକ୍ରି ହୁଏ। ଆଉ କେଉଁ ଦିନ ବିଶେଷ ଭଲ ଦହିବରା ବିକ୍ରି ହୁଏନାହିଁ। କେଉଁ ଦିନ ବଳିଯାଏ ତ ପୁଣି କେଉଁଦିନ ସରିଯାଏ ବୋଲି ଦେବେନ୍ଦ୍ର କହିଛନ୍ତି। ତେବେ ମୋନାଲିସା ଓ ଦେବେନ୍ଦ୍ରଙ୍କ ସଂଘର୍ଷଭରା କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ।

Leave A Reply

Your email address will not be published.