ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାତି ୧୨ଟା ଯାଏ ବାର୍‍ ମେଲା; ଏପଟେ ବାଟ ଜଗିଛି ପୁଲିସ, ୩ ଦିନରେ ୧୭୭ ଜଣଙ୍କ ଲାଇସେନ୍ସ ବାତିଲ

ଭୁବନେଶ୍ୱର: ସହରରେ ମଦୁଆ ଧରା ଅଭିଯାନ ଏବେ କଡ଼ାକଡ଼ି। ରାତିରେ ଛକ ଛକରେ ପୁଲିସ ଯାଞ୍ଚ କରି ମଦୁଆଙ୍କୁ ଧରୁଛି। ମଦ ପିଇ ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଫୁଙ୍କ ନଳି (ବ୍ରେଥ ଆନାଲାଇଜର)ରେ ମଦ୍ୟପାନ ଯାଞ୍ଚ କରି ମୋଟା ଜୋରିମାନା ଆଦାୟ କରୁଛି। ମାତ୍ର ପୁଲିସର ଏହି ମଦୁଆ ଧରା ଅଭିଯାନକୁ ନେଇ ଆରମ୍ଭ ହୋଇଛି ବିବାଦ। ରାତି ଅଧ ଯାଏ ନାଚଗୀତ ସହ ବାର ଚଳାଇବାକୁ ପୁଲିସ ଅନୁମତି ଦେଉଛି। ବାର୍‍ ଵାଳାଙ୍କ ନୃତ୍ୟ ଦେଖି ମଦ ପିଇ ଲୋକ ବାର୍‍ରୁ ଫେରିବା ବେଳକୁ ପୁଲିସ ହାତରେ ଧରା ପଡ଼ୁଛନ୍ତି। ୟାକୁ ନେଇ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ମଦ ପିଇ ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ସହ ରାତି ୮ଟା ସୁଦ୍ଧା ମଦ ଦୋକାନ ବନ୍ଦ ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ପ୍ରତି ରାଜଧାନୀ ସହ ଅନ୍ୟାନ୍ୟ ସ୍ଥାନରେ ରାତି ୧୦.୩୦ ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହୁଛି। ମାତ୍ର କ୍ଲବ୍‍ ଓ ବାରଗୁଡ଼ିକ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ମିଳିଛି। ଏହି ସମୟ ପର୍ଯ୍ୟନ୍ତ ଲୋକେ ବାରରେ ନର୍ତ୍ତକୀଙ୍କ ନୃତ୍ୟ ଦେଖୁଛନ୍ତି ଓ ମଦ ପିଇ ଘରକୁ ଫେରିବା ସମୟରେ ପୁଲିସ ହାତରେ ଧରା ପଡ଼ୁଛନ୍ତି। ଯାଞ୍ଚରେ ମଦ ପିଇବା ନେଇ ରିପୋର୍ଟ ଆସିବା ପରେ ଜରିମାନା ଦେଉଛନ୍ତି। ଅନେକ ସମୟରେ ମଦ ପିଇ ଗାଡ଼ି ଚଳାଇବା ଯୋଗୁଁ ଲାଇସେନ୍ସ ମଧ୍ୟ ବାତିଲ ହେଉଛି। ହେଲେ ଲୋକେ ମଦ ପିଇବା ପରେ କିଭଳି ଘରକୁ ଫେରିବେ ବୋଲି ପୁଲିସକୁ ପ୍ରଶ୍ନ କରିଛନ୍ତି। ଯାହାକୁ ନେଇ ରାଜଧାନୀରେ ବିଭିନ୍ନ ଛକରେ ଉତ୍ତେଜନା ଦେଖିବାକୁ ମିଳିଛି। ସରକାରୀ ବ୍ୟବସ୍ଥାରେ ମଦ୍ୟପାନ କରି ଗାଡ଼ି ଚଳାଇବା ଅପରାଧ। ଏହାକୁ କୌଣସି ପରିସ୍ଥିତିରେ କେହି ମଧ୍ୟ ସମର୍ଥନ କରିବେ ନାହିଁ। ମାତ୍ର ରାତି ଅଧ ପର୍ଯ୍ୟନ୍ତ ମଦ୍ୟ ବିକ୍ରି କରିବାକୁ କାହିଁକି ଅନୁମତି ଦିଆଯାଉଛି ତାହାକୁ ନେଇ ସ୍ୱାଭାବିକ ପ୍ରଶ୍ନ ଉଠିଛି।

ଚଳିତ ମାସ ପ୍ରଥମ ସପ୍ତାହର ୩ ମଧ୍ୟରେ ରାଜଧାନୀରୁ ମଦ୍ୟପଙ୍କ ଠାରୁ ଏକ ଲକ୍ଷ ୩ହଜାର ଟଙ୍କା ଆଦାୟ ହୋଇଛି। ଏହାମଧ୍ୟରୁ ସର୍ବାଧିକ ଜରିମାନା ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଆସିଛି। ୩ ଦିନରେ ଲକ୍ଷ୍ମୀସାଗର ପୁଲିସ ୨୮ ଜଣଙ୍କ ଠାରୁ ୧୪ହଜାର ଟଙ୍କା ଜରିମାନା ଆଦାୟ କରିଛି। କଟକରୋଡ୍‍ ରେ ଏକାଧିକ ବାର ଏବଂ ମଦ ଦୋକାନ ରହିଛି। ଲୋକେ ମଦ ପିଇ ବାରରୁ ବାହାରି ଘରକୁ ଯିବା ସମୟରେ ପୁଲିସ ଯାଞ୍ଚ ବେଳେ ଧରାପଡ଼ି ଜରିମାନା ଦେଇଛନ୍ତି। ସହିଦନଗର ଥାନା ୨୫ଜଣଙ୍କ ଠାରୁ ୧୨ହଜାର ୫ଶହ ଟଙ୍କା ଆଦାୟ କରିଛି। କ୍ୟାପିଟାଲ,ଏୟାରଫିଲ୍ଡ ଥାନା ପୁଲିସ ୧୭ଜଣଙ୍କ ଠାରୁ ସାଢେ ୮ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ବାଲିଅନ୍ତା ଦେଢ ହଜାର, ବାଲିପାଟଣା ୨ହଜାର, ବଡ଼ଗଡ଼ ୩ହଜାର, ଲିଙ୍ଗରାଜ ଦେଢ ହଜାର, ଚନ୍ଦକା ଏବଂ ଜଟଣୀ ୫ଶହ ଟଙ୍କା ଆଦାୟ କରିଛି। ସେହିପରି ଖଣ୍ଡଗିରି ୬ହଜାର, ଖାରବେଳନଗର ୮ହଜାର, ନନ୍ଦନକାନନ ସାଢେ ୩ହଜାର, ମଞ୍ଚେଶ୍ୱର ୪ହଜାର, ଚନ୍ଦ୍ରଶେଖରପୁର ୬ହଜାର, ନୟାପଲ୍ଲୀ ୪ହଜାର ଆଦାୟ କରିଛି। ସେହିପରି ଏହି ୩ ଦିନରେ ମଦ ପିଇ ଗାଡ଼ି ଚଲାଉଥିବା ୧୭୭ ଜଣଙ୍କ ଗାଡ଼ି ଲାଇସେନ୍ସୂ ବାତିଲ୍‍ କରାଯାଇଛି। ଗତ ୬ ତାରିଖରେ ୬୩ ଜଣ, ୭ ତାରିଖରେ ୫୨ ଏବଂ ୮ ତାରିଖରେ ୬୨ ଜଣଙ୍କ ଲାଇସେନ୍ସ ବାତିଲ୍‍ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.