ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସିଆ କପ: ଆଜି ସୁପରସଣ୍ଡେର ହାଇଭୋଲଟେଜ ମ୍ୟାଚରେ ପୁଣି ଥରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ

ଦୁବାଇ: ସୁପରସଣ୍ଡେରେ ଆଜି ପୁଣି ଏକ ମହା ମୁକାବିଲା । ଏସିଆ କପର ସୁପର-୪ ପର୍ଯ୍ୟାୟରେ ଆଜି ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ- ପାକିସ୍ତାନ । ଚଳିତ ଟୁର୍ଣ୍ଣାମେଣ୍ଟରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏହା ଦ୍ୱିତୀୟ ମୁକାବିଲା। ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ । ପ୍ରଥମ ମ୍ୟାଚ୍‍ ରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଏଥିରେ ଦଳଗତ ଖେଳ ଦେଖିବାକୁ ମିଳି ନଥିଲା। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲାଗି ଭାରତ ଏହି ମ୍ୟାଚ୍‍କୁ ଜିତିନେଇଥିଲା। ଭାରତ ଏବେ ସୁଦ୍ଧା ଦୁଇଟି ମ୍ୟାଚ୍‍ ଖେଳିସାରିଛି। ଏହି ଦୁଇଟି ମୁକାବିଲାରେ ଭାରତର ଟପ୍‍ ଅର୍ଡର ବ୍ୟାଟିଂ ଓ ଡେଥ୍‍ ବୋଲିଂ ପ୍ରଭାବଶାଳୀ ହୋଇପାରି ନାହିଁ। ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଏହି ଦୁଇଟି ବିଭାଗରେ ବିଫଳ ହେବା ଦଳର ଚିନ୍ତା ବଢ଼଼ାଇଦେଇଛି। ଲୋକେଶ ରାହୁଲ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନେଇ ଗଠିତ ଟପ୍‍ ଅର୍ଡର ପାୱାର ପ୍ଲେ’ରେ ଯେପରି ଖେଳିବା କଥା ତାହା କରିପାରି ନାହାନ୍ତି। ଉଭୟ ରୋହିତ ଓ କୋହଲି ଦୁବାଇର ସ୍ଲୋ ପିଚ୍‍ରେ ଆଦୌ ସହଜ ବ୍ୟାଟିଂ କରିପାରୁ ନାହାନ୍ତି। ପାକିସ୍ତାନ ବିପକ୍ଷରେ ପ୍ରଥମ ବଲ୍‍ରେ ଓ ହଂକଂ ବୋଲିଂ ବିପକ୍ଷରେ ୩୯ ବଲ୍‍ରେ ୩୮ ରନ୍‍ କରିଥିଲେ ରାହୁଲ। ଏହା ତାଙ୍କ କ୍ୟାରିୟରର ସବୁଠାରୁ ସ୍ଲୋ ବ୍ୟାଟିଂ। ଏମାନଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ହଂକଂ ବିପକ୍ଷ ମ୍ୟାଚ୍‍ରେ ସୂର୍ଯ୍ୟକୁମାର ଯାଦବ ଭାରତକୁ ବିପଦରୁ ରକ୍ଷା କରିଛନ୍ତି। ଏବେ ଜାଡେଜା ଆହତ ହୋଇ ଦଳରୁ ବାଦ୍‍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଅକ୍ଷର ପଟେଲ ସାମିଲ ହୋଇଥିଲେ ମଧ୍ୟ ସେ କିପରି ଖେଳିବେ ତାହାକୁ ନେଇ ସନ୍ଦେହ ରହିଛି। ଜାଡେଜାଙ୍କ ଯୋଗୁଁ ପନ୍ତ୍‍ଙ୍କୁ ପାକିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‍ରୁ ବାଦ୍‍ ଦିଆଯାଇଥିଲା। ଏବେ ସେ କିମ୍ବା ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣେ ଖେଳିବେ।

ଜାଡେଜା ବାଦ୍‍ ପଡ଼ିବା ପୂର୍ବରୁ ହେଡ୍‍ କୋଚ୍‍ ରାହୁଲ ଦ୍ରାବିଡ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ଦ୍ରାବିଡ ଏଯାଏ ଯାହା କରିଛନ୍ତି ତାହା ପୂର୍ବରୁ କରାଯାଇଥିବା ଯୋଜନା ଅନୁଯାୟୀ ହୋଇଛି। ଏଣୁ ଏହି ମ୍ୟାଚ୍‍ରେ କିଛି ନୂଆ କଥା ଦେଖିବାକୁ ମିଳିଲେ ଏହା ମଧ୍ୟ ଟିମ୍‍ ମ୍ୟାନେଜମେଣ୍ଟର ଏକ ଯୋଜନା ବୋଲି ଧରି ନେବାକୁ ହେବ। ସେ କୋଚ୍‍ ଦାୟିତ୍ୱ ନେବା ପରଠାରୁ ଯାହା କିଛି ନିଷ୍ପତ୍ତି ନେଇଛନ୍ତି ତାହା ଯୋଜନାବଦ୍ଧ ଭାବେ ହୋଇଛି। ଏହି ଯୋଜନା ଅନୁଯାୟୀ ଖେଳାଳିଙ୍କ ଅଦଳ ବଦଳ କରାଯାଉଛି, ଅଧିନାୟକ ଏବଂ କୋଚ୍‍ ବିଶ୍ରାମ ନେଉଛନ୍ତି, ନୂଆ ଖେଳାଳିଙ୍କୁ ସୁଯୋଗ ମିଳୁଛି। ଏସବୁ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‍କୁ ଆଖିଆଗରେ ରଖି କରାଯାଉଛି।

ଏବେ କିନ୍ତୁ ଦଳର ଚିନ୍ତା ଟପ୍‍ ଅର୍ଡର ବ୍ୟାଟିଂ ଓ ଡେଥ୍‍ ଓଭର ବଢ଼଼ାଇଦେଇଛି। ଟପ୍‍ ଅର୍ଡରରେ ରାହୁଲଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଏହା ମଧ୍ୟ ହୋଇପାରେ ବାମହାତୀ ଋଷଭ ପନ୍ତ ଇନିଂସ ଓପନ କରିପାରନ୍ତି। ସେ ଯହି ରାହୁଲ କିମ୍ବା କୋହଲିଙ୍କ ସ୍ଥାନରେ ଖେଳନ୍ତି ତେବେ ଉଭୟ ଦିନେଶ କାର୍ତ୍ତିକ ଓ ଅକ୍ଷର ପଟେଲଙ୍କୁ ଖେଳିବା ସୁଯୋଗ ମିଳିପାରେ। ପାକିସ୍ତାନ ଟପ୍‍ ଅର୍ଡରରେ ଦୁଇ ଜଣ ବାମହାତୀ ଥିବାରୁ ରବିଚନ୍ଦ୍ରନ ଅଶ୍ୱିନଙ୍କ ଖେଳିବାକୁ ମଧ୍ୟ ଏଡ଼ାଇଦେଇ ହେବ ନାହିଁ। ସେହିପରି ଡେଥ୍‍ ଓଭରରେ କୌଣସି ବୋଲର ରନ୍‍ ନିୟନ୍ତ୍ରଣ କରିପାରୁ ନାହାନ୍ତି। ପାକିସ୍ତାନ ବିପକ୍ଷରେ ହେଉ ଅବା ହଂକଂ ବିପକ୍ଷରେ ଡେଥ୍‍ ବୋଲିଂ କାମ କରୁନାହିଁ। ଆଭେଶ ଖାନ୍‍ ଓ ଅର୍ଶଦୀପ ସିଂଙ୍କ ଲାଗି ଏହା ଆଉ ଏକ ପରୀକ୍ଷା ହୋଇପାରେ।

ପାକିସ୍ତାନର ମଧ୍ୟ ସମାନ ଅସୁବିଧା। ଦଳର ସର୍ବଶ୍ରେଷ୍ଠ ଖେଳାଳି ଅଧିନାୟକ ବାବର ଆଜମ ଦୁଇଟିଯାକ ମ୍ୟାଚ୍‍ରେ ଫେଲ ମାରିଛନ୍ତି। ତାହା ଅର୍ଥ ନୁହେଁ ଯେ ଭାରତ ଏହି ଷ୍ଟାର ଖେଳାଳିଙ୍କୁ ହାଲକା ଭାବେ ନେଉଛି। ଭାରତ ଭଳି ଏହାର ଟପ୍‍ ଅର୍ଡର ମଧ୍ୟ ପାୱାର ପ୍ଲେ’ରେ ଦ୍ରୁତ୍‍ ରନ୍‍ ସଂଗ୍ରହ କରିପାରୁ ନାହାନ୍ତି। କିନ୍ତୁ ପ୍ରଥମ ୩ ବ୍ୟାଟରଙ୍କ ବାଦ୍‍ ଦଳରେ ଆଉ ଅଭିଜ୍ଞ ଖେଳାଳି ନାହାନ୍ତି। ବୋଲିଂରେ ଯୁବ ଖେଳାଳି ଶାହନୱାଜ ଦାହନି ଆହତ ହୋଇ ଏହି ମ୍ୟାଚ୍‍ରୁ ବାଦ୍‍ ପଡ଼ିଛନ୍ତି। ୧୯ ବର୍ଷୀୟ ଫାଷ୍ଟ ବୋଲର ନସୀମ ଶାହାଙ୍କୁ ଖେଳିବା ଖୁବ୍‍ କଷ୍ଟକର ହେଉଛି। ପାୱାର ପ୍ଲେ’ରେ ଦଳ ଭଲ ବୋଲିଂ କରିଛି। କିନ୍ତୁ ଅନ୍ୟମାନେ ପ୍ରଭାବୀ ହୋଇ ପାରି ନାହାନ୍ତି। ନସୀମ ଓ ବାମହାତୀ ସ୍ପିନର ମହମ୍ମଦ୍‍ ନୱାଜଙ୍କୁ ଖେଳିବା ଭାରତୀୟ ବ୍ୟାଟରଙ୍କ ଲାଗି ସମସ୍ୟା ସୃଷ୍ଟି କରିଛି। ଏମାନଙ୍କ ୮ ଓଭରକୁ ଭଲରେ ଖେଳିଦେଲେ ଅବଶ୍ୟ ଭାରତ ଏକ ବଡ଼ ସ୍କୋର କରିପାରିବ। ଦୁଇ ଦଳ ମଧ୍ୟରେ ଏପରି ହାଇଭୋଟେଜ୍‍ ମୁକାବିଲାରେ ସବୁଠାରୁ ବଡ଼ ସଫଳତା ହେଲା ଚାପକୁ ଉଚିତ ମୁକାବିଲା କରିବା। ଯେଉଁ ଦଳ କିମ୍ବା ଖେଳାଳି ମ୍ୟାଚ୍‍ର ଚାପକୁ ଠିକ୍‍ ଭାବେ ମୁକାବିଲା କରିପାରିବେ ସେହି ଦଳ କିମ୍ବା ଖେଳାଳିମାନେ ଏହି ମ୍ୟାଚ୍‍ରେ ସଫଳ ହେବେ।

Leave A Reply

Your email address will not be published.