ଆନ୍ଧ୍ରର ପୁଣି କୋଟିଆ କୂଟ, ଓଡ଼ିଶା ନଦୀରେ କରିବାକୁ ଯାଉଛି ବିଦ୍ୟୁତ୍‌ ପ୍ରକଳ୍ପ

ଭୁବନେଶ୍ୱର: ପୋଲାଭରମ ବିବାଦ ତୁଟିନାହିଁ; ଅଦାଲତରେ ଗଡ଼ୁଛି କୋଟିଆ ସୀମା ବିବାଦ। ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେପରି ପଦକ୍ଷେପ ଗ୍ରହଣ କରାଯିବା କଥା, ତାହା କରାଯାଉ ନାହିଁ। ଏପରି ସ୍ଥିତିରେ ଓଡ଼ିଶାର ଯେଉଁ କୋଟିଆକୁ ଦଖଲ କରିବାକୁ ଆନ୍ଧ୍ର ସରକାର ଓ ପ୍ରଶାସନ ଯୋଜନା କରିଛନ୍ତି; ସେହି କୋଟିଆ ଗ୍ରାମପୁଞ୍ଜର ଅଧେ ଅଞ୍ଚଳକୁ ଜଳମଗ୍ନ କରିବାକୁ ନୂଆ ଷଡ଼ଯନ୍ତ୍ର ଆରମ୍ଭ କରିଛି। କୁରୁକୁଟି ଓ କାରିଭାସଲାରେ ଦୁଇଟି ଜଳବିଦ୍ୟୁତ୍‍ ପ୍ରକଳ୍ପ ସ୍ଥାପନ ପାଇଁ ଆନ୍ଧ୍ର ସରକାର ଆଦାନୀ ଗ୍ରୀନ୍‍ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଓଡ଼ିଶାର ସେରୁବନ୍ଧ ପର୍ବତରୁ ବାହାରିଥିବା ବୁଦୁରୁଗେଡ଼ା ନାଳରେ ଜଳପ୍ରକଳ୍ପ ସ୍ଥାପନ ନିମନ୍ତେ ନିଷ୍ପତ୍ତି ନେଇଥିଲେ ମଧ୍ୟ ଏ ସମ୍ପର୍କରେ ଆନ୍ଧ୍ର ସରକାର ଓଡ଼ିଶା ସରକାରଙ୍କୁ ଅନ୍ଧାରରେ ରଖିଛନ୍ତି। ବିଡ଼ମ୍ବନା ହେଉଛି, ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଚୁପ୍‍। ଏପରିକି ଛତିଶଗଡ଼ ସହ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସବୁବେଳେ ନାକ ପୂରାଉଥିବା ସିଡବ୍ଲ୍ୟୁସି ଆନ୍ଧ୍ରର ତଞ୍ଚକତାକୁ ନିରବରେ ଦେଖୁଥିବା ଅଭିଯୋଗ ହୋଇଛି।

କୁରୁକୁଟି ଏବଂ କାରିଭାସଲାରେ ଆନ୍ଧ୍ର ପ୍ରଦେଶ ସରକାର ୨ଟି ପମ୍ପଡ଼ ଷ୍ଟୋରେଜ୍‍ ପ୍ରକଳ୍ପ ନିମନ୍ତେ ୨୦୨୧ରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ ଆଦାନୀ ଗ୍ରୀନ୍‌ ମୁଖ୍ୟ ଗୌତମ ଆଦାନୀଙ୍କ ଉପସ୍ଥିତିରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ନାଗାବଳୀ ନଦୀ ଅବବାହିକାରୁ ବାହାରିଥିବା ବୁଦୁରୁଗେଡ଼ା ନାଳରେ କୁରୁକୁଟି ପ୍ରକଳ୍ପରୁ ୧୨୦୦ ମେଗାୱାଟ ଓ କାରିଭାଲାସା ପ୍ରକଳ୍ପରୁ ୧୦୦୦ ମେଗାୱାଟ୍‍ ବିଜୁଳି ଉତ୍ପାଦନ ଲକ୍ଷ୍ୟ ରଖିଛି ଆନ୍ଧ୍ର।

ଆନ୍ଧ୍ର ପ୍ରଦେଶ ସରକାରଙ୍କ ରିପୋର୍ଟ ଅନୁଯାୟୀ, କୁରୁକୁଟି ପ୍ରକଳ୍ପ ବୁଦୁରୁଗେଡ଼ା ନଦୀରେ କରାଯାଉଛି। ଓଡ଼ିଶାର ସେରୁବନ୍ଧ ପର୍ବତରୁ ନିର୍ଗତ ଦୁରୁଗେଡ଼ା ୮ କିମି. ପ୍ରବାହମାନ ହେବା ପରେ ଆନ୍ଧ୍ରର ଚେମିଡିପତିପୋଲମ ଗାଁର ପ୍ରବେଶ କରି ୧୪ କିମି ଅତିକ୍ରମ କରିବା ପରେ ପେଡ଼ାଗେଡ଼ା ନଦୀରେ ମିଶି ସୁବର୍ଣ୍ଣମୁଖୀ ନାମରେ ନାମିତ ହୋଇଛି। ଏହି ନଦୀର ମୁଖ୍ୟ ଜଳଧାରା କୁହାଯାଉଥିବା ଓଡ଼ିଶାର ବୁଦୁରୁଗେଡ଼ା ନାଳରେ ଆନ୍ଧ୍ର ସରକାର ନିଜର ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ନାଗାବଳୀ ଅବବାହିକାର ବୁଦୁରୁଗେଡ଼ା ଓଡ଼ିଶାରୁ ନିର୍ଗତ ହୋଇଥିବାରୁ କୌଣସି ପ୍ରକଳ୍ପ ନିମନ୍ତେ ଆନ୍ଧ୍ର ସରକାର ଓଡ଼ିଶାକୁ ଅବଗତ କରିବାର ଆବଶ୍ୟକତା ରହିଛି। ମାତ୍ର ଏ କ୍ଷେତ୍ରରେ ଆନ୍ଧ୍ର ସରକାର ଓଡ଼ିଶାକୁ ଅବଗତ କରିବାର ସାମାନ୍ୟତମ ସୌଜନ୍ୟ ମଧ୍ୟ ପ୍ରକାଶ କରିନାହାନ୍ତି।

ବର୍ତ୍ତମାନ ସୁଦ୍ଧା ଦୁଇ ରାଜ୍ୟ ମଧ୍ୟରେ ନାଗାବଳୀ ନଦୀଜଳ ଆବଣ୍ଟନ ନେଇ ନିଷ୍ପତ୍ତି ହୋଇପାରିନାହିଁ। ୧୯୭୮ ମସିହା ଡିସେମ୍ବର ମାସ ୧୫ ତାରିଖରେ ନାଗାବଳୀ, ଝଞ୍ଜାବତୀ, ବାହୁଡ଼ା, ନେରେଡି ଏବଂ ମିଳିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମାତ୍ର ସେ ସମୟରେ ଟ୍ରିବ୍ୟୁଟାରୀ(ସହାୟକ ନଦୀ) ଏବଂ ଅବବାହିକାକୁ ନେଇ କୌଣସି ନିଷ୍ପତ୍ତି ହୋଇ ପାରି ନ ଥିଲା। ଏହି ପ୍ରସଙ୍ଗ ଏବେ ମଧ୍ୟ ଅସମାଧିତ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରୁ ବାହାରିଥିବା ଜଳସ୍ରୋତ ବୁଦୁରୁଗେଡ଼ା ଉପରେ ଆନ୍ଧ୍ରର ପ୍ରସ୍ତାବିତ ପ୍ରକଳ୍ପ ଓଡ଼ିଶା ସ୍ୱାର୍ଥ ବିରୋଧୀ ବୋଲି ସ୍ୱାଭାବିକ ମନେ ହେଉଛି। ସେହିପରି ଏହି ପ୍ରକଳ୍ପ ଯଦି କାର୍ଯ୍ୟକାରୀ ହୁଏ, ତେବେ କୋଟିଆ ଗ୍ରାମପୁଞ୍ଜର ତାଡିଭାଲସା,ନେରେଡିଭାଲସା, ତଳଗଞ୍ଜେଇ ପଦର, ଉପର ଗଞ୍ଜେଇ ପଦର ଏବଂ ଅନ୍ୟ କିଛି ପଡ଼ା ଗ୍ରାମ ଜଳମଗ୍ନ ହେବା ସମ୍ଭାବନା ରହିଛି। ଓଡ଼ିଶା ନିଜସ୍ୱ ପ୍ରଚେଷ୍ଟାରେ ଓଏଚ୍‍ପିସି ଦ୍ୱାରା ଅଦାନୀ ଗ୍ରୀନ କମ୍ପାନୀ ସହ ଯଥାକ୍ରମେ ୯୦୦ ମେଗାୱାଟ୍‍ ଏବଂ ୮୦୦ ମେଗାୱାଟ ପ୍ରକଳ୍ପ ସ୍ଥାପନ ଯୋଜନା କରିଛି। ଏହା ଦ୍ୱାରା ଆନ୍ଧ୍ରର ପ୍ରସ୍ତାବିତ ପ୍ରକଳ୍ପରୁ ୫୦୦ ମେଗାୱାଟ୍‍ ବିଜୁଳି କମ୍‍ ଉତ୍ପାଦନ ହେବ। ଅନୁରୂପ ଭାବରେ ଗ୍ରୀନ୍‍ ଆଦାନୀ ପକ୍ଷରୁ ସର୍ବେକ୍ଷଣ ଦାୟିତ୍ୱ ପ୍ରଦାନ କରାଯାଇଥିବା ଟାଟା କନ୍‍ସଲ୍‍ଟାନ୍ସି ମଧ୍ୟ ବିସ୍ତୃତ ସର୍ଭେ କରିବା ପରେ ଓଡ଼ିଶାର କୋଟିଆ ଅନ୍ତର୍ଗତ ବହୁ ଅଞ୍ଚଳ ଜଳମଗ୍ନ ହେବ ବୋଲି ରିପୋର୍ଟ ପ୍ରଦାନ କରିଥିବା ସୂଚନା ମିଳିଛି।

ଏକପକ୍ଷରେ ପୋଲାଭରମ ପ୍ରକଳ୍ପ ଯୋଗୁ ଓଡ଼ିଶାର ସୀମାନ୍ତ ଜିଲ୍ଲା ମାଲକାନଗିରିର ମୋଟୁ ଅଞ୍ଚଳ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦୂର ହୋଇନାହିଁ। ଏହି ପ୍ରକଳ୍ପର ଉଚ୍ଚତା ହ୍ରାସ କରିବା ସଂକ୍ରାନ୍ତ ଓଡ଼ିଶାର ଦାବିକୁ ପଡୋଶୀ ଆନ୍ଧ୍ର ଅଣଦେଖା କରି ଆସୁଛି। ମାମଲା ଏବେ ବି ଅଦାଲତର ବିଚାରାଧୀନ ରହିଛି। କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ମଧ୍ୟ ଓଡ଼ିଶା ପକ୍ଷରୁ ବାରମ୍ବାର ପ୍ରସ୍ତାବ ଓ ଅନୁରୋଧ କରାଯାଇଥିଲେ ମଧ୍ୟ କିଛି ଫଳ ମିଳିନାହିଁ। ଏ କ୍ଷେତ୍ରରେ କେନ୍ଦ୍ର ସରକାର ନିରବ ରହିଛନ୍ତି ଓ ଆନ୍ଧ୍ର ନିଜ ଜିଦ୍‍ରେ ଅଟଳ ରହିଛି। ଆନ୍ଧ୍ରପ୍ରଦେଶ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜକୁ ମଧ୍ୟ ଅକ୍ତିଆର କରିବା ପାଇଁ ପ୍ରୟାସ କରି ଆସୁଛି। ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରିବା ଓ କୋଟିଆରେ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରି ଏହାକୁ ନିଜର ବୋଲି ଦେଖାଇବାକୁ ପ୍ରୟାସ କରୁଛି। ଏପରି ସ୍ଥଳେ ଆନ୍ଧ୍ରର ପ୍ରସ୍ତାବିତ କୁରୁକୁଟ ଓ କାରିଭାଲସା ପ୍ରକଳ୍ପକୁ ନେଇ କୋଟିଆ ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧୁଛି।

ଆନ୍ଧ୍ର ପ୍ରଦେଶ ସରକାରଙ୍କ ଏପରି ଯୋଜନା ସମ୍ପର୍କରେ କୋରାପୁଟ ଜିଲ୍ଲାପାଳଙ୍କ ସହ ‘ସକାଳ’ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଜିଲ୍ଲାପାଳ ଅବଦୁଲ ଅଖତର କୌଣସି ପ୍ରକଳ୍ପ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଗଲେ ତାହା ସମ୍ପୂର୍ଣ୍ଣ ହୋଇଯିବ ନାହିଁ। ରାଜ୍ୟର ସ୍ୱାର୍ଥରକ୍ଷା ନିମନ୍ତେ ପ୍ରଶାସନ ସଜାଗ ରହିଛି ବୋଲି ସେ କହିଛନ୍ତି।

Leave a comment