ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ, ନୈତିକତା ଦୃଷ୍ଟିରୁ ତାଙ୍କୁ ବିରୋଧୀ ଦଳ ନେତା ପଦରୁ ବହିଷ୍କାର କରୁ ବିଜେପି

ଭୁବନେଶ୍ବର : ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଛି ବିଜେଡି। ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍‍ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆକ୍ରମଣକୁ ନେଇ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଜୟନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ। ବାରମ୍ବାର ଅପରାଧ କରିଚାଲିଛନ୍ତି। ବିଧାନସଭାର ଜଣେ ବିରୋଧି ଦଳ ନେତାଙ୍କ ଏପରି କାର୍ଯ୍ୟ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିଛି ବୋଲି କହିବା ସହ ବିରୋଧୀ ଦଳ ନେତା ପଦରୁ ତାଙ୍କୁ ହଟାଇବା ପାଇଁ ବିଜେଡି ଦାବି କରିଛି ।

ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍‍ ଅଧିକାରୀଙ୍କୁ ସର୍ବସମ୍ମୁଖରେ ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ଆକ୍ରମଣ କରିବା ଘଟଣା ସାମ୍ନାକୁ ଆସିବା ପରେ ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରମୟୀ ମିଶ୍ର କହିଛନ୍ତି ଯେ, ବିଜେପି ମହିଳାଙ୍କୁ କିପରି ସମ୍ମାନ ଦେଉଛି ତାହାର ଅସଲ ଚିତ୍ର ସମସ୍ତେ ଦେଖୁଛନ୍ତି। ଜୟନାରାୟଣ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି ।

ଶ୍ରମୟୀ ମିଶ୍ର କହିଛନ୍ତି ଯେ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ବିରୋଧରେ ୧୪ଟି ମାମଲା ରହିଛି । ଯେଉଁଥିରେ ସେ ଜେଲରେ ଥିଲେ ଏବଂ ବର୍ତ୍ତମାନ ଜାମିନରେ ଅଛନ୍ତି । ଶ୍ରୀ ମିଶ୍ରଙ୍କର ଲୋକଙ୍କୁ ଧମକ ଦେବା ଓ ଆକ୍ରମଣ କରିବାର ଅଭ୍ୟାସ ରହିଛି । ଆଜି ସେ କର୍ତ୍ତବ୍ୟରତ ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ଶାରୀରିକ ନିର୍ୟାତନା ଦେଇଛନ୍ତି । ଏହି ଆକ୍ରମଣର ଭିଡିଓ ମଧ୍ୟ ଓଡ଼ିଶା ଲୋକଙ୍କ ଆଗରେ ଗଣମାଧ୍ୟମରେ ପ୍ରସାରିତ ହୋଇଛି ।

ଓଡିଶା ବିଜେପି ମହିଳାମାନଙ୍କ ସମ୍ମାନ ଓ ମର୍ୟ୍ୟାଦା ବିଷୟରେ କହୁଛି । ହେଲେ ତାଙ୍କ ଦଳର କର୍ମୀ ଓ ନେତାମାନେ ଏଭଳି ଭାବେ ମହିଳାଙ୍କ ସମ୍ମାନ ଏବଂ ସୁରକ୍ଷା ରକ୍ଷା କରୁଛନ୍ତି ତାହା ଏବେ ସାମ୍ନାକୁ ଆସିଛି ।ବିଧାନସଭାର ବିରୋଧୀ ଦଳର ନେତା ଡ୍ୟୁଟିରେ ଥିବା ମହିଳା ପୋଲିସ ଅଧିକାରୀଙ୍କୁ ଶାରୀରିକ ନିର୍ୟାତନା ଦେଇ ଏଭଳି ସମ୍ମାନ ପ୍ରଦର୍ଶନ କରୁଛନ୍ତି କି ବୋଲି ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ଶ୍ରୀମତୀ ମିଶ୍ର ଆହୁରି କହିଛନ୍ତି, ଓଡ଼ିଶା ବିଜେପି ତୁରନ୍ତ ଶ୍ରୀ ମିଶ୍ରଙ୍କୁ ତାଙ୍କର ଏଭଳି ଅପମାନଜନକ ଆଚରଣ ପାଇଁ ବିଧାନସଭାର ବିରୋଧିଦଳ ନେତା ପଦରୁ ହଟାଇନେବା ଉଚିତ । ଏଥିସହ ସର୍ବସାଧାରଣରେ ଜଣେ ମହିଳାଙ୍କୁ ଅପମାନିତ କରିଥିବାରୁ ଓଡିଶା ବିଜେପି ଏବଂ ଶ୍ରୀ ମିଶ୍ର ଓଡିଶାବାସୀ ବିଶେଷ କରି ଓଡିଶାର ମହିଳାଙ୍କୁ କ୍ଷମା ମାଗିବା ଉଚିତ । ସେମାନେ ନିଶ୍ଚୟ ବୁଝିପାରିବେ ଯେ ଏହିପରି ଅପମାନଜନକ କାର୍ୟ୍ୟ ଓଡିଶାର ସଂସ୍କୃତି ଏବଂ ପରମ୍ପରାରେ ଆଦୌ ଗ୍ରହଣୀୟ ନୁହେଁ ।

ସୂଚନାଯୋଗ୍ୟ ଯେ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମ୍ବଲପୁରରେ ଆଜି ପ୍ରତିବାଦ ସଭା କରିଥିଲେ । ଏହି ସମୟରେ ଆନ୍ଦୋଳନକାରୀଙ୍କୁ ଅଟକାଉଥିବା ବେଳେ ଜୟନାରାୟଣ ଜଣେ ମହିଳା ପୁଲିସଙ୍କୁ ଧକ୍କା ମାରୁଥିବାର ଦେଖିବାକୁ ମିଳିଛି । ଶହ ଶହ ବିଜେପି କର୍ମୀଙ୍କ ପ୍ରତିବାଦ ଭିତରେ ମହିଳା ପୁଲିସ ଅଧିକାରୀଙ୍କୁ ଧକ୍କା ମାରିଛନ୍ତି ଜୟନାରାୟଣ ଯାହାର ଭିଡ଼ିଓ ଏବେ ଭାଇରାଲ ହୋଇଛି ।

Leave A Reply

Your email address will not be published.