ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାଷୀମାନଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁ ପାଣି ପଞ୍ଚାୟତ ଆଜି ଆନ୍ଦୋଳନରେ ପରିଣତ ହୋଇପାରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୩ ଉଦଯାପନ ସମାରୋହ ଆଜି ଲୋକସେବା ଭବନ, କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପାଣି ପଞ୍ଚାୟତ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ଚାଷୀ ଭାଇ ଭଉଣୀ ମାନଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ।

ମାତ୍ର ୭୦୦ ପାଣି ପଞ୍ଚାୟତରୁ ଆରମ୍ଭ କରି ଆଜି ରାଜ୍ୟରେ ୩୭ ହଜାର ପାଣି ପଞ୍ଚାୟତ କାର୍ଯ୍ୟ କରୁଛି । ସେହିପରି ୩.୩୨ ଲକ୍ଷ ହେକ୍ଟର ଜମିରେ ଆରମ୍ଭ ହୋଇଥିବା ଏହି ପାଣି ପଞ୍ଚାୟତ ଆଜି ୨୩.୪୬ ଲକ୍ଷ ହେକ୍ଟର ଜମିରେ ପାଣିର ସୁବିଧା ଦେଇପାରୁଛି । ଏହା ବାସ୍ତବରେ ବହୁତ ବଡ଼ ସଫଳତା ଅଟେ ବୋଲି ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୩ ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଚାଷୀ ଭାଇ ଭଉଣୀ ମାନଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁଁ ପାଣି ପଞ୍ଚାୟତ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜଳ ଅମୂଲ୍ୟ ଅଟେ । ଜଳବାୟୁ ପରିବର୍ତ୍ତନର ପ୍ରଥମ ପ୍ରଭାବ ପାଣି ଉପରେ ଓ ଚାଷ ଉପରେ ପଡ଼ିବ । ତେଣୁ ଜଳ ନଷ୍ଟ ନ କରି, ତାର ସୁବିନିଯୋଗ ଓ ସୁଷମ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ ଜଳର ସଂରକ୍ଷଣ, ପୁନଃବ୍ୟବହାର ଏବଂ ପୁନଃଚକ୍ରଣ ଆମର ଲକ୍ଷ୍ୟ ହେବା ଦରକାର । ବର୍ତ୍ତମାନ ବିଭିନ୍ନ ପ୍ରମୁଖ, ମଧ୍ୟମ, କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ପାଣି ପଞ୍ଚାୟତ କାର୍ଯ୍ୟକାରୀ କରାଯାଉଛି । ଆଗାମୀ ଦିନରେ ବୃହତ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ପାଣି ପଞ୍ଚାୟତ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ କହିଲେ ଯେ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଦୂରଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି ।

ଏଥିପାଇଁ ଜଳ ଭଳି ଅମୂଲ୍ୟ ସଂପଦ ଉପରେ ଗୁରୁତ୍ୱ ଦେଇ ସେ ପାଣି ପଞ୍ଚାୟତ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ।ଚକୋଭିଡ ପାଇଁ ଗତ କିଛି ବର୍ଷ ଧରି ପାଣି ପଞ୍ଚାୟତ ପକ୍ଷ ପାଳନ ବନ୍ଦ ରହିଥିଲା । ଚଳିତ ବର୍ଷ ଏହି ପକ୍ଷ ପାଳନ ସମ୍ପୃକ୍ତ ପାଣି ପଞ୍ଚାୟତ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ତୃଣମୂଳ ସ୍ତରରେ ଜଳ ବଣ୍ଟନରେ ସମାନତା ଆଣିବା ଉଦ୍ଦେଶ୍ୟରେ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଇଛି ।

ଏହିଅବସରରେ ସେ ଅସମ୍ପୂର୍ଣ୍ଣ ଥିବା ବହୁ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ହେବା ପରେ ପାଣି ପଞ୍ଚାୟତମାନେ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ କୋଭିଡ ପରବର୍ତ୍ତୀ ସମୟରେ ଏହି ପାଣି ପଞ୍ଚାୟତ ପକ୍ଷ ୧୧୭ଟି ଜଳସେଚନ ବିଭାଜନରେ ଏବଂ ୩୦ଟି ଜିଲ୍ଲାରେ ସହଭାଗୀ ସେଚ ପରିଚାଳନାରେ ସମ୍ପୃକ୍ତ ପାଣି ପଞ୍ଚାୟତ ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ନେଇ ଏହା ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି । ରାଜ୍ୟରେ ପାଣି ପଞ୍ଚାୟତର ପ୍ରଗତି ଯାତ୍ରାରେ ସେଚ ସହଭାଗିତା, ସେଚ ସହଭାଗିତା ପ୍ରଶିକ୍ଷଣ ସମ୍ୱନ୍ଧୀୟ ପୁସ୍ତିକା “ସିଞ୍ଚିତା”, ଇ-କାଡ୍‌ ଅଧୀନରେ ଇନଫ୍ରା ଏବଂ ଏମଆଇଏସ ମଡ୍ୟୁଲ୍‌ ପରି ଆପ୍ଲିକେସନକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ଏହି ମଡ୍ୟୁଲ ପ୍ରକଳ୍ପଗୁଡିକର ବାସ୍ତବ ଓ ଆର୍ଥିକ ପ୍ରଗତିର ସଠିକ ସମୟରେ ପର୍ଯ୍ୟାଲୋଚନା ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ।

ଆଜିର ଏହି ସମାରୋହରେ ବିଭିନ୍ନ ପ୍ରକଳ୍ପର ୪୦ ଗୋଟି ଶ୍ରେଷ୍ଠ ପାଣି ପଞ୍ଚାୟତ (ବୃହତ, ମଧ୍ୟମ, କ୍ଷୁଦ୍ର ଓ ଉଠାଜଳସେଚନ), ୩୦ ଜଣ ପ୍ରଗତିଶୀଳ କୃଷକ ଏବଂ ବିଭିନ୍ନ ପ୍ରତିଯୋଗିତାର ୧୨ ଜଣ ବିଜେତା ତଥା ୧୨ ଟି ଶ୍ରେଷ୍ଠ ପ୍ରକଳ୍ପ ଏବଂ ୧୫ ଜଣ ଶ୍ରେଷ୍ଠ ଅଧିକାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବ୍ରହ୍ମଗିରି ମା ଜାଗୁଳାଇ ପାଣି ପଞ୍ଚାୟତର ଗୀତାରାଣୀ ସାହୁ ଓ ଯାଜପୁର ବଡଚଣାର ମା ବ୍ରାହ୍ମଣୀଦେବୀ ପାଣି ପଞ୍ଚାୟତର ନଳିନୀକାନ୍ତ ପୃଷ୍ଟି ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି ପାଣି ପଞ୍ଚାୟତ ଜରିଆରେ ସେମାନେ କିପରି ସଫଳ ଜଳ ପରିଚାଳନା କରି ଚାଷରେ ଉନ୍ନତି ଆଣିପାରିଛନ୍ତି ସେ ବିଷୟରେ ପ୍ରକାଶ କରିଥିଲେ ।

ସ୍ୱାଗତ ଭାଷଣ ଦେଇ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମେଗାଲିଫ୍ଟ ପ୍ରକଳ୍ପଗୁଡ଼ିକରେ ପାଣି ପଞ୍ଚାୟତ ଗଠନ କରିବା ପାଇଁ ପାଣି ପଞ୍ଚାୟତ ନିୟମରେ ସଂଶୋଧନ କରାଯିବା ସହିତ ୫-ଟି ମାଧ୍ୟମରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିବା ପ୍ରକାଶ କରିଥିଲେ । ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.