ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିଶୁ ସଦନ ସହଯୋଗରେ ବେଙ୍ଗାଲୁରୁର ଏକ ବ୍ୟାଟେରି ଚାଳିତ ସ୍କୁଟର ନିର୍ମାଣ କମ୍ପାନୀରେ ନିଯୁକ୍ତି ପାଇଲେ ୭ ଅନ୍ତେବାସୀ

ଫୁଲବାଣୀ(ସଞ୍ଜୟ ପାତ୍ର): ଉଦ୍ୟମ, ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ସଫଳତା ନିଶ୍ଚୟ ମିଳିଥାଏ। ଏହି ଉକ୍ତିକୁ ପୁଣି ଥରେ ସତ ପ୍ରମାଣିତ କରି ଦେଖାଇଛନ୍ତି ଶିଶୁ ସଦନରେ ରହୁଥିବା ଅନ୍ତେବାସୀ। ଶିଶୁ ସଦନ ସହଯୋଗରେ ବେଙ୍ଗାଲୁରୁର ଏକ ବ୍ୟାଟେରି ଚାଳିତ ସ୍କୁଟର ନିର୍ମାଣ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ୭ ଅନ୍ତେବାସୀ।

କନ୍ଧମାଳ ଜିଲ୍ଲାରେ ପ୍ରାୟ ୧୬ରୁ ଊର୍ଦ୍ଧ୍ବ ଶିଶୁସଦନ ଗୃହ ରହିଥିବା ବେଳେ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ବାଲିଗୁଡ଼ା ସମେତ ବିଙ୍ଗିଆ, ଜକିକିଆ ଏବଂ କଳାହାଣ୍ଡି ଜିଲ୍ଲାର ଡଙ୍ଗରିଗୁଡ଼ାରେ ରହିଛି ଶିଶୁସଦନ। ଏହି ଶିଶୁ ସଦନ ମଧ୍ୟରୁ ବାଲିଗୁଡ଼ା ଶିଶୁସଦନର ୭ ଜଣ ଛାତ୍ରୀ ନିକଟରେ ହୋଇଥିବା କ୍ୟାମ୍ପସ ନିଯୁକ୍ତିରେ ସଫଳତା ହାସଲ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ଏକ ବ୍ୟାଟେରି ଚାଳିତ ସ୍କୁଟର ନିର୍ମାଣ କମ୍ପାନୀରେ ସେମାନେ ଚାକିରି ପାଇଛନ୍ତି। ପିଲାଦିନରୁ ଆଜି ପର୍ଯ୍ୟନ୍ତ ଶିଶୁ ସଦନରେ ରହୁଥିବା ଏହି ଅନ୍ତେବାସୀ ରୋଜଗାରକ୍ଷମ ହୋଇପାରିଥିବାରୁ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ନିଷ୍ଠା ଓ ଗଭୀର ଆତ୍ମବିଶ୍ୱାସ ସେମାନଙ୍କୁ ଏହି ସଫଳତା ଦେଇଥିବା ନେଇ ଅନ୍ତେବାସୀ ପ୍ରିୟଙ୍କା ଘଡ଼େଇ, ପ୍ରିୟଙ୍କା ଦିଗାଲ, ଜାନକି ପୋଢୟ, ସୋନାଲି ରଣସିଂ, ଶାନ୍ତା ପ୍ରଧାନ, ହରପ୍ରିୟା ପୂଜାରୀ, ଲିସା ବେହେରା ଦଳାଇ କହିଛନ୍ତି। ଇତିମଧ୍ୟରେ ସେମାନେ କାର୍ଯ୍ୟରେ ଯୋଗଦେବା ପାଇଁ ବାଙ୍ଗାଲୋର ଯାଇ ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଯେଉଁମାନଙ୍କର ଘରର ଠିକଣା ଦିନେ ଶିଶୁସଦନ ଥିଲା, ଆଜି ସେମାନଙ୍କର ଇଚ୍ଛାଶକ୍ତି ଯୋଗୁଁ ସେମାନଙ୍କର ଠିକଣା ବଦଳିବା ସହିତ ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି କହିଛନ୍ତି ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର ପଣ୍ଡା। ତେବେ ଏହି ଅନ୍ତେବାସୀଙ୍କ ଉଦ୍ୟମ, ନିଷ୍ଠା ଓ ଆତ୍ମବିଶ୍ୱାସର ସଫଳତା ସତ୍ୟ କାହାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି।

Leave A Reply

Your email address will not be published.