ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆ ଓଡ଼ିଶା ଗଠନରେ ସାମିଲ ହୁଅନ୍ତୁ ଖରିଆରବାସୀ: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

୮୪୦ ଆବେଦନରୁ ୭୮୦ଟି ଆବେଦନର ସମାଧାନ ହୋଇଛି

ଭୁବନେଶ୍ୱର: ଏକ ନୂଆ ଓ ସଶକ୍ତ ଓଡିଶା ଗଠନ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ । ଯେଉଁଥିରେ ଗରିବ ଲୋକ ବି ବଡ ବଡ ସ୍ୱପ୍ନ ଦେଖିପାବେ ଓ ତାକୁ ସାକାର କରିପାରିବେ । ଏଥିରେ ଖରିଆରବାସୀ ବି ସାମିଲ ହେବାକୁ ଆଜି ନୂଆପଡା ଜିଲ୍ଲା ବୋଡେନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଆହ୍ବାନ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ଖରିଆରବାସୀଙ୍କ ପାଇଁ ଦିନ ରାତି କାମ କରୁଛନ୍ତି । ଖରିଆରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭଲରେ ଆଶିର୍ବାଦ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ।

ସେ କହିଛନ୍ତି ଯେ, ଏହା ନବୀନ ପଟ୍ଟନାୟକ କି ବିଜେଡି ସରକାର ନୁହେଁ । ଏହା ଲୋକଙ୍କ ସରକାର । ସାଧାରଣ ଲୋକେ ଯାହା ଚାହିଁବେ ମୁଖ୍ୟମନ୍ତ୍ରୀ ତାହା କରିବେ । ମୁଖ୍ୟମନ୍ତ୍ରୀ ଏକ ନୂଆ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହାକୁ ସାକାର କରିବାକୁ ଖରିଆରବାସୀ ଏକାଠି ହୁଅନ୍ତୁ । ସମୟ ଆସିଛି ବିଜୁ ପରିବାର ବି ଏକାଠି ହୁଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କୁ ଆଶିର୍ବାଦ କରନ୍ତୁ, ଆପଣଙ୍କ ସବୁ ସ୍ୱପ୍ନ ସାକାର ହେବ ।
ଗତ ମେ ସାସରେ ଖରିଆର ଗସ୍ତରେ ଯାଇଥିଲେ ଫାଇଭ ଟି ଅଧ୍ୟକ୍ଷ । ସେ ସମୟରେ ତାଙ୍କୁ ୮୪୦ଟି ଦରଖାସ୍ତ ମିଳିଥିଲା । ସେ ମଧ୍ୟରୁ ୭୮୦ଟି ଦରଖାସ୍ତର ସମାଧାନ ହୋଇସାରିଛି । ଆଜି ମଧ୍ୟ ସେ ଖରିଆରବାସୀଙ୍କଠାରୁ ଅନେକ ଆବେଦନପତ୍ର ପାଇଛନ୍ତି । ଆଉ ମାତ୍ର ୨୦ ଦିନ ପରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ତେଣୁ ସେ ଭିତରେ ଯେତିକି ସମ୍ଭବ ଆବଦେନର ସମାଧାନ ହେବ । ଯେଉଁଗୁଡିକ ରହିଯିବ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନିଜେ ଆସିବେ ଆଉ ୧୦ ଦିନରେ ସବୁ ଆବେଦନର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ ।

ଗତ ୭ ମାସରେ ନୂଆପଡାବାସୀଙ୍କ ଦାବି ଅନୁଯାୟୀ ପ୍ରାୟ ୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆପଡାବାସୀଙ୍କ ଦାବି ଅନୁଯାୟୀ ଜିଲ୍ଲାର ସବୁ କଲେଜକୁ ଫାଇଭ-ଟି ରୂପାନ୍ତରଣରେ ସାମିଲ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ୧୩ କୋଟି ୨୫ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଆସନ୍ତା ଫେବୃଆରୀ ଶେଷ ସୁଦ୍ଧା ଜିଲ୍ଲାର ସବୁ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସ ରୁମ ଓ ଇ-ଲାଇବ୍ରେରୀ ସୁବିଧା ପାଇବେ ବୋଲି ସେ କହିଛନ୍ତି ।

ପୋଖରୀପଡାରେ ଆଦିବାସୀ ଛାତ୍ରାବାସ ପାଇଁ ୩ କୋଟି ଟଙ୍କା, ସୁନାବେଢାକୁ ରାସ୍ତା ପାଇଁ ୩୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନାବେଢା ରାସ୍ତାକାମ ଚାଲିଛି, ମାର୍ଚ୍ଚ ସୁଦ୍ଧା ଶେଷ ହେବ । ଶାଳପଡାରେ ଏକ ଶିକ୍ଷା କମ୍ପ୍ଲେକ୍ସ ପାଇଁ ୧ କୋଟି ୮୦ ଲକ୍ଷ ଟଙ୍କା ମଂଜୁର ହୋଇଛି । ମଣ୍ଡେଇ ମନ୍ଦିର ରୂପାନ୍ତରଣ ପାଇଁ ୨ କୋଟି ୬୦ ଲକ୍ଷ ଟଙ୍କା, ଯୋଗେଶ୍ବର ମନ୍ଦିର ଉନ୍ନତିକରଣ ପାଇଁ ୩ କୋଟି ୯୫ ଲକ୍ଷ ଟଙ୍କା ଓ ପାତାଳଗଙ୍ଗାର ରୂପାନ୍ତରଣ ପାଇଁ ୫ କୋଟି ୮୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି ବୋଲି ସେ କହିଛନ୍ତି ।

ସେହିଭଳି ପିଇବା ପାଣି ପ୍ରକଳ୍ପ ପାଇଁ ୯ କୋଟି ୪୦ ଲକ୍ଷ ଟଙ୍କା, ବୋଡେନ-ସିନାପାଲୀ ରାସ୍ତା ପାଇଁ ୩୮୩ କୋଟି ଟଙ୍କା ଓ ସହଜ ନଳା ଉପରେ ସେତୁ ପାଇଁ ୪ କୋଟି ଟଙ୍କା ମଂଜୁର ହୋଇଛି । ଏସବୁ ସ୍ୱପ୍ନ ଲାଗୁଥାଇପାରେ । କିନ୍ତୁ ମୁଖ୍ୟମନ୍ତ୍ରୀ କଥା କମ, କାମରେ ବିଶ୍ବାସ କରନ୍ତି । ତେଣୁ ଏସବୁ ସମ୍ଭବ ହୋଇଛି ବୋଲି ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି ।

ସେ କହିଥିଲେ ଯେ, ଲୋକେ କେତେ କେତେ ନେତା ଦେଖିଛନ୍ତି । ହେଲେ କେହି ଲୋକଙ୍କୁ ଏତେ ହିସାବ ଦିଅନ୍ତିନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ସ୍ବଚ୍ଛତାର ସହ ସବୁ କାମର ହିସାବ ଦିଅନ୍ତି ।
ଆଜି ମିଳିଥିବା ଆବେଦନ ମଧ୍ୟରୁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ସମ୍ପର୍କିତ ଆବେଦନ ଉପରେ ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଖୁସୀ ଖବର ଦେବେ । ପଡୋଶୀ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଛି । ଖୁବଶୀଘ୍ର ନୂଆପଡାରେ ଗଡିବ ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ନିଜର ସବୁ ଯୋଜନାରେ ମହିଳାଙ୍କୁ ବିଶେଷ ଗୁରୁତ୍ବ ଦେଇଥାନ୍ତି । ଯେଉଁଥିପାଇଁ ଲକ୍ଷ୍ମୀ ବସରେ ଯାତ୍ରା ପାଇଁ ମହିଳାଙ୍କୁ ମାତ୍ର ୫ଟଙ୍କା ଦେବାକୁ ପଡୁଛି । ସେହିଭଳି ବିଏସକେୱାଇରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା ମିଳୁଛି । ଯେଉଁମାନେ ବିଏସକେୱାଇରେ ସାମିଲ ହୋଇନାହାଁନ୍ତି, ସେମାନେ ନବୀନ କାର୍ଡ ପାଇଁ ଆବେଦନ କରିବାକୁ ଅପିଲ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ।

ସେହିଭଳି ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ କଳାକାର ଭତ୍ତା ବଢିବ । ଏ ନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ । ଆମ ବ୍ୟାଙ୍କ ଯୋଜନାରେ ସବୁ ପଂଚାୟତରେ ବ୍ୟାଙ୍କ ଖୋଲିବ ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.