ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିନ ଆସିବ ଜଣେ ହିଜାବ ପରିଧାନ କରିଥିବା ମହିଳା ଏ ଦେଶରେ ପ୍ରଧାନମନ୍ତ୍ରୀ ହେବେ: ଅସାଦୁଦ୍ଦିନ ଓୱେସୀ

ନୂଆଦିଲ୍ଲୀ : ହିଜାବକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। କର୍ଣ୍ଣାଟକର ଏକ ମହାବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଏବେ ଏହା ରାଜନୈତିକ ବିତର୍କର ବିଷୟବସ୍ତୁ ପାଲଟି ଯାଇଛି। ବର୍ତ୍ତମାନ ଏହି ମାମଲାରେ ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ବୟାନ ପ୍ରସଙ୍ଗକୁ ପୁଣି ଖୋରାକ ଯୋଗାଇଛି। ଓୱେସୀ କହିଛନ୍ତି ଯେ, ଦିନ ଆସିବ ଜଣେ ହିଜାବ ପରିଧାନ କରିଥିବା ମହିଳା ଏ ଦେଶରେ ପ୍ରଧାନମନ୍ତ୍ରୀ ହେବେ।

ତେବେ କର୍ଣ୍ଣାଟକ ବିଜାପୁରରେ ଆଗକୁ ପୌର ନିର୍ବାଚନ ଥିବା ବେଳେ ଓୱେସୀ ସେଠାକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ସେଠାରେ ୪ଟି ୱାର୍ଡ଼ରେ ଏଆଇଏମଆଇଏମ ନିର୍ବାଚନ ଲଢ଼ୁଛି। ଅକ୍ଟୋବର ୨୮ରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବାର ଅଛି। ଏଆଇଏମଆଇଏମ ନେତା ଓୱେସୀ ଏଥିପାଇଁ ଡୋର ଟୁ ଡୋର କ୍ୟାମ୍ପେନିଂ କରିଛନ୍ତି। ଏହି ଅବସରରେ ସେ ଏକ ରୋଡ଼ ଶୋ’ ମଧ୍ୟ କରିଥିଲେ। ଏହି ସମୟରେ ଓୱେସୀ ଏହି ମନ୍ତବ୍ୟ ଦେଉଥିବାର ନଜର ଆସିଛନ୍ତି।

ତେବେ ଓୱେସୀଙ୍କ ଏହି ବୟାନ ଆସିବା ପରେ ତାଙ୍କୁ ବିଜେପି ପକ୍ଷରୁ ଟାର୍ଗେଟ କରାଯାଇଛି। ବିଜେପି ନେତା ସେହଜାଦ୍ ପୁନାୱାଲା ଏନେଇ କହିଛନ୍ତି ଯେ, ଓୱେସୀଜି ଆମ ଦେଶର ସମ୍ବିଧାନ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ହେବାର ଅଧିକାର ଦେଇଛି। ଆପଣ କେବଳ ଏତିକି କୁହନ୍ତୁ ଯେ କେବେ ଜଣେ ହିଜାବ ପରିଧାନ କରିଥିବା ମହିଳା ଏଆଇଏମଆଇଏମ ର ଅଧ୍ୟକ୍ଷା ହେବେ ? ଆସନ୍ତୁ ଆପଣଙ୍କ ଦଳରୁ ହିଁ ଏହି ପରିବର୍ତ୍ତନ ଆରମ୍ଭ କରିବା ବୋଲି ପୁନାୱାଲା ଓୱେସୀଙ୍କୁ କହିଛନ୍ତି।

ସୂଚନା ଅନୁଯାୟୀ, କର୍ଣ୍ଣାଟକ ହିଜାବ ବିବାଦ ଉପରେ ଶୁଣାଣି କରିଥିବା ସୁପ୍ରିମକୋର୍ଟର ଦୁଇ ବିଚାରପତି ଭିନ୍ନ ଭିନ୍ନ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ବିଭାଜିତ ରାୟ ପରେ ହିଜାବ ବିବାଦର କୌଣସି ସମାଧାନ ହୋଇପାରି ନାହିଁ। ଏହା ସହିତ ମାମଲାର ଶୁଣାଣି ତିନି ଜଣିଆ ବିଚାରପତି ପୀଠରେ କରିବା ଲାଗି ସୁପାରିସ କରାଯାଇଛି।

କର୍ଣ୍ଣାଟକର ଶିକ୍ଷାନୁଷ୍ଠାନ ଗୁଡିକରେ ମୁସଲମାନ ଛାତ୍ରୀଙ୍କ ହିଜାବ ପରିଧାନକୁ ବାରଣ କରାଯାଇଥିବାବେଳେ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା। କର୍ଣ୍ଣାଟକ ସରକାର ଶିକ୍ଷାନୁଷ୍ଠାନ ଗୁଡିକରେ ମୁସଲମାନ ଛାତ୍ରୀଙ୍କ ହିଜାବ ପରିଧାନକୁ ବେଆଇନ ଘୋଷଣା ପୂର୍ବକ ବାରଣ କରିଥିଲେ। ଫେବୃଆରୀ ୫ରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନକୁ ନିଷିଦ୍ଧ କରିଥିଲେ। ପରବର୍ତ୍ତି ସମୟରେ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିବାବେଳେ ଏହା କାଏମ ରହିଥିଲା। ହାଇକୋର୍ଟଙ୍କ ରାୟକୁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନ ସୁପ୍ରିମକୋର୍ଟରେ ଚାଲେଞ୍ଜ ପୂର୍ବକ ପିଟିସନ ଦାୟର କରିଥିଲେ।

Leave A Reply

Your email address will not be published.