ଅବସର ପରେ ଗଛ ସେବା
ଭଦ୍ରକ(ଉମାକଲ୍ୟାଣ ମହାପାତ୍ର): ବୃକ୍ଷ ପ୍ରେମରେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଜୟକୃଷ୍ଣ ନାୟକ। ଚାକିରି କାଳରେ ବିଦ୍ୟାଳୟ ଗୁଡିକର ପରିବେଶକୁ ସୁବୁଜିମାମୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଜୟକୃଷ୍ଣ ସାର ଅବସର ପରେ ନିଜ ବାଡିବଗିଚାକୁ ଦେଇଛନ୍ତି ଉଦ୍ୟାନର ରୂପ। ପକ୍ଷୀମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଅଭୟାରଣ୍ୟ। ଗଛଲଗାଇ ପରିବେଶ ବଞ୍ଚାଇବାକୁ ଅନ୍ୟମାନଙ୍କୁ ଯୋଗାଉଛନ୍ତି ପ୍ରେରଣା।
ଜୟକୃଷ୍ଣ ସାର, ଚାନ୍ଦବାଲି ଶିକ୍ଷା ବିଭାଗ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପରିଚିତ ନାମ। ୬୫ବର୍ଷର ଜୟକୃଷ୍ଣ ସାରଙ୍କ ଘର ଚାନ୍ଦବାଲି ବ୍ଲକ ମୌସୁଧା ଗାଁରେ। ଜଣେ ସଚ୍ଚୋଟ, କର୍ମଠ, କର୍ତ୍ତବ୍ୟନିଷ୍ଠ, ସମାୟାନୁବର୍ତ୍ତିତା ଓ ପରିବେଶ ପ୍ରେମୀ ଭାବେ ବେଶ ଜଣାଶୁଣା। ସହକାରୀ ଶିକ୍ଷକ ରୂପେ ନିଜର ଶିକ୍ଷାକତା ଜୀବନ ଆରମ୍ଭ କରି ସହଶିକ୍ଷାଧିକାରୀ ଭାବେ କାର୍ଯ୍ୟରୁ ଅବସର ଗ୍ରହଣ କରିସାରିଛନ୍ତି। ଚାକିରି କାଳ ମଧ୍ୟରେ ଶିକ୍ଷା ବିଭାଗର ବିଭିନ୍ନ ପଦ ପଦବୀରେ ନିଜର ପାରଦର୍ଶିତା ପାଇଁ ମଧ୍ୟ ସମ୍ମାନିତ ହୋଇଛନ୍ତି। ଶିକ୍ଷାକତା ସମୟରେ ବିଦ୍ୟାଳୟ ଗୁଡିକ ସବୁଜମୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।
ଅବସରରେ ପରେ ନିଜ ବଗିଚାରେ ବିଭିନ୍ନ ପ୍ରକାରର ଗଛ ଯଥା- ବିଭିନ୍ନ ପ୍ରଜାତିର ଆମ୍ୱ, ପଣସ, କୋଳି, ଅମୃତଭଣ୍ଡା, ବିବିଧ ପନିପରିବା ଚାଷ କରି ଏକ ସବୁଜ ବଳୟ ସୃଷ୍ଟି କରି ଅନ୍ୟମାନଙ୍କୁ ପ୍ରଭାବିତ କରି ପାରିଛନ୍ତି। ଏଥି ସହିତ ପୋଖରୀ କୂଳରେ ବଡ ବଡ ଗଛ ଲଗାଇ ପକ୍ଷୀଙ୍କ ପାଇଁ ସୃଷ୍ଟି କରିଛନ୍ତି ଅଭୟାରଣ୍ୟ। ସମସ୍ତେ ନିଜ ନିଜ ବାଡ଼ି ବଗିଚାକୁ ସୁବୁଜିମାମୟ କରି ପରିବେଶ ସୁରକ୍ଷା କରିବାକୁ ଆହ୍ୱାନ କରୁଛନ୍ତି। କେବଳ ଆହ୍ୱାନ ନୁହଁ, ସଚେତନ ମଧ୍ୟ କରୁଛନ୍ତି। ମୁଖ୍ୟତଃ ଯୁବକମାନେ ଏ ଦିଗରେ ଅଧିକ ମନୋନିବେଶ କରିବାକୁ ସେ ନିୟମିତ ପରାମର୍ଶ ଦେଇ ଆସୁଛନ୍ତି। ବୃକ୍ଷପ୍ରେମୀ ଜୟକୃଷ୍ଣ ସାରଙ୍କ ପରିବାର କହିଲେ ଏକମାତ୍ର ପୁଅ ବିଦେଶରେ।
ନିଜ ବଗିଚାର ବୃକ୍ଷମାନଙ୍କୁ ନିଜ ପୁଅ, ଝିଅ ଓ ପରିବାରର ସଦସ୍ୟ ଭଳି ସ୍ନେହ ଭଲପାଇବା ଦେଇ ଯତ୍ନ ନିଅନ୍ତି। ପ୍ରତିଦିନ ମାଟି ହାଣିବା, ପାଣିଦେବା, ଜୈବିକ ଖତ ସାର ଦେଇ ଗଛ ଗୁଡିକୁ ଛୋଟରୁ ବଡ଼ କରନ୍ତି। ବିଭିନ୍ନ ପ୍ରକାରର ଚାରା ସଂଗ୍ରହ କରି ବଗିଚାକୁ ପରିପୂର୍ଣ୍ଣ କରି ଖୁସି ହୁଅନ୍ତି। ସନ୍ଧ୍ୟା ହେଲେ ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦରେ ନିଜକୁ ହଜାଇ ଲେଖନୀ ଧରି କବିତା ରଚନା କରନ୍ତି। ବିଭିନ୍ନ ସଭା ସମିତି ହେଉ ବା ସାହିତ୍ୟାନୁଷ୍ଠାନ ସୁବୁଠି ବୃକ୍ଷରୋପଣ ପାଇଁ ଉତ୍ସାହିତ କରନ୍ତି। ସେଥିପାଇଁ ତାଙ୍କୁ ସମସ୍ତେ ବୃକ୍ଷ ମଣିଷ ବୋଲି କୁହନ୍ତି।