ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଜାଣନ୍ତୁ… ଟି-୨୦ ବିଶ୍ୱକପ୍‌‌ରେ ଭାରତୀୟ ଦଳର କ‘ଣ ରହିଛି ସାମର୍ଥ୍ୟ ଓ ଦୁର୍ବଳତା

ନୂଆଦିଲ୍ଲୀ : ଜୁନ୍‌‌ରେ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜନ ହେବାକୁ ଯାଉଥିବା ଟି-୨୦ ବିଶ୍ୱକପ୍‌‌ର ୯ମ ସଂସ୍କରଣ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ୧୫ ଜଣିଆ ପୂର୍ଣ୍ଣ ସାମର୍ଥ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଘୋଷିତ ଏହି ଦଳରେ ଟି-୨୦ ସ୍ପୋଶାଲିଷ୍ଟ ତଥା ଯୁବ ବ୍ୟାଟର ରିଙ୍କୁ ସିଂ, ଅଭିଜ୍ଞ ୱିକେଟରକ୍ଷକ ବ୍ୟାଟର ଲୋକେଶ ରାହୁଲଙ୍କୁ ସ୍ଥାନ ମିଳିନାହିଁ। ଅନ୍ୟପଟେ ୱିକେଟରକ୍ଷକ ବ୍ୟାଟର ସଞ୍ଜୁ ସାମସନ ଓ ଦ୍ରୁତ ବୋଲିଂ ଅଲରାଉଣ୍ଡର ଶିବମ୍‌‌ ଦୁବେ ଓ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ନିଆଯାଇଛି। ଭଲ ପ୍ରଦଶର୍ନକୁ ପାଥେୟ କରି ଏହି ଖେଳାଳିମାନଙ୍କୁ ଦଳରେ ନିଆଯାଇଛି। ଦଳ ଚୟନ ନେଇ କ୍ରିକେଟ ପଣ୍ଡିତ ଓ ପ୍ରଶଂସକ ମାନେ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଦଳରେ ୬ ବ୍ୟାଟର, ୫ ବୋଲର ଓ ୪ଜଣ ଅଲରାଉଣ୍ଡରଙ୍କୁ ସ୍ଥାନ ମିଳିଛି। ବ୍ୟାଟିଂରେ ଦମ୍‌‌ ଥିବା ମନେ ହେଉଥିଲେ ମଧ୍ୟ ଭାରତର ବୋଲିଂ ବିଭାଗ ସେତେଟା ପ୍ରଭାବୀ ମନେ ହେଉ ନାହିଁ। ଯଶପ୍ରୀତ ବୁମ୍‌‌ରାଙ୍କୁ ସହଯୋଗ କରିବାକୁ ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂଙ୍କ ଭଳି ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇଛି। କିନ୍ତୁ ଏହି ଦୁଇ ବୋଲର ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି କେତେକ ମନେ କରୁନାହାନ୍ତି। ଘୋଷିତ ଭାରତୀୟ ଦଳର ସାମର୍ଥ୍ୟ ଓ ଦୁର୍ବଳତା ନେଇ ଆଲୋଚନା କରିବା।

ଦଳର ସାମର୍ଥ୍ୟ

ଟି-୨୦ରେ ସବୁଠୁ ସଫଳ ବ୍ୟାଟର ଦଳରେ ସାମିଲ

ସୁପରଷ୍ଟାର ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ଟି-୨୦ରେ ସବୁଠୁ ସଫଳ ଓ ଅଭିଜ୍ଞ ବ୍ୟାଟର ବିବେଚିତ ହେଉଛନ୍ତି। ଏହି ଦୁଇ ବ୍ୟାଟର ଅନ୍ତର୍ଜାତୀୟ ଟି-୨୦ରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଛନ୍ତି।

ଟି-୨୦ ଶ୍ରେଷ୍ଠ ବୋଲର ଓ ବ୍ୟାଟର ଦଳରେ ରହିଛନ୍ତି

ଯଶପ୍ରୀତ ବୁମ୍‌‌ରା ଓ ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଟି-୨୦ ଫର୍ମାଟ୍‌‌ର ଶ୍ରେଷ୍ଠ ବୋଲର ଓ ବ୍ୟାଟର ବିବେଚିତ ହେଉଛନ୍ତି। ଟି-୨୦ ମାନ୍ୟତାରେ ସୂର୍ଯ୍ୟ ନଂ ୧ ସ୍ଥାନରେ ରହିଛନ୍ତି। ସେହିପରି ଏହି ଫର୍ମାଟ୍‌‌ରେ ବୁମ୍‌‌ରା ବିଶ୍ୱ ସବୁଠାରୁ ପ୍ରଭାବୀ ଦ୍ରୁତ ବୋଲର ବିବେଚିତ ହେଉଛନ୍ତି। ଚାଇନାମ୍ୟାନ ସ୍ପିନର ୟୁଜବେନ୍ଦ୍ର ଚହଲ ଟି-୨୦ରେ ଅନ୍ୟତମ ଶ୍ରେଷ୍ଠ ସ୍ପିନର ବିବେଚିତ ହେଉଛନ୍ତି।

୪ ଅଲରାଉଣ୍ଡର ଦଳରେ ସନ୍ତୁଳନକୁ ଦୃଢ଼ କରିଛନ୍ତି

ଉପ- ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍‌‌ ଦୁବେ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ଭଳି ବିଶ୍ୱସ୍ତରୀୟ ଅଲରାଉଣ୍ଡର ଦଳରେ ସନ୍ତୁଳନ ଆଣିବା ସହ ଶକ୍ତି ବୃଦ୍ଧି କରିଛନ୍ତି। ଅନ୍ତିମ ଏକାଦଶରେ ଏମାନଙ୍କ ମଧ୍ୟରୁ ୩ଜଣ ସାମିଲ ହେଲେ ଅଧିନାୟକ ରୋହିତଙ୍କୁ ବୋଲିଂ ଓ ବ୍ୟାଟିଂରେ ଅଧିକ ବିକଳ୍ପ ମିଳିପାରିବ।

ଆଶା ସଞ୍ଚାର କରିଛି ୭ ବ୍ୟାଟରଙ୍କ ଷ୍ଟ୍ରାଇକ୍‌‌ରେଟ୍‌‌

ଦଳରେ ୬ଜଣ କ୍ୱାଲିଟି ବ୍ୟାଟର ଓ ୪ ଜଣ ଅଲରାଉଣ୍ଡର ସାମିଲ ରହିଛନ୍ତି। ଦଳର ୭ ବ୍ୟାଟରଙ୍କ ଷ୍ଟ୍ରାଇକ୍‌‌ରେଟ୍‌‌ ଗତ ଦୁଇବର୍ଷ ମଧ୍ୟରେ ୧୪୦ରୁ ଅଧିକ ରହିଛି। ଏହା ହିଁ ଦଳର ମୁଖ୍ୟ ତାକତ୍‌‌ ବା ସାମର୍ଥ୍ୟ। ଏମାନଙ୍କ ମଧ୍ୟରେ ହାର୍ଦ୍ଦିକ, ଜାଡେଜା, ଋଷଭ ପନ୍ତଙ୍କ ଷ୍ଟ୍ରାଇକରେଟ୍‌‌ କମ୍‌‌ ରହିଥିବା ବେଳେ ଅନ୍ୟମାନଙ୍କର ଅଧିକ ରହିଛି।

Article Bottom (Mobile Only)

ଦଳର ଦୁର୍ବଳତା

ପାର୍ଟଟାଇମ ବୋଲର ନାହାନ୍ତି

ଦଳରେ ୪ ବ୍ୟାଟର ଓ ଦୁଇଜଣ ୱିକେଟରକ୍ଷକ ରହିଛନ୍ତି। ୪ଜଣ ବ୍ୟାଟରଙ୍କ ମଧ୍ୟରୁ ଜଣେ ମଧ୍ୟ ପାର୍ଟଟାଇମ ବୋଲିଂ କରିପାରୁନାହାନ୍ତି। ଯଶସ୍ୱୀ ଜୟସ୍ୱାଲ, କୋହଲି ଓ ରୋହିତ ଗତ କିଛିବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିନାହାନ୍ତି। କିନ୍ତୁ ଗତଥରର ଚାମ୍ପିଅନ ଇଂଲଣ୍ଡ ଦଳରେ ୭ ଅଲରାଉଣ୍ଡର ସାମିଲ ରହିଛନ୍ତି।

ଇନ୍‌‌-ଫର୍ମ ଫିନିଶରଙ୍କ ଅଭାବ ରହିଛି

ଦଳରେ ମହେନ୍ଦ୍ର ସିଂ ଧୋନିଙ୍କ ଭଳି ଇନ୍‌‌ଫର୍ମ ଫିନିଶରଙ୍କ ଅଭାବ ରହିଛି। ପନ୍ତ, ହାର୍ଦ୍ଦିକ, ଦୁବେ, ଅକ୍ଷର ଓ ଜାଡେଜାଙ୍କ ମଧ୍ୟରୁ ୩ କିମ୍ବା ୪ଜଣ ଫିନିଶର ଭୂମିକାରେ ଅବତୀର୍ଣ୍ଣ ହେବେ। ବର୍ତ୍ତମାନ ଏମାନଙ୍କ ମଧ୍ୟରୁ କେବଳ ଦୁବେଙ୍କର ଷ୍ଟ୍ରାଇକ୍‌‌ରେଟ୍‌‌ ୧୭୦ରୁ ଅଧିକ ରହିଛି। ବାକି ୪ଜଣଙ୍କ ପ୍ରଦର୍ଶନ ଖାସ୍‌‌ ରହିନାହିଁ। ରିଙ୍କୁ ସିଂଙ୍କୁ ଦଳରୁ ବାଦ୍‌‌ ଦିଆଯାଇଛି ଓ ଏହାକୁ ନେଇ ଆଲୋଚନା ଚାଲିଛି। ସେ ୧୭୫ରୁ ଅଧିକ ଷ୍ଟ୍ରାଇକ୍‌‌ରେଟ୍‌‌ରେ ରନ୍‌‌ ସଂଗ୍ରହ କରିଛନ୍ତି।

ଭାରତର ନିମ୍ନକ୍ରମ ବ୍ୟାଟିଂ ଅର୍ଡର ସବୁଠୁ ଦୁର୍ବଳ

ଭାରତର ନିମ୍ନକ୍ରମ ବ୍ୟାଟିଂ ଅର୍ଡର ସବୁଠୁ ମାମୁଲି ମନେ ହେଉଛି। ଯଦି ଜାଡେଜା ନଂ ୮ରେ ବ୍ୟାଟିଂ କରନ୍ତି ତେବେ କୁଲଦୀପ, ବୁମ୍‌‌ରା ଓ ଅର୍ଶଦୀପ ଯଥାକ୍ରମେ ୯, ୧୦ ଓ ୧୧ ନଂରେ ବ୍ୟାଟିଂ କରିବେ। ଏହି ୩ ଖେଳାଳିଙ୍କ ବ୍ୟାଟିଂ ଅତ୍ୟନ୍ତ ନିମ୍ନମାନର। ପୁଣି ଟି-୨୦ରେ ଜାଡେଜା ମନ୍ଥର ବ୍ୟାଟିଂ କରିଥାନ୍ତି ଓ ଗୋଟିଏ ଛକା ମାରିବାକୁ ୩୦ଟି ବଲ୍‌‌ ଖେଳିଥାନ୍ତି। ପୁଣି ଯଦି ଜାଡେଜା ନଂ ୭ରେ ବ୍ୟାଟିଂ କରନ୍ତି ତେବେ ୫ ଜଣ ନିମ୍ନକ୍ରମ ବ୍ୟାଟର ୧୨ ବଲରୁ ୨୫ ରନ କରିବା ଆଶା ବହୁତ କମ୍‌‌।

ଦ୍ରୁତ ବୋଲିଂରେ ବିକଳ୍ପର ଅଭାବ

ଦ୍ରୁତ ବୋଲିଂରେ ବୁମ୍‌‌ରାଙ୍କ ସହ ଅର୍ଶଦୀପ ଓ ମହମ୍ମଦ ସିରାଜଙ୍କ ଉପରେ ଗୁରୁ ଦାୟିତ୍ୱ ରହିଛି। ତେଣୁ ଦ୍ରୁତ ବୋଲିଂରେ ପାଣ୍ଡ୍ୟା ହିଁ ଏକମାତ୍ର ବିକଳ୍ପ କହିଲେ ଭୁଲ ହେବ ନାହିଁ। ଅର୍ଶଦୀପ, ପାଣ୍ଡ୍ୟା ଓ ସିରାଜଙ୍କ ଇକୋନୋମୀ ରେଟ୍‌‌ ୮ରୁ ଅଧିକ ରହିଛି। ସିରାଜ ଏପର୍ଯ୍ୟନ୍ତ ୧୦ଟି ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳିବାର ଅଭିଜ୍ଞତା ରହିଛି। ଫଳରେ ବୁମ୍‌‌ରାଙ୍କୁ ଉପଯୁକ୍ତ ସହାୟତା ଦେବାକୁ ପ୍ରଭାବୀ ବୋଲରଙ୍କ ଅଭାବ ରହିବ।

ଜୁନ୍‌‌ ୨ରୁ ଆରମ୍ଭ ହେବ ବିଶ୍ୱକପ୍‌‌

ଆଗାମୀ ଜୁନ୍‌‌ ମାସ ୨ ତାରିଖରୁ ଟି-୨୦ ବିଶ୍ୱକପ୍‌‌ର ଏହି ୯ମ ସଂସ୍କରଣ ଆରମ୍ଭ ହୋଇ ୨୯ରେ ଶେଷ ହେବ। ଜୁନ୍‌‌ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ମ୍ୟାଚ୍‌‌ ଖେଳି ଭାରତ ଅଭିଯାନ ଆରମ୍ଭ କରିବ। ୯ ତାରିଖରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ସେହିପରି ୧୨ରେ ଆମେରିକା ଓ ୧୫ରେ କାନାଡାକୁ ଭାରତ ଭେଟିବ।

Leave A Reply

Your email address will not be published.