ଡ୍ର ରହିଲା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ, ୨-୧ରେ ସିରିଜ କବଜା କଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ୍ ଡ୍ର ହୋଇଛି। ଏଥିସହ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି। ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨ ଓ୍ଵିକେଟ୍ ହରାଇ ୧୭୫ ରନ କରିବା ସହ ପଞ୍ଚମ ଦିନର ଖେଳ ଶେଷ ହୋଇଛି। ଚତୁର୍ଥ ଟେଷ୍ଟ ଡ୍ର ହେବା ସହ ଭାରତ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ରେ କ୍ରମାଗତ ଦ୍ଵିତୀୟ ଥର ପ୍ରବେଶ କରିଛି।
ମ୍ୟାଚ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳ ୪୮୦ ରନ କରିଥିଲା। ଉସ୍ମାନ ଖ୍ଵାଜା ୨୧ ଚୌକା ସହ ୧୮୦ ରନ କରିଥିବା ବେଳେ କ୍ୟାମେରୁନ ଗ୍ରୀନ ୧୧୪ ରନର ଶତକୀୟ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୯୧ ରନ ଦେଇ ସର୍ବାଧିକ ୬ ଓ୍ଵିକେଟ୍ ଦଖଲ କରିଥିଲେ। ଜବାବରେ ଭାରତ ନିଜର ପ୍ରଥମ ଇନିଂସରେ ୫୭୧ ରନ କରି ୯୧ ରନର ଅଗ୍ରଣୀ ହାସଲ କରିଥିଲା। ଦଳ ପକ୍ଷରୁ ବିରାଟ କୋହଲି ୧୮୬ ରନର ଦମଦାର ଇନିଂସ ଖେଳିଥିବା ବେଳେ ଶୁଭମନ ଗିଲ୍ ୧୨୮ ରନ କରିଥିଲେ। ଅକ୍ଷର ପଟେଲ୍ ୭୯ ରନ କରିଥିଲେ। ପରେରେ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇଂନିସରେ ୨ ୱିକେଟ ହରାଇ ୧୭୫ ରନ କରି ମ୍ୟାଚ ଡ୍ର ରଖିଥିଲେ ।