ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶା ମାଟିରେ ପେନ୍ଥା ପେନ୍ଥା ହୋଇ ଫଳିଛି ଥାଇଲାଣ୍ଡ ବରକୋଳି, ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ପ୍ରଶାନ୍ତ କୁମାର

ଅନୁଗୋଳ(ସଂଗ୍ରାମ ଦାସ): ପେନ୍ଥା ପେନ୍ଥା ହୋଇ ଫଳିଛି ଥାଇଲାଣ୍ଡ ବରକୋଳି । ତାହା ପୁଣି ଓଡ଼ିଶା ମାଟିରେ। ଆମ ରାଜ୍ୟର ଜଳବାୟୁରେ ସବୁ କିଛି ସମ୍ଭବ ବୋଲି ପ୍ରମାଣିତ କରି ଦେଖାଇ ପାରିଛନ୍ତି ଅନୁଗୋଳ ବ୍ଲକ ବନ୍ଦାଣପଶି ଗାଁର କିଛି ଚାଷୀ। କାହାର ସହାୟତା ବିନା ସମ୍ପୂର୍ଣ୍ଣ ନିଜସ୍ୱ ଉଦ୍ୟମରେ ଏଭଳି ଏକ ଲାଭଦାୟକ ଫସଲ କରି ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଜଣେ ଚାଷୀ। ଏହି କୋଳି ଦେଖିବାକୁ ଯେମିତି ସୁନ୍ଦର ସେମିତି ସୁସ୍ୱାଦୁ। ତେଣୁ ଚାହିଦା ରହିଛି।

ଅନୁଗୋଳ ବ୍ଲକର ବନ୍ଦାଣପଶି ଗାଁର ପ୍ରଶାନ୍ତ କୁମାର ସାହୁ ନାମକ ଜଣେ ଚାଷୀ ପ୍ରଥମେ ଏହି କୋଳି ସମ୍ପର୍କରେ ଇଣ୍ଟରନେଟରୁ ଜାଣିବାକୁ ପାଇଥିଲେ। ଏହାପରେ କଲିକତାର ଏକ ନର୍ସରି ସହ ଯୋଗାଯୋଗ କରି ଗତ ବର୍ଷ ଚାରା ମଗାଇଥିଲେ। ଗତବର୍ଷ ମାତ୍ର ୧୦୦ଟି ଗଛ ଲଗାଇ ୨୦ କୁଇଣ୍ଟାଲରୁ ଅଧିକ କୋଳି ଅମଳ କରିଥିଲେ। ଏହି ଚାରା ଥରେ ଲଗାଇଲେ ପ୍ରାୟ ୭/୮ବର୍ଷ ପର୍ଯ୍ୟନ୍ତ ରହେ। ପ୍ରତିବର୍ଷ କେବଳ ଡାଳ ଗୁଡିକ କାଟିବାକୁ ପଡେ। ଏହାଛଡା ବିଶେଷ ପାଣି ଓ ସାର ଔଷଧର ଆବଶ୍ୟକତା ପଡ଼େ ନାହିଁ। ଗୋଟିଏ ଗୋଟିଏ ଗଛରେ ୪୦ରୁ ୫୦ କେଜି ପର୍ଯ୍ୟନ୍ତ ଫଳ ହୁଏ। କେଜି ପ୍ରତି ଅତି କମରେ ୫୦ଟଙ୍କା ବିକ୍ରି ହୁଏ। ତେଣୁ ପ୍ରଚୁର ଲାଭ ହୁଏ। ଏହାକୁ ଦୃଷ୍ଟିରେ ରଖି ପ୍ରଶାନ୍ତ ଚଳିତ ବର୍ଷ ହଜାରରୁ ଅଧିକ ଗଛ ଲଗାଇଛନ୍ତି। ତାଙ୍କ ଠାରୁ ଦେଖି ଆଉ ୩ ଜଣ ଚାଷୀ ମଧ୍ୟ ହଜାର ହଜାର ସଂଖ୍ୟାରେ ଗଛ ଲଗାଇଛନ୍ତି। ଏହି ଚାଷରେ ଖର୍ଚ୍ଚ କମ ଏବଂ ଅମଳ ଅଧିକ ହୁଏ। ଫଳ ଧରିବା ସମୟରେ ଚଢେଇ ଏକମାତ୍ର ଶତ୍ରୁ। ତେଣୁ ଚାଷୀମାନେ ମଞ୍ଚରେ ରହି ଟିଣ ବଜାଇ ଚଢେଇ ଘଉଡାନ୍ତି। ଥାଇଲାଣ୍ଡ ବର କୋଳିର ଚାହିଦା ଏବଂ ଲାଭ ହେଉଥିବା ଦେଖି ଏବେ ଅନେକ ଚାଷୀ ଏହି ଚାଷ କରିବାକୁ ଆଗେଇ ଆସିଲେଣି। ଉଦ୍ୟାନ ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଲେ କେବଳ ଅନୁଗୋଳ ଜିଲ୍ଲା କାହିଁକି ସାରା ରାଜ୍ୟରେ ଏହି କୋଳି ଉତ୍ପାଦନ ବୃଦ୍ଧିପାଇବ।

Leave A Reply

Your email address will not be published.