ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜିଲ୍ଲା ଡାକ୍ତରଖାନା ପରିସରରୁ ପିଲାଚୋରି ଅଭିଯୋଗ, ଟିକା ଦେବା ବାହାନାରେ ଶିଶୁ ଧରି ଅଜଣା ମହିଳା ଚମ୍ପଟ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନା ପରିସରରୁ ପିଲାଚୋରି ଅଭିଯୋଗ । ନବଜାତ ଶିଶୁ କନ୍ୟାକୁ ଆଈମା ହାତରୁ ନେଇ ଜଣେ ଅଜଣା ମହିଳା ଚମ୍ପଟ ହୋଇ ଯାଇଥିବା ନେଇ ସୋନପୁର ପୁଲିସ୍‌ ଷ୍ଟେସନ୍‌ରେ ଲିଖିତ ଅଭିଯୋଗ କରିଛନ୍ତି ଶିଶୁର ବାପା । ତେବେ ସୋନପୁର ପୁଲିସ୍‌ ଅତି ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି । ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଏବଂ ଆଇଆଇସି ପୁଷ୍ପେନ୍ଦୁ ସାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ପୁଲିସ୍‌ ଟିମ୍‌ ଚଢାଉ କରି ତଦନ୍ତ ଜାରି ରଖିଛି । ଖୁବ୍‌ ଶୀଘ୍ର ଶିଶୁକୁ ଉଦ୍ଧାର କରାଯିବ ବୋଲି ସୋନପୁର ଏସ୍‌ପି ସୀତାରାମ ଶତପଥୀ କହିଛନ୍ତି ।

ସୂଚନା ଅନୁସାରେ ଶୁକ୍ରବାର ବୀରମହାରାଜପୁର ଥାନା ଅନ୍ତର୍ଗତ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଆ(୨୪) ଗର୍ଭବତୀ ପତ୍ନୀ ସନ୍ତୋଷିନୀଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଶୁକ୍ରବାର ସକାଳ ୯ଟା ୧୫ ମିନିଟ୍‌ରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ସନ୍ତୋଷିନୀ । ଶଯ୍ୟା ଅଭାବରୁ ମା ଓ ନବଜାତକ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଥିଲେ । ଶନିବାର ସକାଳୁ ସନ୍ତୋଷିନୀ ଶୌଚ ହେବା ପାଇଁ ଯାଇଥିବା ବେଳେ ସନ୍ତୋଷିନୀଙ୍କ ମା କାନ୍ତି ଜାଲ ଶିଶୁ କନ୍ୟାକୁ ଧରି ଡାକ୍ତରଖାନା ପରିସରରେ ବୁଲା ବୁଲି କରୁଥିଲେ । ଏହି ସମୟରେ ଜଣେ ଅଜଣା ମହିଳା ଆସି ଶିଶୁକୁ ଟିକା ଦେବାର ଅଛି କହି ଆଈମା ନିକଟରୁ ନେଇ ଯାଇଥିଲେ । କିଛି ସମୟ ପରେ ଶିଶୁକୁ ଧରି ଟିକା କେନ୍ଦ୍ରକୁ ନେଇ ଡାକ୍ତରଖାନା ବାହାରକୁ ନେଇ କୁଆଡେ ଫେରାର ହୋଇ ଯାଇଥିଲେ ଉକ୍ତ ମହିଳା । ପରେ କାନ୍ତି ପାଟିତୁଣ୍ଡ କରିବାରୁ ଲୋକେ ସେଠାରେ ରୁଣ୍ଡ ହୋଇ ଯାଇଥିଲେ । ଶିଶୁ ଚୋରି ହୋଇଥିବା ନେଇ ଗଜେନ୍ଦ୍ର ସୋନପୁର ଥାନାରେ ଅଭିଯୋଗ କରିଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ଝିଅ ହୋଇଥିବାରୁ ଶ୍ରଦ୍ଧାରେ ନାତୁଣୀକୁ ଶିବାନୀ ବୋଲି ଡାକୁଥିଲେ ଗଜେନ୍ଦ୍ରଙ୍କ ମା । ଶିବାନୀର ଫେରିବା ବାଟକୁ ଜିଲ୍ଲା ଡାକ୍ତରଖାନାରେ ଅପେକ୍ଷା କରି ରହିଛନ୍ତି ମା ଓ ଜେଜେମା ।

ସୋନପୁର ପୁଲିସ୍‌ ଡାକ୍ତରଖାନାର ସିସିଟିଭି ଫୁଟେଜ୍‌ ମାଗି ତଦନ୍ତ ଚଳାଇଛି । ସିସିଟିଭି ଭିଜୁଆଲ୍‌ରୁ ମହିଳାକୁ ଚିହ୍ନଟ କରିବା ପାଇଁ ଉଦ୍ୟମ କରାଯାଉଛି । ତେବେ ଗଜେନ୍ଦ୍ରଙ୍କ ଶାଶୁ କାନ୍ତିଙ୍କ ଉପରେ ସନ୍ଦେହ ପ୍ରକଟ କରୁଛି ପୁଲିସ୍‌ । ଉକ୍ତ ମହିଳା ଶୁକ୍ରବାର ମଧ୍ୟ ଡାକ୍ତରଖାନାକୁ ଆସି କାନ୍ତି ସହ ମିଶିଥିବା ନେଇ ପୁଲିସ୍‌ ଜାଣିବାକୁ ପାଇଛି । କାନ୍ତିଙ୍କ ଜ୍ଞାତ ସାରରେ ଉକ୍ତ ମହିଳା ଶିଶୁକୁ ଧରି ପଳାଇ ଥିବା ନେଇ ସିସିଟିଭି ଭିଜୁଆଲ୍‌ ଦେଖି ସନ୍ଦେହ ପ୍ରକଟ କରୁଛି ପୁଲିସ୍‌ । ତେବେ ଝିଅ ବୋଲି ପର ମହିଳା ହାତରେ ଟେକି ଦେଇନି ତ ଆଈମା । ଟଙ୍କା ଲୋଭରେ ଶିଶୁକୁ ବିକ୍ରି କରାଯାଇ ନାହିଁ ତ । ଘଟଣାକୁ ନେଇ ଲୋକଙ୍କ ମନରେ ଏଭଳି ନାନା ପ୍ରଶ୍ନ ଉଙ୍କି ମାରୁଛି ।

Leave A Reply

Your email address will not be published.