ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ରେ ଦେଶର ଶ୍ରେଷ୍ଠ “ମଧ୍ୟମ ଧରଣ’ ସହର ଭାବେ ବ୍ରହ୍ମପୁର ପୁରସ୍କୃତ

ବ୍ରହ୍ମପୁର : ସ୍ୱଛତାରେ ରାଜ୍ୟର ପ୍ରଥମ ସହର ଭାବେ ପରିଗଣିତ ହୋଇଛି ବ୍ରହ୍ମପୁର । ସ୍ୱଛ ସର୍ବେକ୍ଷଣ ସର୍ଭେରେ ପୁରସ୍କାର ଜିତି ପୁଣି ବାଜି ମାରିଛି ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ରେ ଦେଶର ଶ୍ରେଷ୍ଠ “ମଧ୍ୟମ ଧରଣ’ ସହର ଭାବେ ପୁରସ୍କୃତ ହୋଇଛି ବିଏମ୍‌ସି । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଅମୃତ ମହୋତ୍ସବରେ ବିଭିନ୍ନ ବର୍ଗରେ ରାଜ୍ୟ ଓ ସହରଗୁଡ଼ିକୁ ପୁରସ୍କୃତ କରାଯାଇଛି । ଦିଲ୍ଲୀରେ ଆୟୋଜିତ ସ୍ୱଚ୍ଛ ଅମୃତ ମହୋତ୍ସବ ଅବସରରେ ବ୍ରହ୍ମପୁର ମହାନଗର ନିଗମ ଦେଶର ଶ୍ରେଷ୍ଠ ମଧ୍ୟମ ଧରଣ ସହର ଭାବେ ପୁରସ୍କୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ସିଦେ୍ଧଶ୍ୱର ବଳିରାମ ବୋନ୍ଦର ।

ନବୀକରଣ ଦିଗରେ ଦେଶରେ ଶ୍ରେଷ୍ଠ ସହର ଭାବେ ପରିଚିତ ହୋଇଛି ବ୍ରହ୍ମପୁର । ୩-୧୦ଲକ୍ଷ ଜନସଂଖ୍ୟା ମଧ୍ୟରେ ସାମିଲ ସହରମାନଙ୍କ ମଧ୍ୟରେ ବିଏମ୍‌ସି ଆଗରେ ରହିଛି । ସେହିଭଳି ସ୍ୱଛ ସର୍ବେକ୍ଷଣରେ ୨୦୨୦ରେ ବ୍ରହ୍ମପୁର ମହାନଗର ନିଗମ ୬୨ ସ୍ଥାନରେ ରହିଥିବାବେଳେ ୨୦୨୧ ମସିହାରେ ୫୬ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଆଉ ପାଦେ ଆଗକୁ ଆସିଛି ବିଏମ୍‌ସି । ପରିମଳ ପରିଚାଳନା ସହ ସହରକୁ ସ୍ୱଛ ଓ ପରିଚ୍ଛନ ରଖିବା ଦିଗରେ ବିଏମ୍‌ସିର ବିଭିନ୍ନ ପଦକ୍ଷେପ ସାର୍ଥକ ହୋଇଛି । ଗତ ମାର୍ଚ୍ଚ ଏପ୍ରିଲ ମାସରେ ସ୍ୱଛ ସର୍ବେକ୍ଷଣ ସର୍ଭେ ହୋଇଥିଲା । ରାଜ୍ୟ ଓ କେନ୍ଦ୍ରର ଟିମ୍‌ ଆସି ସର୍ଭେ କରିବା ସହ ବିଭିନ୍ନ ଲୋକଙ୍କ ସହ ଆଲୋଚନା ସମେତ ଅନ୍‌ଲାଇନ୍‌ ମାଧ୍ୟମରେ ମଧ୍ୟ ଭୋଟ ଗ୍ରହଣ କରାଯାଇଥିଲା ।

ଏହି ସ୍ୱଚ୍ଛ ସର୍ବେକ୍ଷଣ ଟିମ୍‌ ପର୍ଯ୍ୟାୟକ୍ରମେ ୩ରୁ ୪ ମାସ ପର୍ଯ୍ୟନ୍ତ ସର୍ଭେ କରିଥିଲେ । ସ୍ୱଛତା, ପରିଛନ୍ନତା, ନବୀକରଣ, ଆଦିର ଯାଞ୍ଚ କରିଥିଲେ । ଏଥିମଧ୍ୟରୁ ସ୍ୱଛତାରେ ବିଏମ୍‌ସି ସଫଳତା ପାଇ କେନ୍ଦ୍ରୀୟ ଟିମ୍‌ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ଏଥିପାଇଁ ବ୍ରହ୍ମପୁର ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହାନଗର ନିଗମ ଆୟୁକ୍ତ । ସହରବାସୀଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିବା ସହ ଆଗକୁ ମଧ୍ୟ ଲୋକ ସହଯୋଗ କଲେ ବ୍ରହ୍ମପୁର ମହାନଗର ନିଗମ ଆଗକୁ ବଢିବ ବୋଲି ସେ କହିଥିଲେ । ରାଜ୍ୟର ଦୁଇଜଣ ଅଧିକାରୀଙ୍କ ସମେତ ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ, ନିଗମ ଆୟୁକ୍ତ ଶ୍ରୀ ବୋନ୍ଦର ଓ ଉପଆୟୁକ୍ତ ଆଶୁତୋଷ ସାମଲ ଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ପୂର୍ବରୁ ଜଳାଶୟର ପୁନଃଉଦ୍ଧାର ଓ ରକ୍ଷଣାବେକ୍ଷଣ ଦିଗରେ ବ୍ରହ୍ମପୁର ମହାନଗର ନିଗମ ପୁରସ୍କୃତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜାନା କାର୍ଯ୍ୟକାରୀ କରି ଆର୍ନ୍ତଜାତୀୟସ୍ତରରେ ପ୍ରଶଂସା ଅର୍ଜନ କରିଥିଲା । ବର୍ତ୍ତମାନ ସ୍ୱଛତାରେ ରାଜ୍ୟର ପ୍ରଥମ ସହର ଭାବେ ସ୍ୱତନ୍ତ୍ର ସ୍ଥାନ ମଣ୍ଡନ କରିଛି ।

Leave a comment