ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୈନିକ ‘ସକାଳ’ର ୨ୟ ସ୍ୱନକ୍ଷତ୍ର ଦିବସରେ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା, ବରିଷ୍ଠରେ ଲିସା ଓ କନିଷ୍ଠରେ ବିନ୍ଦ୍ୟା ପ୍ରଥମ

ଭୁବନେଶ୍ୱର: ଦୈନକ ଓଡ଼ିଆ ଖବରକାଗଜ ‘ସକାଳ’ର ୨ୟ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରର ଛାତ୍ରଛାତ୍ରୀଙ୍କୁ ନେଇ ରବିବାର ଗୀତଗୋବିନ୍ଦ ସଦନରେ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ରାଜ୍ୟର ୨୯ଟି ଜିଲ୍ଲା ସମେତ ଭୁବନେଶ୍ୱର ଓ ରାଉରକେଲାରେ ପୂର୍ବରୁ ଆୟୋଜିତ ହୋଇଥିବା ବିତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଏହି ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ସବୁ ଜିଲ୍ଲାରୁ ଚୟନ ହୋଇଥିବା ପ୍ରତିଭାସମ୍ପର୍ଣ୍ଣ ଛାତ୍ରଛାତ୍ରୀମାନେ ‘ସକାଳ’ର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ମାର୍ମିକ ଅଭିଭାଷଣ ରଖିଛନ୍ତି । କନିଷ୍ଠ ବର୍ଗର ପ୍ରତିଯୋଗୀମାନେ ‘ ଡିଜିଟାଲ୍‌ରେ ବନ୍ଧୁତ୍ୱ ସମ୍ପର୍କକୁ ନିବିଡ଼ କରିଛି କି’ ଓ ବରିଷ୍ଠ ବର୍ଗର ପ୍ରତିଯୋଗୀମାନେ ‘ଆଧୁନିକତା ଜୀବନକୁ ଜଟିଳ କରିଦେଇଛି କି’ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ ୩୧ ଜଣ ଲେଖାଏଁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ତେବେ ପ୍ରତିଯୋଗୀମାନଙ୍କ ଉତ୍ସାହିତ କରିବା ପାଇଁ ସମସ୍ତଙ୍କୁ ସକାଳ ପକ୍ଷରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଅନ୍ୟପକ୍ଷରେ ପ୍ରତିଷ୍ଠା ହେବାର ମାତ୍ର ୨ ବର୍ଷର ଅବଧି ମଧ୍ୟରେ ପାଠକଙ୍କ ବିଶ୍ୱାସନୀୟତା ହାସଲ କରିବାରେ ସଫଳ ହୋଇପାରିଥିବା ‘ସକାଳ’ ଖବରକାଗଜର ଏହି ବିତର୍କ ପ୍ରତିଯୋଗିତା ସାଧାରଣରେ ପ୍ରଶଂସାର ପାତ୍ର ହୋଇଛି ।

ବରିଷ୍ଠ ବିଭାଗରେ ଜଗତସିଂହପୁରର ଲିସା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ନୟାଗଡ଼ର ସାଗର ବେହେରା ଓ କଟକର ଓମ୍‌ପ୍ରକାଶ ପଣ୍ଡା କ୍ରମାଗତ ଭାବେ ୨ୟ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି କନିଷ୍ଠ ବିଭାଗରେ ବଲାଙ୍ଗିରର ବିନ୍ଦ୍ୟା ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଢେଙ୍କାନାଳର ଶୀଳାଦିତ୍ୟ ପତି ୨ୟ ଓ ଗଜପତିର ସୁଶୋଭନ୍‌ ପାତ୍ର ୩ୟ ସ୍ଥାନ ଅଧିକାର କରିଥିଲେ ।

ବରିଷ୍ଠ ବିଭାଗରେ ପ୍ରଥମ ହୋଇଥିବା ଲିସା ପ୍ରିୟଦର୍ଶିନୀ କହିଛନ୍ତି ଯେ ଆଧୁନିକତା ମାନବ ଜୀବନକୁ ସରଳ କରିଛି । ଅନ୍ୱେଷଣ ହିଁ ଆଧୁନିକତାର ଜନନୀ । ଆଧୁନିକ ପ୍ରଣାଳୀ ବିଜ୍ଞାନର ପ୍ରଗତିରୁ ଜନ୍ମ ନେଇଛି । ଗତ ୨ ବର୍ଷ ଧରି ମହାମାରୀ ସମୟରେ ଶିକ୍ଷାଦାନ ଏକ ପ୍ରମୁଖ ଆହ୍ୱାନ ଭାବେ ଠିଆ ହୋଇଥିଲା । ମାତ୍ର ଏହି ଜଟିଳ ସମୟରେ ଉଭୟ ଘରୋଇ ଓ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ଅନଲାଇନ୍‌ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ପାଇଁ ବରଦାନ ସଦୃଶ୍ୟ ଥିଲା । କେବଳ ସେତିକି ନୁହେଁ, ମଧୁ ଓ ଦୀକ୍ଷା ଭଳି ଶିକ୍ଷାଗତ ଆପ୍‌ ଛୋଟ ପିଲାଙ୍କ ପାଠପଢ଼ା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପ୍ଲାଟ୍‌ଫର୍ମର ମାନ୍ୟତା ପାଇଛି । ଯଦି ଆଧୁନିକତା ନଥାନ୍ତେ ତେବେ, ଗରିବ ଛାତ୍ରଛାତ୍ରୀମାନେ ୟୁଟ୍ୟୁବ୍‌ରେ ମାଗଣା ଉଚ୍ଚଶିକ୍ଷା କୋଚିଂ ପାଇବାରୁ ବଞ୍ଚିତ ହୋଇଥାଆନ୍ତେ । ୟୁଟ୍ୟୁବ୍‌ରୁ ପାଠପଢ଼ି ପିଲାମାନେ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଉଛନ୍ତି ।

ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ କନିଷ୍ଠ ବିଭାଗରେ ଅବସରପ୍ରାପ୍ତ ପ୍ରମୁଖ ଆୟକର କମିଶନର ଶରତ ଦାଶ, ଗାନ୍ଧିବାଦୀ ପ୍ରହ୍ଲାଦ ସିଂହ, ସନାତନ ହରିଚନ୍ଦନ ମହାବିଦ୍ୟାଳୟର ଅଧ୍ୟାପିକା ହିମାଂଶୁବାଳା ସାସମଲ ବିଚାରକ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ସେହିଭଳି ବରିଷ୍ଠ ବିଭାଗରେ ରମାଦେବୀ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ସଚିନ୍ଦ୍ର ରାଉଳ, ରମାଦେବୀ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ମାନସ ବେହେରା ଓ ପୂର୍ବତନ ଅଧ୍ୟକ୍ଷା ପ୍ରଫେସର ସସ୍ମିତା ମହାନ୍ତି ପ୍ରମୁଖ ବିଚାରକ ଭାବେ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସକାଳର ସିଇଓ ସୁବ୍ରତ ଦାସ, କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାଶ, ସହକାରୀ ବାର୍ତ୍ତା ସମ୍ପାଦକ ମହେଶ୍ୱର ସାହୁ, ବ୍ୟୁରୋ ମୁଖ୍ୟ ରଣଜିତ୍‌ ମହାନ୍ତି, ନ୍ୟୁଜ୍‌ କୋଡିନେଟର୍‌ ସନ୍ତୋଷ ସାହୁ, ପ୍ରସାର ପ୍ରବନ୍ଧକ ବିଜୟ ଦାଶ ଓ ବରିଷ୍ଠ ସହ ସମ୍ପାଦକ ସଞ୍ଜୟ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.