ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧୂମପାନ ନିଷେଧ ଆଇନ ବାଟବଣା, ନିଷିଦ୍ଧାଞ୍ଚଳ ଆଡ଼େ ମାଡ଼ିଗଲେଣି ଧୂମପାନ ସେବନକାରୀ

ଭୁବନେଶ୍ୱର: ସ୍ମାର୍ଟସିଟିରେ ବାଟବଣା ଧୂମପାନ ନିଷିଦ୍ଧାଞ୍ଚଳ। ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ଉପରେ କଟକଣା ଲଗାଯାଇଛି। ଯଦି ଏହାକୁ କେହି ଉଲ୍ଲଂଘନ କରିବ, ଉକ୍ତ ବ୍ୟକ୍ତି ଠାରୁ କୋଟ୍‍ପା ଆଇନ୍‍ ବଳରେ ଜରିମାନା ଆଦାୟ କରାଯିବ କୁହାଯାଇଥିଲା। ଏଭଳି ନିୟମ ଲାଗୁହେବା ପରେ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବା ଲାଗି କମିସନରେଟ ପୁଲିସ ବେଶ୍‍ ତତ୍ପରତା ଦେଖାଇଥିଲା। ସହରର ସର୍ବସାଧାରଣ ସ୍ଥାନ ଅର୍ଥାତ୍‍ ଡାକ୍ତରଖାନା ପରିସର, ସରକାରୀ ଦପ୍ତର ନିକଟ, କୋର୍ଟ ପରିସର, ରେଳବାଇ ପ୍ରତିଷ୍ଠା କେନ୍ଦ୍ର, ହୋଟେଲ, ପାଠାଗାର, ବଜାର ଘାଟ ପ୍ରେକ୍ଷାଳୟ ନିକଟ, ବିମାନବନ୍ଦର ଆଦି ସ୍ଥାନକୁ ଧୂମପାନ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଭଳି ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରିବା ଲାଗି ପୁଲିସ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରିଥିଲା। ଉକ୍ତ ଟିମ୍‍ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରୁଥିଲା। କିନ୍ତୁ ୨୦୨୧ରେ କୋଟ୍‍ପା ଆଇନ୍‍ରେ ଖାତା ଖୋଲିପାରିନି କମିସନରେଟ ପୁଲିସ। ଟ୍ରାଫିକ ଓ ସହରାଞ୍ଚଳ ପୁଲିସ ଆଇନ୍‍ବଳରେ ଲକ୍ଷଲକ୍ଷ ଟଙ୍କା ଆଦାୟ କରାଯାଇଥିବା ବେଳେ କୋଟ୍‍ପା ଆଇନ୍‍ ବଳରେ ଟଙ୍କେ ବି ଜରିମାନା ଆଦାୟ କରାଯାଇନି। ତେଣୁ କୋଟ୍‍ପା ଆଇନ୍‍ର ନିୟମ ନାଲିଫିତା ତଳେ ଅଟକି ରହିଥିବା ଚର୍ଚ୍ଚା ହେଉଛି।

ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୦ରେ ମାତ୍ର ୫୦ଜଣଙ୍କ ଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ବିଗତବର୍ଷଗୁଡ଼ିକରେ ବି ଉଲ୍ଲଘଂନକାରୀ ସର୍ବସାଧାରଣରେ ଧୂମପାନ କରୁଥିବାରୁ ପୁଲିସ ସେମାନଙ୍କୁ ଠାରୁ ଜରିମାନା ଆଦାୟ କରିବା ସହ ଦଣ୍ଡିତ କରିଥିଲା। ତେବେ ଆଶ୍ଚର୍ଯ୍ୟର କଥା ୨୦୨୧ରେ ଏହି ଅଇନ ବଳରେ କୌଣସି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇପାରିନାହିଁ କିମ୍ବା ସେମାନଙ୍କଠାରୁ ଜରିମାନା ବି ଆଦାୟ କରାଯାଇନି। ଏଭଳି ଭାବେ ପୁଲିସ ଚଢ଼ଉ କିମ୍ବା ଜରିମାନା ଆଦାୟ କରୁ ନ ଥିବାରୁ ଏବେ ହସ୍ପିଟାଲ ଓ ସରକାରୀ ଦପ୍ତର ସାମ୍‍ନାର ବିନା କଟକଣାରେ କିଛି ବ୍ୟକ୍ତି ଧୂମପାନ କରୁଥିବାର ଦେଖାଯାଉଛି। ଏମିତିକି ଅନେକ ଅଭିଯୋଗ ପରେ ବି କମିସନରେଟ ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ ରହିଛି। ସେପଟେ ଆଗାମୀ ଦିନରେ ସର୍ବସାଧାରଣ ସ୍ଥାନରେ ଧରପଗଡ଼଼ କରାଯିବ। ଏପିରିକି ନିୟମ ଭାଙ୍ଗୁଥିବା ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି କମିସନରେଟ୍‍ ପୁଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୪ ମେ’ ପହିଲାରୁ ଧୂମପାନ ନିଷେଧ ଦିବସ ରୂପ ପାଳନ କରାଯାଇଛି। ଏହି ଆଇନ୍‍ ପ୍ରଣୟନ ହେବା ସହ ୨୦୦୮ ଅକ୍ଟୋବର ୨ରୁ ସର୍ବସାଧାରଣରେ ଧୂମପାନ ନିଷେଧ ଆଇନ୍‍କୁ ସାରାଦେଶରେ ବଳବତ୍ତର ରହିଛି। ସଂଶୋଧନ ଆଇନ୍‍ ଅନୁଯାୟୀ ୨୦୧୯ରୁ ସିଗାରେଟ୍‍ କିମ୍ବା ତମାଖୁଜାତ ଦ୍ରବ୍ୟର ପ୍ୟାକେଟ୍‍ ଉପରେ ସ୍ୱାସ୍ଥ୍ୟ ସତର୍କତା ଚିତ୍ର ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଏଥିସହିତ ୧୮ବର୍ଷରୁ କମ୍‍ ବୟସ ପିଲାଙ୍କୁ ସିଗାରେଟ୍‍ ବିକ୍ରି ନ କରିବା ଓ ସେମାନେ କିଣିବା ଉପରେ କଟକଣା ଲାଗୁ ହୋଇଛି। ତେବେ ଏଭଳି କିଛି ନୂଆ ଆଇନ କେବଳ କାଗଜକଲମରେ ସୀମିତ ରହିଛି। ସର୍ବସାଧାରଣ ସ୍ଥାନରେ ସିଗାରେଟ୍‍ ଟାଣିଲେ ୨୦୦ଟଙ୍କା ଜରିମାନା ଦେବାର ଆଇନ୍‍ରେ ମଧ୍ୟ ରହିଛି। କରୋନା ସମୟ ବି ସର୍ବସାଧାରଣରେ ଧୂମପାନ କଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା।

Leave A Reply

Your email address will not be published.