ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବସ୍ତି ମୁକ୍ତ ସ୍ମାର୍ଟ ସହର; ଚଳିତ ବର୍ଷ ଶେଷ ସୁଦ୍ଧା ୨ ହଜାର ୯୧୯ ବସ୍ତି ହେବ ବିଜୁ ଆଦର୍ଶ କଲୋନୀ

ଭୁବନେଶ୍ୱର: ବସ୍ତି ମୁକ୍ତ ସ୍ମାର୍ଟ ସହର । ରୂପାନ୍ତରଣ ପର୍ବରେ ସହରାଞ୍ଚଳ ସବୁ ବସ୍ତିର ହେଉଛି ଅପଗ୍ରେଡେସନ୍ । ରାସ୍ତାଠାରୁ ଆରମ୍ଭ କରି ଲାଇଟ୍, ପାନୀୟ ଜଳ, ପାଇଖାନା ବ୍ୟବସ୍ଥା ସବୁକିଛି ଚକାଚକ୍ । ୯ଟି ଭର୍ଟିକାଲ ପାରାମିଟରରେ ପ୍ରତ୍ୟେକ ବସ୍ତିକୁ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି । ସହରାଞ୍ଚଳ ବିକାଶ ଧାରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ଆଭିମୁଖ୍ୟକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚିତ । ୨୦୨୩ ମସିହା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମିଳିଛି ଜାତିସଂଘ ଓ୍ବାର୍ଲଡ ହାବିଟାଟ୍ ପୁରସ୍କାର । ମୋଟ ୧୧୫ଟି ସହରାଞ୍ଚଳର ୨ ହଜାର ୯୧୯ଟି ବସ୍ତିରୁ ଏବେସୁଦ୍ଧା ୭୬୯ଟି ବସ୍ତିର ହୋଇଛି ରୂପାନ୍ତରଣ । ସେପଟେ ଚୂଡ଼ାନ୍ତ ପର୍ଯ୍ୟାୟରେ ୫ ମହାନଗର ନିଗମ ଅଞ୍ଚଳରେ ଜାଗା ମିଶନ ଜରିଆରେ ମାଗଣା ଭୂମି ପ୍ରଦାନ ସର୍ଭେ କାମ । ହିତାଧିକାରୀ ଚୟନରେ ବି ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିର୍ଭୁଲ କରାଯାଉଛି । ପ୍ରଥମେ ଡ୍ରୋନ୍ ଜରିଆରେ ସର୍ଭେ କରାଯାଇ ପ୍ରସ୍ତୁତ ହେଉଛି ଅର୍ଥୋ ମ୍ୟାପ୍ ।

ପରେ ବାସ୍ତବ ସର୍ଭେ ପାଇଁ କ୍ୟୁରେଟ୍ରମାନେ ସମ୍ପୃକ୍ତ ହିତାଧିକାରୀ ଘରେ ପହଞ୍ଚି ଅର୍ବାନ୍ ସ୍ଲମ୍ ହାଉସ୍ ହୋଲଡ୍ ଏରିଆ ସର୍ଭେ ବା ଉଷା ଜରିଆରେ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ରେକର୍ଡ କରୁଛନ୍ତି । ଅର୍ଥୋ ମ୍ୟାପ୍ ପ୍ରସ୍ତୁତ ପରେ ବସ୍ତି ପ୍ଲଟର ନମ୍ବର କରାଯାଇ ଫେୟାର୍ ଅର୍ଥୋ ମ୍ୟାପ୍ ପ୍ରସ୍ତୁତ ହେଉଛି । ପରେ ସମ୍ପୃକ୍ତ ଜମିର ତହସିଲ ରେକର୍ଡ, କିସମ, ରକବା, ପ୍ଲଟ୍, ଖାତାକୁ ଭୂଲେଖ ସହିତ ମେଳ କରାଯାଉଛି । ତାଲିକା ପ୍ରସ୍ତୁତ ହେଲା ପରେ ଜିଲ୍ଲାପାଳ ଓ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ସ୍କୃଟିନି କମିଟି ତର୍ଜମା କରୁଛି । ପରିଶେଷରେ ସ୍ଲମ୍ ଡେଭଲପ୍ମେଣ୍ଟ୍ ରିହାବିଲିଟିସେନ୍ କମିଟି ବା ଏସଡିଆରସି ଚୂଡ଼ାନ୍ତ ହିତାଧିକାରୀ ତାଲିକା ପ୍ରସ୍ତୁତ କରୁଛନ୍ତି । ଆଇନ ଅନୁଯାୟୀ ଜାଗା ମିଶନ ଅନ୍ତର୍ଗତ ମାଗଣା ଜମି ଅଧିକାର ପାଇଥିବା ହିତାଧିକାରୀ କୌଣସି ତୃତୀୟ ପକ୍ଷକୁ ସମ୍ପୃକ୍ତ ଜମି ବିକ୍ରି କରିପାରିବେ ନାହିଁ ।

୫ଟି ମହାନଗର ନିଗମ ଅଞ୍ଚଳରେ ପ୍ରାଥମିକ ପର୍ଯ୍ୟାୟରେ ୫୦ ହଜାର ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ସେଥିରୁ ପ୍ରାୟ ୪୦ ହଜାର ବିଏମସି ଅଞ୍ଚଳର ହୋଇଥିବାବେଳେ ବାକି ସବୁ ଅନ୍ୟ ୪ଟି ମହାନଗର ନିଗମ ଅଞ୍ଚଳର । ୩୨୩ ବର୍ଗଫୁଟ ଜମି ହିତାଧିକାରୀଙ୍କୁ ମାଗଣାରେ ମିଳିବ । ଏହା ବାଦ୍ ଅଧିକ ଦଖଲ ହୋଇଥିବା ଜମି ପାଇଁ ହିତାଧିକାରୀଙ୍କୁ ସମ୍ପୃକ୍ତ ଜମିର ବେଞ୍ଚମାର୍କ ମୂଲ୍ୟରେ ୧୦ ପ୍ରତିଶତ ଅର୍ଥ ସରକାରଙ୍କୁ ଦେବାକୁ ପଡ଼ିବ । କଟକରେ ପ୍ରଥମ ପର୍ଯ୍ୟାୟରେ ୧୭୦୦ ହିତାଧିକାରୀ ଜମି ପାଇବାକୁ ଚୂଡ଼ାନ୍ତ ହୋଇଛି ।

Leave A Reply

Your email address will not be published.